ଗତିପଥ ବଦଳାଉଛି ସୁବର୍ଣ୍ଣରେଖା: ୧୬.୭୯ କୋଟିର କାମ ଅଧପନ୍ତରିଆ, ଭୟରେ ଦିନ କାଟୁଛନ୍ତି ଦୁଇ ଗାଁର ଲୋକେ

ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ୍‌ ଅନ୍ତର୍ଗତ ବାଲିକବାଡ଼ ଓ କୁଆଁରପୁର ଗାଁ ନିକଟରେ ସୁବର୍ଣ୍ଣରେଖା ନଦୀ ଗତିପଥ ବଦଳାଉଛି।  ପରିସ୍ଥିତିକୁ ଦେଖି ସରକାର ଦୁଇଟି ପ୍ରକଳ୍ପ ପାଇଁ ୧୬.୭୯ କୋଟି ଟଙ୍କା ମଞ୍ଜୁର କରିଥିଲେ।

sfsfsxcxc

ଜଳେଶ୍ବର: ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ୍‌ ଅନ୍ତର୍ଗତ ବାଲିକବାଡ଼ ଓ କୁଆଁରପୁର ଗାଁ ନିକଟରେ ସୁବର୍ଣ୍ଣରେଖା ନଦୀ ଗତିପଥ ବଦଳାଉଛି।  ପରିସ୍ଥିତିକୁ ଦେଖି ସରକାର ଦୁଇଟି ପ୍ରକଳ୍ପ ପାଇଁ ୧୬.୭୯ କୋଟି ଟଙ୍କା ମଞ୍ଜୁର କରିଥିଲେ। ପ୍ରକଳ୍ପ କାମ ମନ୍ଥର ଗତିରେ ଚାଲିଥିବାରୁ ଏହି ଦୁଇ ଗ୍ରାମର ଲୋକେ ଆଶଙ୍କା ମଧ୍ୟରେ ଦିନ କାଟୁଛନ୍ତି। ସୂଚନା ଅନୁସାରେ, ସୁବର୍ଣ୍ଣରେଖା କୂଳ ଖାଉଥିବାରୁ ବାଲିକବାଡ଼ ଗାଁର ମହାପାତ୍ରପଡ଼ିଆ ନିକଟରେ ଥିବା ମୃତ୍ୟୁଞ୍ଜୟ ବକ୍ସି, କାର୍ତ୍ତିକ ବକ୍ସି, ପ୍ରିୟନାଥ ବକ୍ସି, ଜନ୍ମେଜୟ ବକ୍ସି, ରବୀନ୍ଦ୍ର ସିଂ, ବରେନ୍ଦ୍ର ସିଂ, ଅମୂଲ୍ୟ ମହାପାତ୍ର, ଅତୁଲ ମହାପାତ୍ର, ବିଜୟ ମହାପାତ୍ର, ବିଦ୍ୟାଧର ମହାପାତ୍ର, ସଂଗ୍ରାମ ଜେନାଙ୍କ ଘର ପ୍ରତି ବିପଦ ଦେଖାଦେଇଛି। ଗତ ଦୁଇବର୍ଷ ମଧ୍ୟରେ ଏସବୁ ପରିବାର ଭିଟାମାଟି ଛାଡ଼ି ଅନ୍ୟତ୍ର ଚାଲି ଯାଇଥିବା କହିଛନ୍ତି ଗାଁର ମନ୍ମଥ ପଣ୍ଡିତ। କେବଳ ବାଲିକବାଡ଼ ଗାଁ ନୁହେଁ, ମାକଡ଼ିଆ ପଞ୍ଚାୟତ କୁଆଁରପୁର ଗାଁର ମଧ୍ୟ ସମାନ ଅବସ୍ଥା। ଏଠାରେ ସୁବର୍ଣ୍ଣରେଖା ନଦୀ ଗତିପଥ ବଦଳାଇବା ଯୋଗୁଁ ବହୁ ସ୍ଥଳଭାଗ ନଦୀଗର୍ଭକୁ ଚାଲିଯାଇଛି।

୧୬.୭୯ କୋଟିର କାମ ଅଧପନ୍ତରିଆ
ଭୟରେ ଦିନ କାଟୁଛନ୍ତି ଦୁଇ ଗାଁର ଲୋକେ
ବାଧକ ସାଜିଛି ବନ୍ୟା ଓ ପଥର ଅଭାବ

ଅନ୍ୟପକ୍ଷରେ,  ସୁବର୍ଣ୍ଣରେଖା ଦାଉରୁ ସୁରକ୍ଷା ଲାଗି ବାଲିକବାଡ଼ ଗାଁ ପାଇଁ ୮ କୋଟି ୪୦ ଲକ୍ଷ ୪୬ ହଜାର ଟଙ୍କା ଓ କୁଆଁରପୁର ଗାଁ ପାଇଁ ୮ କୋଟି ୩୮ଲକ୍ଷ ୩୭ ହଜାର ଟଙ୍କା ସରକାର ମଞ୍ଜୁର କରିଥିଲେ। ଏହି ଟଙ୍କାରେ କୁଆଁରପୁର ଠାରେ ୫୬୦ ମିଟରର ପଥର ପ୍ୟାକିଂ ସହ ଗୋଟିଏ ହାଇଲେବଲ୍ ସ୍ପର୍‌ ଓ ବାଲିକବାଡ଼ ନିକଟରେ ୧୪୦ ମିଟର ପଥର ପ୍ୟାକିଂ ସହ ଦୁଇଟି ହାଇଲେବଲ୍ ସ୍ପର୍‌ ନିର୍ମାଣ ପାଇଁ ଯୋଜନା ହୋଇଥିଲା। ସେହି ଅନୁସାରେ ୨୦୨୪-୨୫ ଆର୍ଥିକ ବର୍ଷରେ ଟେଣ୍ଡର ହୋଇଥିଲା। ବାଲିକବାଡ଼ ତଟ ସୁରକ୍ଷା କାମ ୨୦୨୪ ଡିସେମ୍ବର ୨୬ରୁ ଆରମ୍ଭ ହୋଇ ଆସନ୍ତା ଡିସେମ୍ବର ୨୫ ତାରିଖରେ ଶେଷହେବା କଥା। ସେହିପରି, କୁଆଁରପୁର ତଟ ସୁରକ୍ଷା କାମ ୨୦୨୫ ଫେବ୍ରୁଆରି ୧୦ରୁ ଆରମ୍ଭ ହୋଇ ୨୦୨୬ ମସିହା ଫେବ୍ରୁଆରି ୯ରେ ଶେଷ ହେବା କଥା। ହେଲେ, ଏଯାଏଁ ବାଲିକବାଡ଼ଠାରେ ମାତ୍ର ୩୦ ପ୍ରତିଶତ ଓ କୁଆଁରପୁରଠାରେ ମାତ୍ର ୬୨ ପ୍ରତିଶତ କାର୍ଯ୍ୟ ହୋଇଛି। 

ଚଳିତ ବର୍ଷ ବାରମ୍ବାର ବନ୍ୟା ଓ ପଥର ମିଳୁ ନ ଥିବାରୁ ଧାର୍ଯ୍ୟ ଅବଧି ମଧ୍ୟରେ କାମ ଶେଷ ହେବାନେଇ ଆଶଙ୍କା ପ୍ରକାଶ ପାଇଛି। ଚଳିତବର୍ଷ ସୁବର୍ଣ୍ଣରେଖାରେ ୬ଥର ବନ୍ୟା ଆସିଥିବା ବେଳେ ନଦୀକୂଳରେ ଥିବା ଲୋକେ ଭୟରେ ଦିନ କାଟୁଛନ୍ତି ବୋଲି ଗୋପୀନାଥ ପଣ୍ଡିତ, ସମୀର ଘଡ଼େଇ, ରାଧାକାନ୍ତ ଘୋଷ, ସଞ୍ଜୟ ଘୋଷ, ଆଲୋକ ଘଡ଼େଇ, ପତିତପାବନ ଘୋଷ, ଗୋପାଳ ଘୋଷ, ଭବାନୀ ଶଙ୍କର ଘୋଷ, ରଘୁନାଥ ଘଡ଼େଇ କହିଛନ୍ତି। ସେହିପରି ଦୁଇଟି ପ୍ରକଳ୍ପ କାର୍ଯ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବାକୁ ଜଳେଶ୍ବର ବିଧାୟକ ଅଶ୍ୱିନୀ କୁମାର ପାତ୍ର ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe