ଭୁବନେଶ୍ବର: ୟୁନିଫର୍ମ ସର୍ଭିସ୍ରେ ବ୍ୟକ୍ତିଗତ ଜୀବନରେ ଅନେକ ତ୍ୟାଗ ଦେବାକୁ ପଡ଼ିଥାଏ। ସାଧାରଣ ନାଗରିକ, ଆମର ମା’, ଭଉଣୀ ଏବଂ ପିଲାମାନଙ୍କର ସୁରକ୍ଷା ଆମ ଉପରେ ନିର୍ଭର କରେ। ଏ କ୍ଷେତ୍ରରେ କର୍ତ୍ତବ୍ୟନିଷ୍ଠା ସହିତ ଉତ୍ତମ ବ୍ୟବହାର ପୁଲିସର ଭାବମୂର୍ତ୍ତିକୁ ଉଜ୍ଜ୍ବଳ କରିବାରେ ସହାୟକ ହୁଏ ବୋଲି ଆଜି ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀରେ ସଶସ୍ତ୍ର ପୁଲିସ ସବ୍ ଇନ୍ସପେକ୍ଟରମାନଙ୍କ ପାସିଂ ଆଉଟ୍ ପରେଡ୍ରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ଦ୍ବିତୀୟ ବ୍ୟାଚ୍ରେ ୧୧୩ ଜଣ ସଶସ୍ତ୍ର ପୁଲିସ ସବ୍ ଇନ୍ସପେକ୍ଟରଙ୍କ ପ୍ରଶିକ୍ଷଣ ସଂପୂର୍ଣ୍ଣ ହୋଇଛି ଏବଂ ସେମାନେ ଖୁବ୍ଶୀଘ୍ର କାର୍ଯ୍ୟରେ ଯୋଗ ଦେବେ। ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ସମସ୍ତ ଶିକ୍ଷାନବୀଶ ଓ ସମସ୍ତ ପୁଲିସ ଅଧିକାରୀଙ୍କୁ ଦେଶ, ସମାଜ ଏବଂ ସାଧାରଣ ଲୋକମାନଙ୍କୁ ସଚ୍ଚୋଟତା ସହିତ ନିଃସ୍ୱାର୍ଥପର ସେବା କରିବାକୁ ଆହ୍ୱାନ ଦେଇଥିଲେ। ଏହାସହ ଦୀର୍ଘଦିନର ଅବିଶ୍ରାନ୍ତ କଠିନ ପରିଶ୍ରମ ସହ ମୌଳିକ ତାଲିମ ସମ୍ପୂର୍ଣ୍ଣ କରି ୧୧୩ ଜଣ ସଶସ୍ତ୍ର ଶିକ୍ଷାନବୀଶ ପୁଲିସ୍ ସବ-ଇନସ୍ପେକ୍ଟରଙ୍କୁ ସେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।
ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀର ପାସିଂ ଆଉଟ୍ ପରେଡ୍
୧୧୩ ସଶସ୍ତ୍ର ପୁଲିସ ସବ୍ ଇନ୍ସପେକ୍ଟରଙ୍କୁ ପ୍ରଶିକ୍ଷଣ
କାର୍ଯ୍ୟକ୍ରମରେ ଯୋଗଦେଇ ପୁଲିସ ଡିଜି ଅରୁଣ କୁମାର ଷଡ଼ଙ୍ଗୀ ଟ୍ରେନି ଅଫିସରମାନଙ୍କ ଉଚ୍ଚପ୍ରଶଂସା କରିଥିଲେ। ପୁରୀ ରଥଯାତ୍ରା, ଭଦ୍ରକ ହନୁମାନ ଜୟନ୍ତୀ, ନିର୍ବାଚନ ଦାୟିତ୍ବ ଏବଂ ଆଉ ଅନେକ ସମୟର ପ୍ରାକ୍ଟିକାଲ ଟ୍ରେନିଂ ସମୟରେ ସେମାନେ ଯେଉଁ ନିଷ୍ଠା ଓ ଅନୁଶାସନ ଦେଖାଇଥିଲେ, ଶ୍ରୀ ଷଡ଼ଙ୍ଗୀ ତା’ର ଭୂୟସୀ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ସେମାନେ ଜଣେ ଜଣେ ଭଲ ଅଫିସର ହୋଇ ସୁନାମ କରିବେ ବୋଲି ଆଶାପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ମହାନିରୀକ୍ଷକ (ତାଲିମ) ସାଇନି ଏସ୍, ଏକାଡେମୀର ପ୍ରଶିକ୍ଷକ ଏବଂ ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
Follow Us