ପୁରୀ: ସରିଲା ସୁନାବେଶ, ଆରମ୍ଭ ହେଲା ବେଶ ଓଳାଗି

ଆସନ୍ତାକାଲି ଅଧରପଣା, ଜୁଲାଇ ୧୫ରେ ନୀଳାଦ୍ରୀବିଜେ

ପୁରୀ: ସରିଲା ସୁନାବେଶ, ଆରମ୍ଭ ହେଲା ବେଶ ଓଳାଗି

ପୁରୀ: ବିଶ୍ୱପ୍ରସିଦ୍ଧ ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜିଉ ମାନେ ଶନିବାର ଲକ୍ଷାଧିକ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି। ମହାପ୍ରଭୁଙ୍କ ଏହି ମନଲୋଭା ବେଶ ୪ଟାରୁ ଆରମ୍ଭ ହୋଇଥିଲା, ଯାହାକି ରାତି ୧୧ଟାରେ ଶେଷ ହୋଇଛି। ସୁନାବେଶ ପରେ ବେଶ ଓଗାଳି ଆରମ୍ଭ ହୋଇଯାଇଛି। ରଥ ଉପରେ ରବିବାର ଅଧରପଣା ନୀତି ହେବାକୁ ଥିବା ବେଳେ ଜୁଲାଇ ୧୫ରେ ଭଗବାନ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କୁ ପହଣ୍ଡି ବିଜେ କରି ରତ୍ନବେଦୀକୁ ନିଆଯିବ। ଏଥି ପାଇଁ ପ୍ରସ୍ତୁତି ଜୋରଦାର କରି ଦିଆଯାଇଛି।

ଆଜି ପ୍ରାୟ ୨୦୦ କିଲୋ ସ୍ୱର୍ଣ୍ଣ ଅଳଙ୍କାର ପିନ୍ଧାଇ ଶ୍ରୀଜିଉ ମାନଙ୍କୁ ସୁନାବେଶ କରାଯାଇଥିଲା। ଭକ୍ତମାନେ ଭାବବିଭୋର ହୋଇ ରଥ ଉପରେ ବିରାଜମାନ ଠାକୁରଙ୍କୁ ଦର୍ଶନ କରିଥିଲେ। ମହାପ୍ରଭୁଙ୍କୁ ଆତକାନି, ଘାଘରାମାଳ, କିରିଟି, ପାନପତରି ଆଦି ଅଳଙ୍କାର ପରିଧାନ କରାଯାଇଥିଲା। ସଂଜ ନଇଁବା ପରେ ସ୍ୱର୍ଣ୍ଣ ଅଳଙ୍କାର ଆହୁରି ଉଜ୍ୱଳ ଆଲୋକ ଦେଖାଯାଇଥିଲା।

ଶ୍ରୀମନ୍ଦିରର ରତ୍ନଭଣ୍ଡାରରୁ ଶ୍ରୀଜିଉଙ୍କର ଅଳଙ୍କାର ଗୁଡ଼ିକ ଅଣାଯାଇ ତିନି ରଥ ଉପରକୁ ନିଆଯାଇଥିଲା। ଏଥି ପାଇଁ କଡ଼ାସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ବହୁ ସଂଖ୍ୟାରେ ପୁଲିସ ମୁତୟନ କରାଯାଇଥିଲେ।

ଶ୍ରୀଜିଉଙ୍କର ଏହି ମନଲୋଭା ରାଜରାଜେଶ୍ୱର ବେଶ ଦେଖିବା ପାଇଁ ବିଶ୍ୱର ଚାରିଆଡୁ ଶ୍ରଦ୍ଧାଳୁଙ୍କର ଆଗମନ ହୋଇଛି। ସୁନାବେଶରେ ପ୍ରଭଳ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି। ସେହିପରି ଶୃଙ୍ଖଳିତ ଦର୍ଶନ ପାଇଁ ବେରିକେଡ ସହ ଓ୍ଵାନ୍‌-େଓ୍ଵ ବ୍ୟବସ୍ଥା କରାଯାଇଛି।

ଆଜି ରାତି ୧୧ଟାରେ ସୁନାବେଶ ଶେଷ ହେବା ପରେ ରବିବାର ସନ୍ଧ୍ୟାରେ ରଥ ଉପରେ ଅଧରପଣା ନୀତି ଅନୁଷ୍ଠିତ ହେବ ଏବଂ ଆସନ୍ତା ୧୫ ତାରିଖରେ ନୀଳାଦ୍ରିବିଜେ ଦିନ ମହାବାହୁ ନୀଳକନ୍ଦରକୁ ବିଜେ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe