କେନ୍ଦୁଝରରେ କେନ୍ଦୁଝରରେ ସୁନାଖଣି: ୪୫ ବର୍ଷ ହେଲା ଚାଲିଛି ସର୍ଭେ, ବିଲକୁ ଯାଇ ପାରୁନାହାନ୍ତି ଚାଷୀ

Advertisment

କେନ୍ଦୁଝରରୁ ସୁନା ମିଳିବ। କେନ୍ଦୁଝର ତଥା ଓଡ଼ିଶାର ଭାଗ୍ୟ ବଦଳିଯିବ। ଓଡ଼ିଶା ଧନୀ ହୋଇଯିବ। ଲୁହାପଥର ଓ ଅନ୍ୟ ଖଣିଜ ଦ୍ରବ୍ୟ ଭଳି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ର ତରମାକାନ୍ତ ପଞ୍ଚାୟତ...

କେନ୍ଦୁଝରରୁ ସୁନା ମିଳିବ। କେନ୍ଦୁଝର ତଥା ଓଡ଼ିଶାର ଭାଗ୍ୟ ବଦଳିଯିବ। ଓଡ଼ିଶା ଧନୀ ହୋଇଯିବ। ଲୁହାପଥର ଓ ଅନ୍ୟ ଖଣିଜ ଦ୍ରବ୍ୟ ଭଳି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ର ତରମାକାନ୍ତ ପଞ୍ଚାୟତ...

gold mine

ଗଦାଧର ପଣ୍ଡା
ଯାଜପୁର: କେନ୍ଦୁଝରରୁ ସୁନା ମିଳିବ। କେନ୍ଦୁଝର ତଥା ଓଡ଼ିଶାର ଭାଗ୍ୟ ବଦଳିଯିବ। ଓଡ଼ିଶା ଧନୀ ହୋଇଯିବ। ଲୁହାପଥର ଓ ଅନ୍ୟ ଖଣିଜ ଦ୍ରବ୍ୟ ଭଳି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ର ତରମାକାନ୍ତ ପଞ୍ଚାୟତ ଜଳଡ଼ିହା ଗାଁ ପାଖରେ ଏଭଳି ଏକ ସୁନାଖଣିର ସନ୍ଧାନ ମିଳିଛି। ବହୁଦିନ ହେଲା କେନ୍ଦୁଝରବାସୀ ଏହା ଶୁଣି ଆସୁଛନ୍ତି। ୪୫ ବର୍ଷ ହେଲା ଏହି ସୁନାଖଣି ପାଇଁ ନିରନ୍ତର ସର୍ଭେ କରାଯାଉଛି। ସର୍ଭେ ବାବଦରେ କୋଟିକୋଟି ଟଙ୍କା ଖର୍ଚ୍ଚ ସରିଲାଣି। ସର୍ଭେ କାରଣରୁ ଜଳଡ଼ିହା ଗାଁର ଶହେ ଏକର ପାଖାପାଖି ପଟ୍ଟାଭୁକ୍ତ ଜମି ପଡ଼ିଆ ପଡ଼ିଛି। ଗ୍ରାମବାସୀ ନିଜ ଜମିକୁ ଚାଷ କରିବାକୁ ଯାଇପାରୁନାହାନ୍ତି। ଚାଷ ହେଉନଥିବାରୁ ଜମି ଶାଳ ଜଂଗଲ ପାଲଟିଲାଣି। ତେବେ ଏହି ସୁନାଖଣି ପ୍ରହେଳିକା ନା ବାସ୍ତବତା ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। 

ତଥ୍ୟ ମୁତାବକ, ଗତ ୭୦ ଦଶକରେ କେନ୍ଦୁଝରର ବାଂଶପାଳ ବ୍ଲକ୍‌ ଜଳଡ଼ିହାରେ ଏକ ସୁନାଖଣି ଥିବା ସନ୍ଧାନ କରାଯାଇଥିଲା। ୭୦ ଦଶକରେ ପ୍ର‌ଥମେ ଏହାର ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିଲା। ହାତରେ ଖୋଳି ୧୮୦ ମିଟର ତଳୁ କୋର୍‌, ଖଣିଜ ଦ୍ରବ୍ୟ ବାହାର କରି ହେମଦସ୍ତାରେ ଗୁଣ୍ଡ କରି ଏହାକୁ ପରୀକ୍ଷା କରିବାକୁ କଲିକତା ପଠାଯାଉଥିଲା। ପର୍ଯ୍ୟାୟ କ୍ରମେ ମେସିନ୍‌ ସାହାଯ୍ୟରେ ଏହାର ଖନନ କରାଗଲା। ପ୍ରତିବର୍ଷ ଏକ କ୍ୟାମ୍ପ ଅଫିସ ଖୋଲାଯାଇ ଏହାର ଖନନ କରାଯାଇ ନମୁନା ସଂଗ୍ରହ କରାଯାଉଛି। ପୁଣି କିଛିଦିନ ଶିବିର ବନ୍ଦ ରଖିବା ପରେ ପୁନଶ୍ଚ ଖନନ କରାଯାଉଛି। ବହୁବର୍ଷ ହେଲା ସୁନା ଖଣି ପାଇଁ ଏଭଳି ନିରନ୍ତର ସର୍ଭେ କରାଯାଉଛି।୪ ଦଶନ୍ଧି ଧରି ଚାଲିଥିବା ଏହି ସର୍ଭେରୁ କୌଣସି ସ୍ପଷ୍ଟତା ଆସିପାରୁନାହିଁ। ୧୫ଜଣ କର୍ମଚାରୀ ନିୟମିତ ବ୍ୟବଧାନରେ ଜଳଡ଼ିହାରେ କରୁଥିବା ସର୍ଭେ କାର୍ଯ୍ୟରେ କୋଟିକୋଟି ଟଙ୍କା ବ୍ୟୟ କରାଯାଉଛି। ଏଠାରେ ୪୦୦ ଫୁଟ୍‌ ତଳୁ ନମୁନା ସଂଗ୍ରହ କରାଯାଉଛି।

ଇତିମଧ୍ୟରେ ୩୦୦୦ ମିଟର ଲକ୍ଷ୍ୟଧାର୍ଯ୍ୟ ପୂରଣ ହୋଇ ନମୁନା ସଂଗ୍ରହ ସରିଛି। ଆଉ ୪୮୦ ମିଟର ଖୋଳା କାର୍ଯ୍ୟ ସାରିବା ପରେ ଏପ୍ରିଲ ଦ୍ବିତୀୟ ସପ୍ତାହରେ ସର୍ଭେ କାର୍ଯ୍ୟ ଏ ବର୍ଷ ପାଇଁ ବନ୍ଦ କରାଯିବ ବୋଲି ଜଣାପଡ଼ିଛି। ପୁଣି ବର୍ଷାଦିନ ପରେ ଟିମ୍‌ ଡେରା ପକାଇବ। ତେବେ ଅର୍ଥ ଆତ୍ମସାତ ଉଦ୍ଦେଶ୍ୟରେ ଏଭଳି ସର୍ଭେ କରାଯାଉନାହିଁ ତ? ତାକୁ ନେଇ ସ୍ଥାନୀୟ ଲୋକେ ସନ୍ଦେହ କରିବା ଆରମ୍ଭ କଲେଣି। ବହୁ ଦିନର ସର୍ଭେକୁ ନେଇ ଅଞ୍ଚଳବାସୀ ବିରକ୍ତି ପ୍ରକାଶ କଲେଣି। ବିନା କ୍ଷତିପୂରଣରେ ସେମାନଙ୍କ ପଟ୍ଟାଭୁକ୍ତ ଜମିରେ ସର୍ଭେ କରାଯାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଲାଣି। ସୁନାର ସନ୍ଧାନ ମିଳିଲେ ଜମି କ୍ଷତିପୂରଣ ବାବଦରେ ଭଲ ଦି ପଇସା ପାଇବା ଆଶାରେ ବର୍ଷବର୍ଷ ଧରି ନିରବ ଥିବା ଗ୍ରାମବାସୀ ମୁହଁ ଖୋଲିବା ଆରମ୍ଭ କରିଛନ୍ତି। ଏଠାରେ ସୁନାଖଣିର ସମ୍ଭାବନା କେତେ ପ୍ରତିଶତ ରହିଛି ସରକାର ତାହା ତୁରନ୍ତ ଜଣାନ୍ତୁ ନହେଲେ ଗରିବ ଚାଷୀଙ୍କ ଜମିକୁ ମୁକ୍ତ କରନ୍ତୁ ବୋଲି ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe