ସାମ୍ବାଦିକଙ୍କ ଘର ଝରକା ତାଡ଼ି ନେଇଗଲେ ୮ଲକ୍ଷ ଟଙ୍କାର ସୁନା ଗହଣା

ସାମ୍ବାଦିକଙ୍କ ଘର ଝରକା ତାଡ଼ି ନେଇଗଲେ ୮ଲକ୍ଷ ଟଙ୍କାର ସୁନା ଗହଣା

ବାଲିଅନ୍ତା: ବାଳକାଟି ଫାଣ୍ଡି ଠାରୁ ମାତ୍ର ୧୦୦ ମିଟର ଦୂର ଜଗନ୍ନାଥ କଲୋନିରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଲୁଟ ହୋଇଛି। ବାଳକାଟି ଅଞ୍ଚଳର ଜଣେ ଜଣାଶୁଣା ସାମ୍ବାଦିକ ମନୋଜ କୁମାର ମଣ୍ଡଳଙ୍କ ଶୋଇବା ଘର ଝରକା ତାଡ଼ି ୧୩୦ ଗ୍ରାମ ଓଜନର ସୁନାଗହଣା ଲୁଟି ନେଇଛନ୍ତି। ଲୁଟ ଗହଣାର ମୂଲ୍ୟ ୬ ଲକ୍ଷ ଟଙ୍କାୁ ଅଧିକ ହେବ ବୋଲି ଜଣାଯାଇଛି। ଲୁଟ ସୁନାଗହଣା ମଧ୍ୟରେ ରହିଛି,୧୮ ଗ୍ରାମ ଓଜନର ଗୋଟିଏ ମଙ୍ଗଳସୂତ୍ର, ୪୦ ଗ୍ରାମ ଓଜନର ଦୁଇଟି ସୁନା ହାର, ସୁନାଚେନ, ୧୮ ଗ୍ରାମର ଚୂଡ଼, ବାହୁଟି, ୧୨ ଗ୍ରାମ ଓଜନର ତିନିଟି ମୁଦି , ୧୭ ଗ୍ରାମର ୬ହଳ କାନଫୁଲ, ଲକେଟ  ଓ ପେଣ୍ଡିଫୁଲ ଓ ତିନିହଳ ରୂପା ପାଇଁଜି ଓ ଗୋଟିଏ ଦାମି ହାତଘଣ୍ଟା। ଏଥିସହିତ କବର୍ଟ କ୍ୟାସ ଡ୍ର ତାଲା ଭାଙ୍ଗି ସେଥିରେ ଥିବା ୫୩ ହଜାର ଟଙ୍କା ଲୁଟି ନେଇଛନ୍ତି। ଖବର ପାଇ ବାଳକାଟି ଫାଣ୍ଡି ଅଧିକାରୀ ମମତାଜ ଅଲ୍ଲୀ ଖାନ ଓ ଥାନା ଅଧିକାରୀ ଯୁବରାଜ ସ୍ବାଇଁ ପ୍ରମୁଖ ସାଇଣ୍ଟିଫିକ ଟିମ ନେଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ହେଲେ ଲୁଟ ଘଟଣାକୁ ଏହା ମଧ୍ୟରେ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ପୁଲିସ ‌ଲୁଟେରାଙ୍କ ଟେର ପାଇପାରି ନାହିଁ।

ପୁଲିସ ତାଙ୍କ ଘରେ ଲାଗିଥିବା ସିସି କ୍ୟାମେରା ଫୁଟେଜ ଯାଞ୍ଚ କରିଥିଲେ ମଧ୍ୟ ଲୁଟେରାଙ୍କୁ ସଂପର୍କରେ କୌଣସି ଟେର ପାଇନାହିଁ। ସୂଚନା ଅନୁସାରେ ଗତକାଲି ରାତିରେ ମନୋଜ ପୁଅ ସହ ଉପର ମହଲାରେ ଶୋଇଥିଲେ। ଏହାର ସୁଯୋଗ ନେଇ ଲୁଟେରାମାନେ ବାଡ଼ିପଟ ପ୍ରାଚୀର ପଟେ ଆସି ଝରକା ତାଡ଼ି ଲୁଟପାଟ କରିଥିଲେ। ଆଲମିରା, କବର୍ଟ, ଆଟାଚ, ଓ କ୍ୟାସ ଡ୍ର ତାଲା ଭାଙ୍ଗି ଉପରୋକ୍ତ ରୂପା ଓ ସୁନାଗହଣା ସହିତ ଟଙ୍କା ଲୁଟି ନେଇଥିଲେ। ଘର ବାହାର ପଟ ଲକ ପଡ଼ିଥିବାରୁ ଏବଂ  ଏସି ଲାଗିଥିବାରୁ ପରିବାର ଲୋକ କିଛି ଜାଣିପାରିନଥିଲେ। ଲୁଟେରାମାନେ ଦୀର୍ଘ ସମୟ ଧରି ବେଧଡ଼କ ଭାବେ ଲୁଟପାଟ କରିଥିଲେ। ଏହା କୌଣସି ପେସାଦାର ଲୁଟେରା ଗ୍ୟାଙ୍ଗର କାମ ବୋଲି ପୁଲିସ ସନ୍ଦେହ କରୁଛି।

ମନୋଜଙ୍କ ଘର ନିକଟରୁ କିଛିଦୂରରେ ଏକ କାର ଦୀର୍ଘ ସମୟ ଧରି ରହିଥିବା କିଛି ପ୍ରତ୍ୟକ୍ଷ ଦର୍ଶୀ ପୁଲିସଙ୍କୁ ଜଣାଇଥିଲେ। ଏଥିସହିତ କିଛି ଅସାମାଜିକ ତତ୍ତ୍ବ ତାଙ୍କ ଘରଠାରୁ କିଛି ଦୂରାରେ ଆଡ୍ଡା ଜମାଇଥିବା ପୁଲିସ ଜାଣିବାକୁ ପାଇଛି। ସନ୍ଦିଗ୍ଧ ଯୁବକମାନଙ୍କୁ ପୁଲିସ ଥାନାକୁ ଉଠାଇ ନେଇ ପଚରାଉଚରା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନଙ୍କୁ ଠାବ କରିବାରେ ବିଫଳ ହୋଇଛି। ମନୋଜଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଚଳାଇଛି। ସୂଚନାଯୋଗ୍ୟ କିଛିଦିନ ତଳେ ମନୋଜଙ୍କ ଘର ପରିସରରେ ଥିବା ଦୁଇଟି ଲକ୍ଷାଧିକ ଟଙ୍କାର ଚନ୍ଦନ ଗଛ ଦୁର୍ବୃତ୍ତ ଲୁଟି ନେଇଥିଲେ ମଧ୍ୟ ପୁଲିସ ଓ ବନ ବିଭାଗ ସଂପୃକ୍ତ ଲୁଟେରାଙ୍କୁ ଗିରଫ କରିପାରି ନାହିଁ। ଫାଣ୍ଡି ପୁଲିସର ପାଟ୍ରୋଲିଂରେ ଚରମ ଅବହେଳା ଯୋଗୁ ଲୁଟ ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe