ସୁନା ବିସ୍କୁଟ୍ ଓ ହୀରା ହାର ଜବତ: ୧୦ କୋଟିର ସମ୍ପତ୍ତି ଠାବ

Advertisment

ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ

ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ

ସୁନା ବିସ୍କୁଟ୍ ଓ ହୀରା ହାର ଜବତ: ୧୦ କୋଟିର ସମ୍ପତ୍ତି ଠାବ

ଭୁବନେଶ୍ବର/କଟକ: ରାଜଧାନୀରେ ବିଳାସପୂର୍ଣ୍ଣ କୋଠା। ଭୁବନେଶ୍ବର ଓ କଟକ ପ୍ରମୁଖ ସ୍ଥାନରେ ପ୍ଲଟ୍‌। ବ୍ୟାଙ୍କ, ମ୍ୟୁଚୁଆଲ୍‌ ଫଣ୍ଡରେ ବିପୁଳ ଟଙ୍କା ନିବେଶ; ଆଲ୍‌ମିରାରେ ପୁଳାପୁଳା ସୁନାଗହଣା, ହୀରା। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ଉ ‌ବେଳେ କେନ୍ଦ୍ରାପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ କୁମାର ମହାପାତ୍ରଙ୍କ ଏଭଳି ସମ୍ପତ୍ତି ଦେଖି ଅଧିକାରୀଙ୍କ ଆଖି ଖୋସି ହୋଇଯାଇଛି। ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ କଟକଙ୍କ ନି‌ର୍ଦେଶକ୍ରମେ ଭିଜିଲାନ୍ସର ୫ଟି ଟିମ୍‌ ଆଜି ଶ୍ରୀ ମହାପାତ୍ରଙ୍କ କଟକ ନୂଆପଡ଼ାସ୍ଥିତ ପୈତୃକ ଘର, ଭୁବନେଶ୍ବରସ୍ଥିତ ଆବାସିକ ଘର, କେନ୍ଦ୍ରାପଡ଼ାସ୍ଥିତ ସରକାରୀ କାର୍ଯ୍ୟାଳୟ ଆଦି ସ୍ଥାନରେ ଚଢ଼ଉ କରି ୧୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଛନ୍ତି। ଏହି ସମ୍ପତ୍ତିରେ ସୁନା ଓ ହୀରାହାର ବି ରହିଛି।

ଚଢ଼ଉ ବେଳେ ଭୁବନେଶ୍ବର ଓ କଟକରେ ଶ୍ରୀ ମହାପାତ୍ରଙ୍କର ୨ଟି ବିଳାସପୂର୍ଣ୍ଣ କୋଠା ଠାବ କରାଯାଇଛି। ଭୁବନେଶ୍ବରର ଲିଙ୍ଗିପୁର ଅଞ୍ଚଳରେ ଥିବା ଦୁଇମହଲା କୋଠାର ଆନୁମାନିକ ବଜାର ମୂଲ୍ୟ ୪ କୋଟିରୁ ଊର୍ଧ୍ବ ଓ କଟକ କଲ୍ୟାଣନଗର ଅଞ୍ଚଳରେ ଠାବ ହୋଇଥିବା ଏକ ମହଲା କୋଠାର ମୂଲ୍ୟ ୫୦ ଲକ୍ଷରୁ ଊର୍ଧ୍ବ ହେବ। ଏହାସହିତ ଭୁବନେଶ୍ବରର ଲିଙ୍ଗିପୁର ଓ କଟକ କଲ୍ୟାଣନଗରର ପ୍ରମୁଖ ସ୍ଥାନରେ ୨ଟି ପ୍ଲଟ୍‌ ରହିଛି, ଯାହାର ମୂଲ୍ୟ କୋଟିଏରୁ ଊର୍ଧ୍ବ ହେବ ବୋଲି ଆକଳନ କରାଯାଇଛି। ଏ ପର୍ଯ୍ୟନ୍ତ ତାଙ୍କ ଘରୁ ନଗଦ ୧,୨୧,୫୦୦ ଟଙ୍କା, ୮୫୦ ଗ୍ରାମ ଓଜନର ସୁନାଗହଣା, ହୀରାହାର, ଲକ୍ଷାଧିକ ଟଙ୍କାର ଆସବାବପତ୍ର ଜବତ କରାଯାଇଛି। ଗୋଟିଏ କାର୍‌ ଓ ୨ଟି ବାଇକ୍‌, ବୀମା ଓ ବଣ୍ଡ୍‌ ଜମା, ଏକାଧିକ ବ୍ୟାଙ୍କର ଲକର୍‌ ଓ ‌କିଛି ବ୍ୟାଙ୍କର ଜମା ହିସାବ କରାଯାଉଛି। ଏ ପର୍ଯ୍ୟନ୍ତ ହୋଇଥିବା ହିସାବରୁ ବ୍ୟାଙ୍କରେ ୬୯,୦୯,୦୬୯ ଟଙ୍କା, ପୋଷ୍ଟାଲ୍‌ରେ ୧,୩୪,୦୦,୫୦୫ଟଙ୍କା ଓ ମ୍ୟୁଚୁଆଲ୍‌ ଫଣ୍ଡରେ ୮୩,୦୦୦,୦୦ ଟଙ୍କା ଜମା ଥିବା ଜଣାପଡ଼ିଛି। ଶ୍ରୀ ମହାପାତ୍ରଙ୍କର ଗୋଟିଏ ଚାରିଚକିଆ ଗାଡ଼ି ଓ ଦୁଇଟି ଦୁଇଚକିଆ ଗାଡ଼ି ମଧ୍ୟ ଜବତ ହୋଇଛି। ବର୍ତ୍ତମାନ ସୁଦ୍ଧା ଠାବ ହୋଇଥିବା ସ୍ଥାବର, ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହେବ। ଚଢ଼ଉ ଜାରି ରହିଥିବା ବେଳେ ଆଗକୁ ସମ୍ପତ୍ତି ପରିମାଣ ବଢ଼ିବ ବୋଲି ଅନୁମାନ କରାଯାଉଛି। ଏ ନେଇ ଭିଜିଲାନ୍ସ ଟିମ୍‌ ଅଧିକ ଖୋଳତାଡ଼ କରୁଛି। ୪ ଜଣ ଡିଏସ୍‌ପିଙ୍କ ନେତୃତ୍ବରେ ଜଣେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ, ୫ ଜଣ ଇନ୍‌ସପେକ୍ଟର ଓ ଅନ୍ୟ କର୍ମଚ‌ାରୀମାନେ ଚଢ଼ଉରେ ସାମିଲ ହୋଇଥିଲେ।

ଲାଞ୍ଚ ନେଇ ଧରାପଡ଼ିଲେ ଆଇସିଡିଏସ୍‌ ସୁପରଭାଇଜର୍‌
ଫୁଲବାଣୀ/ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଆଇସିଡିଏସ୍‌ ସୁପରଭାଇଜର୍‌ ଶୈଳବାଳା ସାହୁ ଜଣେ ଅଙ୍ଗନବାଡ଼ି କର୍ମୀଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ଭିଜିଲାନ୍‌ସ ହାତରେ ଧରାପଡ଼ିଛନ୍ତି। ସଲାଗୁଡ଼ା ପଞ୍ଚାୟତ ମୁର୍ଜା ଗ୍ରାମର ଅଙ୍ଗନବାଡ଼ି କର୍ମୀ ପ୍ରେମଶିଳା କହଁରଙ୍କୁ ମିନି ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ କରାଇଦେବା, ଅଙ୍ଗନବାଡ଼ି କର୍ମୀଙ୍କ ବର୍ଦ୍ଧିତ ଦରମା ପ୍ରଦାନ ଓ ଅଙ୍ଗନବାଡ଼ି ୟୁନିଫର୍ମ ଯୋଗାଇ ଦେବା ବାବଦରେ ସୁପରଭାଇଜର୍‌ ଶୈଳବାଳା ସାହୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ପ୍ରେମଶିଳା ଭିଜିଲାନ୍‌ସର ଦ୍ବାରସ୍ଥ ହୋଇଥିଲେ। ଶୁକ୍ରବାର ଆଇସିଡିଏସ୍‌ କାର୍ଯ୍ୟାଳୟରେ ସୁପରଭାଇଜର ଶୈଳବାଳା ସାହୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଫୁଲବାଣୀ ଭିଜିଲାନ୍‌ସ ଡିଏସ୍‌ପି ହେମନ୍ତ କୁମାର ମହାନ୍ତିଙ୍କ ନେତୃତ୍ବରେ ଏକ ଟିମ୍‌ ତାଙ୍କୁ କାବୁ କରି ନେଇଥିଲା। ଶୈଳବାଳାଙ୍କ ଦୁଇଟି ଠିକଣାରେ ଭିଜିଲାନ୍‌ସ ଚଢ଼ାଉ ଜାରି ରଖିଛି। ଏ ନେଇ ବ୍ରହ୍ମପୁର ଭିଜିଲାନ୍‌ସ ପକ୍ଷରୁ (ନଂ ୧୨/୨୦୨୪)ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe