ଭାଇଭଉଣୀ ସଂପର୍କର ପବିତ୍ର ଡୋର: ଏଥର ବଜାର ନେଇଛି କୁନ୍ଦନ-କପୁଲ୍‌-ସୁନାଚାନ୍ଦି ରାକ୍ଷୀ

Advertisment
ଭାଇଭଉଣୀ ସଂପର୍କର ପବିତ୍ର ଡୋର: ଏଥର ବଜାର ନେଇଛି କୁନ୍ଦନ-କପୁଲ୍‌-ସୁନାଚାନ୍ଦି ରାକ୍ଷୀ

ବାଲେଶ୍ବର: ବାଲେଶ୍ବର ବଜାରରେ ଚାହିଦା ନେଇଛି ଏଥର କୁନ୍ଦନ, ଚାନ୍ଦି, ଥାଳି, ନଟକନ୍‌, ପେୟାର(କପୁଲ) ରାକ୍ଷୀ। ୧୦ ଟଙ୍କାରୁ ଆରମ୍ଭ କରି ୮ ଶହ ଟଙ୍କା ପର୍ଯ୍ୟନ୍ତ ରାକ୍ଷୀର ମୂଲ୍ୟ ରହିଛି। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ନୂଆ ଡିଜାଇନ୍‌ର ରାକ୍ଷୀ ଆଣିଛନ୍ତି ବ୍ୟବସାୟୀ। କରୋନା ପାଇଁ ପାଖାପାଖି ୩ ବର୍ଷ ହେଲା ରାକ୍ଷୀ ବ୍ୟବସାୟୀଙ୍କର ବ୍ୟବସାୟ ମାନ୍ଦା ପଡ଼ିଥିବା ବେ‌ଳେ ଏଥର କିନ୍ତୁ ବ୍ୟବସାୟ ବେଶ୍‌ ଜମିଛି। ବଜାରକୁ ଏଥର ବିଭିନ୍ନ ଡିଜାଇନ୍‌ର ରାକ୍ଷୀ ଆସିଛି।

ବାଲେଶ୍ଵର ସହରରେ ୫୦ରୁ ଅଧିକ ରାକ୍ଷୀ ଦୋକାନ ଖୋଲିଛି। ବିଶେଷକରି ଆଇଟିଆଇ ଛକ, ଷ୍ଟେସନ ଛକ, ଫକୀରମୋହନ ଗୋଲେଇ, ବିବେକାନନ୍ଦ ମାର୍ଗ, ସିନେମା ଛକ, ମୋତିଗଞ୍ଜ ବଜାର, ନୂଆବଜାର, ହେମ୍‌କାପଦା, ଗଡ଼ଗଡିଆ ଛକ, ଏଡିଏମ୍ ଛକରେ ରାକ୍ଷୀ ଦୋକାନ ଖୋଲିଛି। ଏଥର ବଜାରରେ ଷ୍ଟୋନ୍‌, ଚାନ୍ଦି, ଗ‌ୋଲ୍ଡ, ନଟକନ୍‌, ଥାଳି, କୁନ୍ଦନ, ରୁଦ୍ରାକ୍ଷ, ପେୟାର, ଗୋଲାପ, ଚନ୍ଦନ ରାକ୍ଷୀ, ହାତ ତିଆରି ରାକ୍ଷୀ ଆଦି ବିଭିନ୍ନ ଡିଜାଇନ୍‌ର ବିକ୍ରି ହେଉଛି। ଅଧିକାଂଶ ଲୋକ ଷ୍ଟୋନ୍‌ ରାକ୍ଷୀ ନେଉଥିବା ସିନେମା ଛକ ନିକଟରେ ଦୋକାନ କରିଥିବା ଦୋକାନୀ ନିକୁନ୍‌ କହିଛନ୍ତି।

ଡିଜିଟାଲ ରାକ୍ଷୀ

publive-image
ଏଥର ବଜାରରେ ଡିଜିଟାଲ ରାକ୍ଷୀ ଚାହିଦା ଅଧିକ ରହିଛି। ପୂର୍ବବର୍ଷରେ ଯଦିଓ ଏହି ରାକ୍ଷୀ ବଜାରକୁ ଆସିଥିଲା, ହେଲେ ସବୁ ଦୋକାନରେ ଉପଲବ୍ଧ ହେଉନଥିଲା। ଏଥର କିନ୍ତୁ ପ୍ରାୟ ସବୁ ଦୋକାନୀ ଡିଜିଟାଲ ରାକ୍ଷୀକୁ ଗୁରୁତ୍ବ ଦେଇଛନ୍ତି। ଲୋକେ ଏହି ରାକ୍ଷୀ କିଣିବା ପାଇଁ ହେଲେ ଭାଇଙ୍କର ଫଟୋ ଆଣି ଦୋକାନୀ ଠାରେ ଦେବାକୁ ପଡ଼ୁଛି। ଫଟୋ ଦେବାର ତିନି ଦିନ ମଧ୍ୟରେ ଦୋକାନୀ ରାକ୍ଷୀ ତିଆରି କରି ଗ୍ରାହକଙ୍କୁ ଦେଉଛନ୍ତି। ଯାହାର ମୂଲ୍ୟ ୨୫୦ ଟଙ୍କାରୁ ଆରମ୍ଭ ୪ ଶହ ଟଙ୍କା ପର୍ଯ୍ୟନ୍ତ ରହିଛି। ଗ୍ରାହକ ଏହାକୁ ଖୁସି ହୋଇ କିଣୁଥିବା ଦୋକାନୀ ସଞ୍ଜୟ କହିଛନ୍ତି।

କପୁଲ୍‌ ବା ପେୟାର ରାକ୍ଷୀ
ଏଥର ବଜାରକୁ ନୂଆକରି କପୁଲ୍‌ ରାକ୍ଷୀ ଆସିଛି। ଗୋଟିଏ ରାକ୍ଷୀ ସହିତ ଆଉ ଏକ ରାକ୍ଷୀ ମିଶିକି ରହିଛି। ଭଉଣୀଟିଏ ଭାଇକୁ ରାକ୍ଷୀ ବାନ୍ଧିଲେ ଭାଉଜ ହାତରେ ମଧ୍ୟ ବାନ୍ଧିବ। ସେମିତି ଭାଇ ଓ ଭଉଣୀ ଉଭୟ ଏହି ରାକ୍ଷୀ ପରସ୍ପରକୁ ବାନ୍ଧିପାରିବେ। ଏହି ରାକ୍ଷୀ ୧୦୦ ଟଙ୍କାରୁ ୬ ଶହ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ରହିଛି। ବଜାରକୁ ନୂଆକରି ଆସିଥିବା ଏହି ରାକ୍ଷୀକୁ ଗ୍ରାହକ ଆଗ୍ରହର ସହ କିଣୁଥିବା ଦୋକାନୀ ସଞ୍ଜିବ ସେନ୍‌ କହିଛନ୍ତି।

ସୁନା ଓ ଚାନ୍ଦି ରାକ୍ଷୀ
ବଜାରରେ ଏଥର ସୁନା ଓ ଚାନ୍ଦିରେ ତିଆରି ରାକ୍ଷୀ ବିକ୍ରି ହେଉଛି। ଗ୍ରାହକଙ୍କ ଅର୍ଡର ଅନୁସାରେ ଦୋକାନୀମାନେ ତିଆରି କରି ଏହାକୁ ବିକ୍ରି କରୁଛନ୍ତି। ଚାନ୍ଦି ରାକ୍ଷୀ ୪ ଶହ ଟଙ୍କାରୁ ଆରମ୍ଭ କରି ୧୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ବୋଲି ଦୋକାନୀ ଦିଲ୍ଲୀପ କୁମାର ଦାସ କହିଛନ୍ତି। ସେହିପରି ଗ୍ରାହକ ସୁନାର ଓଜନ ଅନୁସାରେ ଯେମିତି ରାକ୍ଷୀ ଚାହୁଁଛନ୍ତି ସେହିଅନୁସାରେ ଦୋକାନୀ ତିଆରି କରି ଦେଉଛନ୍ତି। ଏହି ରାକ୍ଷୀର ସର୍ବନିମ୍ନ ମୂଲ୍ୟ ୩ ହଜାରରୁ ଆରମ୍ଭ ହୋଇଛି। ଏହା ବଜାରରେ ପ୍ରଥମକରି ବିକ୍ରି ହେଉଥିବା ବେଳେ ଗ୍ରାହକ ବି ଭାଇ ପାଇଁ ଅତି ଆନନ୍ଦର ସହ ଏହାକୁ କିଣୁଛନ୍ତି। ରାକ୍ଷୀ ପୂର୍ଣ୍ଣମୀରେ ଭଉଣୀର ଏପରି ମନ‌ଲୋଭା ରାକ୍ଷୀ ଦେଖି ଭାଇ ନିଶ୍ଚିତ ଖୁସି ହେବ।

publive-image

ଭଉଣୀଙ୍କ ପାଇଁ କୁନ୍ଦନ ଓ ନଟକନ୍‌ ରାକ୍ଷୀ
ଭାଇଙ୍କ ପରି ଏଥର ଭଉଣୀମାନଙ୍କ ପାଇଁ ବଜାରରେ ବିଭିନ୍ନ ଡିଜାଇନ୍‌ର ରାକ୍ଷୀ ଉପଲବ୍ଧ ହୋଇଛି। ବିଶେଷକରି କୁନ୍ଦନ ଓ ନଟକନ୍‌ ରାକ୍ଷୀ ଅଧିକ ବିକ୍ରି ହେଉଛି। ଏହି ରାକ୍ଷୀ ୧୨୦ ଟଙ୍କାରୁ ଆରମ୍ଭ ୩/୪ ଶହ ଟଙ୍କା ପର୍ଯ୍ୟନ୍ତ ରହିଛି। ଭଉଣୀଟି ଭାଇ ପାଇଁ ରାକ୍ଷୀ କିଣୁଥିବା ବେଳେ ନିଜ ପାଇଁ ବି ଏହି ରାକ୍ଷୀ କିଣୁଛନ୍ତି। ସେହିପରି ଭାଇମାନେ ବି ଭଉଣୀଙ୍କ ପାଇଁ ଏହି ରାକ୍ଷୀ କିଣୁଥିବା ଦେଖିବାକୁ ମିଳିଛି।

ଥାଳି ରାକ୍ଷୀ
ଗୋଟିଏ ଥାଳିରେ ରାକ୍ଷୀ, ଚାଉଳ, ସିନ୍ଦୁର, ହଳଦୀ ଓ ମିଶ୍ରିର ପ୍ୟାକେଟ୍‌ ରହିଛି। ଏହି ଥାଳି ରାକ୍ଷୀକୁ ଦୂରରେ ରହୁଥିବା ଭାଇଙ୍କ ପାଖକୁ ପଠେଇବାର ସୁନ୍ଦର ଉପହାର। ଏହାର ମୂଲ୍ୟ ୧୦୦ ଟଙ୍କାରୁ ଆରମ୍ଭ କରି ୩୫୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଯାହାକୁ ଗ୍ରାହକ ଅଧିକ ପସନ୍ଦ କରୁଥିବା ଦୋକାନୀ ସନ୍ତୋଷ ସାହୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe