ବିମାନବନ୍ଦରରୁ ୨କୋଟିର ସୁନା ଜବତ, ପାଦରେ ସେଲୋଟେପ୍‌ ମାରି ସୁନା ରଖିଥିଲେ

ବିମାନବନ୍ଦରରୁ ୨କୋଟିର ସୁନା ଜବତ, ପାଦରେ ସେଲୋଟେପ୍‌ ମାରି ସୁନା ରଖିଥିଲେ

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆଜି ପୁଣି ବିଦେଶୀ ସୁନା ଜବତ ହୋଇଛି। ବିମାନବନ୍ଦରର କଷ୍ଟମ୍‌ସ ବିଭାଗ ମାଲେସିଆରୁ ଆସିଥିବା ୩ଜଣ ପ୍ରବାସୀ ଭାରତୀୟଙ୍କ ଠାରୁ ଏହି ସୁନା ଜବତ କରିଛନ୍ତି। ଜବତ ହୋଇଥିବା ସୁନାର ପରିମାଣ ପ୍ରାୟ ୨କୋଟି ଟଙ୍କା ହେବ ବୋଲି କଷ୍ଟମ୍‌ସ ବିଭାଗ ପକ୍ଷରୁ କୁହାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ କ୍ୱାଲାଲମ୍ପୁରରୁ ଭୁବନେଶ୍ୱର ଆସିଥିବା ଏୟାର ଏସିଆ ବିମାନରେ ଆସିଥିବା ତିନି ଜଣ ପ୍ରବାସୀ ଭାରତୀୟଙ୍କର ଯାଞ୍ଚ ସମୟରେ ଏହି ଚୋରା ସୁନା ଆସିଥିବା ଜଣାପଡ଼ିଥିଲା। ଯାତ୍ରୀମାନେ ପାଦରେ ବଡ଼ ସେଲୋଟେପ୍‌ ମାରି ୫ଟି ସୁନା ଖଣ୍ଡ ଏବଂ ଲ୍ୟାପଟପ୍‌ ଭିତରେ ଗୋଟିଏ ସୁନା ଖଣ୍ଡ ରଖିଥିଲେ। ତିନି ଜଣଙ୍କ ଠାରୁ ୫.୮୨୨ କେଜି ସୁନା ଜବତ ହୋଇଥିବାବେଳେ ଏହାର ବଜାର ମୂଲ୍ୟ ୧.୮୨କୋଟିରୁ ଅଧିକ ହେବ ବୋଲି କଷ୍ଟମ୍‌ସ ବିଭାଗ ପକ୍ଷରୁ କୁହାଯାଇଛି।

ବିମାନବନ୍ଦରର କଷ୍ଟମ୍‌ସ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, କ୍ୱାଲାଲମ୍ପୁରରୁ ଆସିଥିବା ସମସ୍ତ ଯାତ୍ରୀଙ୍କର କଷ୍ଟମ୍‌ସ ଚେକିଂ ସମୟରେ କୌଣସି ସନ୍ଦିଗ୍ଧ ସାମଗ୍ରୀ ଥିବା ଜଣାପଡ଼ିନଥିଲା। କିନ୍ତୁ ତିନି ଜଣ ଯାତ୍ରୀ ଛୋଟେଇ ଛୋଟେଇ ଚାଲୁଥିଲେ। ଏପରିକି ସେମାନଙ୍କ ଚାଲିଚଳଣ ସନ୍ଦେହଜନକ ଥିଲା। ତେଣୁ ସେମାନଙ୍କୁ ଜୋତା ଖୋଲିବାକୁ କୁହାଯାଇଥିଲା। ଏହାପରେ ଜଣାପଡ଼ିଥିଲା ଯେ, ସେମାନେ ପାଦରେ ସେଲୋଟେପ୍‌ ଗୁଡ଼ାଇ ସୁନା ଖଣ୍ଡ ଆଣିଛନ୍ତି। ଏହାପରେ ସେମାନଙ୍କ ବ୍ୟାଗ୍‌ ତନ୍ନତନ୍ନ କରି ଯାଞ୍ଚ କରିବାରୁ ଜଣାପଡ଼ିଥିଲା ଯେ, ଜଣଙ୍କର ଲ୍ୟାପଟ୍ୟାପ୍‌ ମଦର ବୋର୍ଡ ପାଖରେ ସୁନା ବିସ୍କୁଟ ଖଣ୍ଡେ ରଖାଯାଇଛି।

ଏହି ସମସ୍ତ ସୁନା ବ୍ୟାଙ୍କକ୍‌ରୁ ଅଣାଯାଇଥିବା ଜଣାପଡ଼ିଛି। ସୁନା ଖଣ୍ଡଗୁଡ଼ିକ ବ୍ୟାଙ୍କକ୍‌ରୁ କ୍ୱାଲାଲମ୍ପୁର ଭାୟା ହୋଇ ଭୁବନେଶ୍ୱର ଅଣାଯାଇଥିଲା। ଏହାପରେ ତିନି ଜଣ ଯାତ୍ରୀଙ୍କୁ ଅଟକ ରଖି ଅଧିକ ପଚରାଉଚରା ଚାଲିଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ଯାତ୍ରୀମାନେ ବ୍ୟାଙ୍କକ୍‌ର ଏକ ଘରୁ ଏହି ସୁନା ଆଣିଥିଲେ। ଏହାକୁ ସେମାନେ ଭୁବନେଶ୍ୱର ବିମାନବନ୍ଦର ବାହାରେ ଜଣେ ବ୍ୟକ୍ତିଙ୍କୁ ଦେଇଥାନ୍ତେ। ଯାତ୍ରୀମାନେ ବିମାନବନ୍ଦରରୁ ବାହାରକୁ ବାହାରିଥିଲେ ତାଙ୍କୁ ଉକ୍ତ ବ୍ୟକ୍ତି ଜଣଙ୍କ ଫୋନ୍‌ କରି ସୁନା ନେଇଥାନ୍ତେ। ଯେଉଁ ବ୍ୟକ୍ତି ଜଣଙ୍କ ସୁନା ନେଇଥାନ୍ତେ ସେମାନଙ୍କୁ ପ୍ରବାସୀ ଭାରତୀୟମାନେ ଚିହ୍ନି ନାହାନ୍ତି ବୋଲି କହିଛନ୍ତି। ଏହି ବ୍ୟକ୍ତିଙ୍କ ନିକଟରେ କେବଳ ସୁନା ପହଞ୍ଚାଇ ଦେବାକୁ କୁହାଯାଇଥିଲା। ଏଥିପାଇଁ ସେମାନେ କେତେ ଟଙ୍କା ନେଇଛନ୍ତି, ଯାହା ବୟାନ ଦେଇଛନ୍ତି ତାହା ସତ କି ମିଛ ସେନେଇ ଅଧିକ ପଚରାଉଚରା ଚାଲିଛି ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe