ଜଳେଶ୍ବର: ସୁବର୍ଣ୍ଣରେଖା ନଦୀରୁ ମନଇଚ୍ଛା ବାଲି ଲୁଟିଛନ୍ତି। ୩ ବର୍ଷରେ ପ୍ରାୟ ୧୦୦ କୋଟି ଟଙ୍କାର ବାଲି ଚୋରାଚାଲାଣ ହୋଇଥିବା ଆକଳନ କରାଯାଉଛି। ଏଭଳି ବାଲି ଲୁଟ୍‌ ପଛରେ କୌଣସି ମାଫିଆ ନୁହେଁ ବରଂ ଜଣେ ଆର୍‌ଆଇ (ରାଜସ୍ବ ନିରୀକ୍ଷକ) ଓ ତାଙ୍କ ପରିବାରବର୍ଗ ସାମିଲ ଥିବା ଅଭିଯୋଗ ହୋଇଛି। ଚୋରା କାରବାର ପଦାରେ ପଡ଼ିବା ପରେ ସଂପୃକ୍ତ ଆର୍‌ଆଇ ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ତହସିଲ ଅଞ୍ଚଳରେ।

Advertisment

ED vs Mamata controversy: ଇଡି ବନାମ ମମତା ବିବାଦ ତେଜିଲା: ଏବେ ସୁପ୍ରିମ୍‌କୋର୍ଟରେ ଲଢ଼େଇ, ପ୍ରମାଣ ଚୋରି ଅଭିଯୋଗରେ ମାମଲା ଦାୟର କଲା ଇଡି

ଜଳେଶ୍ବର ତହସିଲ ଅଧୀନ ମହମ୍ମଦନଗର ପାଟଣାସ୍ଥିତ ସୁବର୍ଣ୍ଣରେଖା ନଦୀଶଯ୍ୟାରୁ ବେଧଡ଼କ ବାଲି ଲୁଟ୍‌ ହୋଇଛି। ବାହାନଗା ତହସିଲ୍‌ ଅଧୀନରେ ଆର୍‌ଆଇ ଭାବେ କାର୍ଯ୍ୟରତ ମହମ୍ମଦନଗର ପାଟଣା ଗ୍ରାମର ସାଗର ବାସ୍କେ, ତାଙ୍କ ଭାଇ ଚନ୍ଦନ ବାସ୍କେଙ୍କ ସହ ପରିବାରର ଅନ୍ୟ ସଦସ୍ୟମାନେ ମିଶି ସେଠାରୁ ବେଆଇନ ଭାବେ ତଥା ମନଇଚ୍ଛା ବାଲି ଉତ୍ତୋଳନ କରିଛନ୍ତି। ବାଲି ପରିବହନ ପାଇଁ ନଦୀବନ୍ଧକୁ କାଟି ଦେଇଛନ୍ତି। ଯାହାଫଳରେ ସୁବର୍ଣ୍ଣରେଖାର ଗତିପଥ ମଧ୍ୟ ବଦଳିଗଲାଣି। ଏନେଇ ଅଞ୍ଚଳବାସୀ ରାଜସ୍ବ ବିଭାଗ, ପୁଲିସ ଓ ଖଣି ବିଭାଗ ନିକଟରେ ବାରମ୍ବାର ଅଭିଯୋଗ କରିଆସିଛନ୍ତି।

ଆର୍‌ଆଇ ଓ ପରିବାର ସଦସ୍ୟଙ୍କ ନାମରେ ମାମଲା
ଥାନାରେ ଏତଲା ଦେଲେ ଜିଲ୍ଲା ଖଣି ଅଧିକାରୀ

ହେଲେ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନି। ତେବେ ଗତ ୮ ତାରିଖ ଦିନ ଏକ ହାଇୱା ସଂପୃକ୍ତ ଅଞ୍ଚଳରୁ ବାଲି ଚୋରାଚାଲାଣ କରିବା ବେଳେ ସ୍କୁଟିରେ ଯାଉଥିବା ଜଣେ ଶିକ୍ଷକଙ୍କୁ ଧକ୍କା ଦେଇଥିଲା। ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତେଜିତ ଲୋକେ ଉପସ୍ଥିତ ପ୍ରଶାସନିକ ଅଧିକାରୀଙ୍କୁ ସାଙ୍ଗରେ ଧରି ବେଆଇନ ବାଲି କାରବାରର କଳା ସାମ୍ରାଜ୍ୟ ଦେଖାଇଥିଲେ। ସେଠାରେ ଶହଶହ ଟ୍ରିପ୍‌ ବାଲି ମହଜୁଦ ଥିବା ଦେଖି ଅଧିକାରୀମାନେ ତାଜୁବ୍‌ ହୋଇଯାଇଥିଲେ। ଏନେଇ ଜିଲ୍ଲା ଖଣି ଅଧିକାରୀ ଜଳେଶ୍ବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଫଳରେ ଆର୍‌ଆଇ ସାଗର ବାସ୍କେ. ତାଙ୍କ ଭାଇ ଚନ୍ଦନ ବାସ୍କେଙ୍କ ସହ ପରିବାରର ଅନ୍ୟ ସଦସ୍ୟମାନଙ୍କ ନାମରେ କେସ୍‌ ନମ୍ବର ୧୬/୧୨ରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି।

Health: ନଗଡ଼ାର କୁପୋଷଣ ଶିଶୁକୁ ଜଡ଼ିବୁଟି ଚିକିତ୍ସା; ଜିଦ୍‌ରେ ଅଟଳ ଅବୁଝା ଜୁଆଙ୍ଗ ଦମ୍ପତି

ମହମ୍ମଦନଗର ପାଟଣାର କିଛି ଲୋକ କହିଛନ୍ତି ଯେ ସାଗର ନିଜ ପଦର ଅପବ୍ୟବହାର କରି ସୁବର୍ଣ୍ଣରେଖା ନଦୀଶଯ୍ୟାରୁ ବାଲି ଚୋରି କରୁଥିଲେ। ଗତ ୩ ବର୍ଷ ମଧ୍ୟରେ ଏଠାରୁ ପ୍ରାୟ ୧୦୦ କୋଟି ଟଙ୍କାର ବେଆଇନ ବାଲି ଚାଲାଣ ହୋଇଛି। ଜଳେଶ୍ବର କନିଷ୍ଠ ଖଣି ଅଧିକାରୀ ତାପସ ବେହେରା କହିଛନ୍ତି, ବାଲି କାରବାର ହେଉଥିବା ସ୍ଥାନକୁ ଯିବା ପାଇଁ ଥିବା ରାସ୍ତା ୩ ଥର କଟାଯାଇଛି। ଅନେକ ବାଲିଗାଡ଼ି ଜବତ ହୋଇଥିବା ବେଳେ ସାଗର ଓ ଚନ୍ଦନଙ୍କ ନାମରେ ଏକାଧିକ ମାମଲା ରହିଛି।