ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ସମାରୋହ: ଶାନ୍ତିସ୍ତୂପରୁ ଶାନ୍ତିର ବାର୍ତ୍ତା ଦେଲେ ନବୀନ

Advertisment

ସୁନ୍ଦର ବିଶ୍ବ ଗଠନ ପାଇଁ ଶାନ୍ତି ହିଁ ଏକମାତ୍ର ରାସ୍ତା

ସୁନ୍ଦର ବିଶ୍ବ ଗଠନ ପାଇଁ ଶାନ୍ତି ହିଁ ଏକମାତ୍ର ରାସ୍ତା

ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ସମାରୋହ: ଶାନ୍ତିସ୍ତୂପରୁ ଶାନ୍ତିର ବାର୍ତ୍ତା ଦେଲେ ନବୀନ

ଭୁବନେଶ୍ବର : ଶାନ୍ତିର ବିକଳ୍ପ ନାହିଁ। ସବୁ ଯୁଗରେ ଏହାର ଗୁରୁତ୍ବ ରହିଛି। ଏକ ସୁନ୍ଦର ବିଶ୍ବ ଗଠନରେ ଶାନ୍ତି ହିଁ ଏକମାତ୍ର ରାସ୍ତା। ଆମ ଭବିଷ୍ୟତ ବଂଶଧରଙ୍କ ପାଇଁ ଏବଂ ଏକ ନିରାପଦ ବିଶ୍ବ ପାଇଁ ସମସ୍ତେ ଏକାଠି ହୋଇ ଶାନ୍ତିର ବାର୍ତ୍ତା ବାଣ୍ଟିବା ବୋଲି ଆଜି ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଧଉଳି ଶାନ୍ତିସ୍ତୂପର ୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆରମ୍ଭ ହୋଇଛି। ଭାରତ ସମେତ ଜାପାନ, ଆମେରିକା, ୟୁକ୍ରେନ୍ ଓ କାଜ‌ାଖସ୍ତାନ ଭଳି ଦେଶରୁ ଶତାଧିକ ବୌଦ୍ଧ ସନ୍ନ୍ୟାସୀ/ଭିକ୍ଷୁ ଏହି ସମାରୋହରେ ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଓଡ଼ିଶାର ଇତିହାସ ପୃଷ୍ଠା ଧଉଳି ଓ କଳିଙ୍ଗ ଯୁଦ୍ଧରୁ ଆରମ୍ଭ ହୋଇଛି। କଳିଙ୍ଗ ଯୁଦ୍ଧ ରକ୍ତପାତରେ ଶେଷ ହୋଇଥିଲେ ବି ଧଉଳି ସମଗ୍ର ମାନବ ଜାତିର ନୈତିକ ବିଜୟର ପ୍ରତୀକ ହୋଇ ରହିଛି। ଏହି ସ୍ଥାନରେ ହିଁ ସମ୍ରାଟ ଅଶୋକ ଯୁଦ୍ଧ ଓ ରକ୍ତପାତର ଭୟାବହତାକୁ ହୃଦୟଙ୍ଗମ କରି ବୌଦ୍ଧ ଧର୍ମରେ ନିଜକୁ ଦୀକ୍ଷିତ କରିଥିଲେ। ଧଉଳି ଶାନ୍ତି ଓ ଐତିହ୍ୟର ବାର୍ତ୍ତା ଦେଇ ବିଶ୍ବ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିଥିଲା। ଏହି ମହାନ ସ୍ଥଳୀରେ ଶାନ୍ତିସ୍ତୂପ ପ୍ରତିଷ୍ଠାର ୫୦ବର୍ଷ ପୂର୍ତ୍ତି ନିଶ୍ଚିତଭାବେ ଗୌରବ ଓ ଆନନ୍ଦର ବିଷୟ।

publive-image

ଶାନ୍ତିସ୍ତୂପର ଆଧୁନିକ ନିର୍ମାଣଶୈଳୀ ବେଶ୍‌ ଉଚ୍ଚକୋଟୀର। ଭାରତ-ଜାପାନ ବନ୍ଧୁତ୍ବର ନିଦର୍ଶନ ସହ ବିଶ୍ବ ଶାନ୍ତି ଓ ପାରସ୍ପରିକ ସହଯୋଗର ଏକ ପ୍ରତୀକ। ଯୁଗ ଯୁଗ ଧରି ଏହି ସ୍ଥାନ ଶାନ୍ତିର ବାର୍ତ୍ତା ବାଣ୍ଟି ଚାଲିବ। ଶାନ୍ତିସ୍ତୂପର ନିର୍ମାଣରେ ନିପନଜାନ ୟୋହିଜୀର ପ୍ରତିଷ୍ଠାତା ଫୁଜି ଗୁରୁଜୀଙ୍କ ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ଏହାସହ କଳିଙ୍ଗ-ନିପନ ବୁଦ୍ଧ ସଂଘର ଅବଦାନକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ।

ସେ ଆହୁରି ମଧ୍ୟ କହିଥିଲେ ଯେ ଧଉଳିକୁ ଏକ ଅନ୍ତର୍ଜାତୀୟ ସ୍ତରର ପର୍ଯ୍ୟଟନ କେନ୍ଦ୍ରଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ଏହାର ବିକାଶ ଉପରେ ପଦ‌କ୍ଷେପ ଗ୍ରହଣ କରିଛନ୍ତି। ଦୟା ନଦୀର ବସନ୍ତପୁରଠାରେ ଏକ ବ୍ୟାରେଜ୍ ନିର୍ମାଣ କରାଯିବ। ଏହି ପ୍ରକଳ୍ପ ପାଇଁ ୯୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

publive-image

ଆରମ୍ଭରୁ ଧଉଳିରେ ଉପସ୍ଥିତ ବୌଦ୍ଧ ସନ୍ନ୍ୟାସୀମାନେ ମୁଖ୍ୟମନ୍ତ୍ରୀଙ୍କୁ ପାରମ୍ପରିକ ବାଦ୍ୟ ସହିତ ପାଛୋଟି ନେଇଥିଲେ। ସନ୍ନ୍ୟାସୀ ଜି. ନାକାସାତୋ ଓ ରବି ସାହୁ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥି‌ବା ବେଳେ ମକୋତୋ ମସୁଇ ଧନ୍ୟବାଦ ଦେଇଥିଲେ। ଜି.ନାକାସାତୋ ଉପଦେଶାବଳୀ ପାଠ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଅଶ୍ବିନୀ ପାତ୍ର, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ୫-ଟି ସଚିବ ଭିକେ ପାଣ୍ଡିଆନ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଶାନ୍ତିସ୍ତୂପର ନବୀକରଣ ପାଇଁ ଦେଢ଼ କୋଟି ଟଙ୍କା ‌ଖର୍ଚ୍ଚ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଅନୁଦାନ ପାଣ୍ଠିରୁ ଏକ କୋଟି ଟଙ୍କା ଦିଆଯାଇଥିଲା ବେଳେ ସ୍ଥାନୀୟ ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe