ଯୁବ କର୍ମଚାରୀଙ୍କ ନିଆରା ସମାଜ ସେବା: ବସ୍ତିକୁ ଯାଉଛନ୍ତି, ମନୋରଞ୍ଜନଧର୍ମୀ ଶିକ୍ଷା ଦେଉଛନ୍ତି

Advertisment
ଯୁବ କର୍ମଚାରୀଙ୍କ ନିଆରା ସମାଜ ସେବା: ବସ୍ତିକୁ ଯାଉଛନ୍ତି, ମନୋରଞ୍ଜନଧର୍ମୀ ଶିକ୍ଷା ଦେଉଛନ୍ତି

ରାଉରକେଲା: କିଏ ସ୍ବାଧୀନ ଭାରତର ପ୍ରଥମ ରାଷ୍ଟ୍ରାୟତ୍ତ କମ୍ପାନି ‘ରାଉରକେଲା ଇସ୍ପାତ କାରଖାନା’ରେ କାର୍ଯ୍ୟରତ ତ ପୁଣି କିଏ ରେଳବାଇ କର୍ମଚାରୀ; ପୁଣି କିଏ ଡେଲଏଟ୍‌ ଭଲି ବହୁଃରାଷ୍ଟ୍ରୀୟ କମ୍ପାନିରେ ଉଚ୍ଚ ଦରମାରେ ଅବସ୍ଥାପିତ। କିନ୍ତୁ ଏହି ଯୁବ ଗୋଷ୍ଠି କେବଳ ନିଜ ବ୍ୟକ୍ତିଗତ ସୁଃଖସ୍ବାଚ୍ଛନ୍ଦ୍ୟରେ ସୀମିତ ନ ରହି ସାମଜସେବା କ୍ଷେତ୍ରରେ ମନବୋଳାଇଛନ୍ତି।

ପ୍ରତି ରବିବାର ସକାଳୁ ବିଭିନ୍ନ ବସ୍ତି, ମୁକବଧିର, ଦିବ୍ୟାଙ୍ଗ ସ୍କୁଲରେ ପହଞ୍ଚିଯାଇ କେବଳ ଶିକ୍ଷା ପ୍ରଦାନ କରୁନାହାନ୍ତି, ବରଂ ଶିକ୍ଷାଉପକରଣ, ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରିବାସହ ନାଚ, ଗୀତ ମାଧ୍ୟମରେ ମନୋରଞ୍ଜନ ଯୋଗାଉଛନ୍ତି। ‘ଅର୍ପଣ ସେବା ସଂଘ’ ନାଁରେ ଏକ ସ୍ବେଚ୍ଛାସେବୀ ସଂଗଠନ ପ୍ରତିଷ୍ଠାକରି ସମାଜସେବାକୁ ବ୍ୟାପକ ଓ ତ୍ବରାନ୍ବିତ କରିବାସହ ପ୍ରେରଣା ଯୋଗାଉଛନ୍ତି।

ଶିକ୍ଷା,ଗୀତ, ଉପକରଣ ବାଣ୍ଟୁଛନ୍ତି ଯୁବ କର୍ମଚାରୀ

ମାତ୍ର ତିନି ମାସ ପୁରୁଣା ଏହି ଅନୁଷ୍ଠାନ। ଗତ ଜାନୁଆରି ପହିଲାରେ ସୌମ୍ୟ ରଞ୍ଜନ ମହାନ୍ତି, ଚିନ୍ମୟ ସାମଲ, ଚନ୍ଦନ ମହାନ୍ତି, ରଜିତ ସାହୁ, ରାଜେଶ୍ବର ନାୟକ, ଦେବୀ ପ୍ରସାଦ ନାୟକଙ୍କ ଭଳି ପ୍ରାୟ ୩୫ ଜଣ ସହୃଦୟ ଯୁବ ସରକାରୀ କର୍ମଚାରୀ ଏହାକୁ ଗଠନ କରିଥିଲେ। ସମସ୍ତେ ପ୍ରତିଷ୍ଠିତ କମ୍ପାନିରେ କାର୍ଯ୍ୟରତ ଥିବାବେଳେ ଏକାଧିକ ସଦସ୍ୟ ରାଉରକେଲାରେ ଅବସ୍ଥାପିତ। ଏହାବାଦ୍‌ ବହୁ ସଦସ୍ୟ ରାଜ୍ୟର ବିଭିନ୍ନ ପ୍ରାନ୍ତ, ଏମିତିକି ବିଦେଶରେ ରହି ସଂଗଠନକୁ ବିଭିନ୍ନ ମାଧ୍ୟମରେ ସହାୟତା ଦେଇଆସୁଛନ୍ତି। ତେବେ ଚିରାଚରିତ ଢ଼ଙ୍ଗରେ ସମାସଜସେବା କରିବା ବ୍ୟତିତ କିଛି ନୂଆ କରିବାର ଉଦ୍ଦେଶ୍ୟ ରହିଛି ଏମାନଙ୍କର।

ପ୍ରତ୍ୟେକ ରବିବାର ଓ ଛୁଟି ଦିନରେ ନଥିଲାବାଲାଙ୍କ ପାଖରେ ପହଞ୍ଚିଯାଆନ୍ତି ଏମାନେ। ବିଶେଷକରି ବସ୍ତିରେ ରହୁଥିବା ସ୍କୁଲ, ବସ୍ତି ପିଲା, ଦିବ୍ୟାଙ୍ଗ ଅନୁଷ୍ଠାନର ଅନ୍ତେବାସୀଙ୍କ ସହ ସମୟ ଅତିବାହିତ କରିଥାନ୍ତି। ସେମାନଙ୍କର ଆବଶ୍ୟକତା ମେଣ୍ଟାଇବାକୁ ବିଭିନ୍ନ ଉପାଦେୟ ଉପକରଣ ପ୍ରଦାନ କରାଯାଇଥାଏ। ଏତଦ୍‌ବ୍ୟତୀତ ହିତାଧିକାରୀଙ୍କୁ ଶିକ୍ଷା ଦି‌ଆଯାଇଥାଏ। ପୁସ୍ତକ ଜ୍ଞାନ ସମେତ ମ୍ୟୁଜିକ୍‌, ସଙ୍ଗୀତ ଶିକ୍ଷା ଦିଆଯାଉଛି। ଏମିତିକି ବିଗତ ଦିନରେ ବୈକୁଣ୍ଠ ଘାଟ ସଫେଇ ମଧ୍ୟ କରାଯାଇଥିଲା। ଛୁଟି ଦିନ କେବଳ ଘରେ ନ  ବିତାଇ ସମାଜସେବାରେ ବ୍ରତୀ ରହିବାର ବାର୍ତ୍ତା ଦେଉଥିବା ଏହି ସଂଗଠନ, ଏବେ ଅନ୍ୟପାଇଁ ପ୍ରେରଣାର ସ୍ରୋତ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe