ଧରାପଡ଼ିଲା ଛେଳି ଚୋରି ରାକେଟ୍‌; କଟକର ୪ ଅଭିଯୁକ୍ତ ଗିରଫ, ଚୋରା କାର୍ ଜବତ

ଧରାପଡ଼ିଲା ଛେଳି ଚୋରି ରାକେଟ୍‌; କଟକର ୪ ଅଭିଯୁକ୍ତ ଗିରଫ, ଚୋରା କାର୍ ଜବତ

କାଳିଆପାଣି : ଖଣି ଅଞ୍ଚଳରୁ ନିୟମିତ ଛେଳି ‌ଚୋରି କରୁଥିବା ଏକ ରାକେଟ୍‌କୁ ଧରିଛି ଟମକା ପୁଲିସ। ଏକ ସେଭ୍ରୋଲେଟ୍‌ ବିଟ୍‌ କାର୍ (ଓଡି-୦୨ୱାଇ-୩୧୨୭)ରେ ଛେଳି ଧରି ଚମ୍ପଟ୍‌ ମାରୁଥିବା ବେଳେ ପୁଲିସ ଗୋଡ଼ାଇ ୪ ଲୁଟେରାଙ୍କୁ କାବୁ କରିଥିଲା। ସେମାନଙ୍କଠୁ ଏକ ବଡ଼ ଛେଳି ଉଦ୍ଧାର କରାଯାଇଛି। ଏଥିସହ ଚୋରିରେ ବ୍ୟବହୃତ କାର୍ ଜବତ ହୋଇଛି। ଏହି କାରରେ ନକଲି ନମ୍ବର ପ୍ଲେଟ୍‌ ଲାଗିଥିବାରୁ ଏହା ଏକ ଚୋରା କାର୍ ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରି ଅଧିକ ତଦନ୍ତ କରୁଥିବା କହିଛି।

ପୁଲିସ ପଞ୍ଝାରେ ପଡ଼ିଥିବା ସମସ୍ତ ୪ ଲୁଟେରା କଟକର ବୋଲି ସୂଚନା ମିଳିଛି। ସେମାନେ ହେଲେ ଦରଘାବଜାରର ସେକ୍‌ ନଇମ୍‌(୨୩) ଓ ସେକ୍‌ ମସିମ୍‌(୨୪), ଚାଉଳିଆଗଞ୍ଜ ଓଏମ୍‌ସି ଶାନ୍ତିବିହାରର ଆସିଫ୍‌ ଖାଁ(୨୬) ଓ ଜଗତପୁର ପଦ୍ମପୁର ପାଖ ମୁତାରିଫା ବସ୍ତିର ଇମଜିଆଜ୍ ଖାନ(୨୪)। ଲୁଟେରାମାନଙ୍କୁ ଦେଖିବା ପାଇଁ ଆଜି ସକାଳେ ଥାନା ବାହାରେ ଲୋକଙ୍କ ଉତ୍ସୁକତା ପ୍ରକାଶ ପାଇଥିଲା। ମାସମାସ ଧରି ଛେଳି ହଜାଇଥିବା ସ୍ଥାନୀୟ ଗରିବ ବ୍ୟକ୍ତିମାନଙ୍କ ଅଭିଯୋଗର ଫର୍ଦ୍ଦ ଲମ୍ବି ଚାଲିଥିଲା। ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।

ପ୍ରାପ୍ତ ଖବରରୁ ପ୍ରକାଶ ଯେ ଗତକାଲି କିଆଝର ଗାଁର ବୃଦ୍ଧ ପୁରୁଷୋତ୍ତମ ମହାରଣା ଛେଳି ଚରାଉଥିବାବେଳେ ଅଭିଯୁକ୍ତମାନେ ସେହି ବାଟ ଦେଇ କାରରେ ବ୍ରାହ୍ମଣୀପାଳରୁ ଟମକା ଆଡ଼କୁ ଯାଉଥିଲେ। ରାସ୍ତାକଡ଼ରୁ ଏକ ବଡ଼ ଛେଳିକୁ ଉଠାଇନେଇ ପଳାଇଥିଲେ। କିଛି ପ୍ରତ୍ୟକ୍ଷଦର୍ଶୀ ଏ ସଂପର୍କରେ ପୁଲିସକୁ ସୂଚନା ଦେଇଥିଲେ। ଅଭିଯୁକ୍ତମାନେ ଫୁଲଝରରୁ ବାଟ ଭାଙ୍ଗି କେନ୍ଦୁଝର ଆନନ୍ଦପୁର ଆଡ଼କୁ ପଳାଉଥିବା ବେଳେ ଘଟଣାସ୍ଥଳରୁ ପାଖାପାଖି ୧୫ କିଲୋମିଟର ଦୂର ନଛିପୁରା କାଜୁ ଜଙ୍ଗଲ ପାଖାପାଖି ଧରାପଡ଼ିଥିଲେ। ଏ ସଂକ୍ରାନ୍ତରେ ଆଇପିସି ଦଫା ୩୭୯, ୪୬୮, ୪୭୧/୩୪ ଆଧାରରେ ଏକ କେସ୍‌ ନଂ ୩୮/୨୧ ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe