The News Minute
ଭୁବନେଶ୍ବର : କୋଭିଡ କାର୍ଯ୍ୟରେ ସ୍ବଳ୍ପଦିନ ପାଇଁ ନିୟୋଜିତ ହୋଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଖୁସି ଖବର। ଏହି ସ୍ବାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ପାଇଁ ରାଜ୍ୟ ସରକାର ସ୍ବଳ୍ପ ମିଆଦି କୋଭିଡ-୧୯ ସ୍ବାସ୍ଥ୍ୟକର୍ମୀ ନିୟମ-୨୦୨୨ ପ୍ରଣୟନ କରିଛନ୍ତି। ଯାହାକି ରାଜ୍ୟପାଳଙ୍କ ଅନୁମୋଦନ ଲାଭ କରିଛି। ଏଥିପାଇଁ ହେବାକୁ ଥିବା ନିଯୁକ୍ତି ପରୀକ୍ଷାରେ ସ୍ବଳ୍ପ ମିଆଦି ସ୍ବାସ୍ଥ୍ୟକର୍ମୀଙ୍କୁ ସମୁଦାୟ ମାର୍କ ଉପରେ ଥରଟିଏ ପାଇଁ ଅତିରିକ୍ତ ୫ ପ୍ରତିଶତ ମାର୍କ ମିଳିବ। ଯାହାଫଳରେ ନର୍ସିଂ ଅଫିସର, ଫାର୍ମାସିଷ୍ଟ, ରେଡିଓଗ୍ରାଫର, ଟେକ୍ନିସିଆନ୍, ବହୁମୁଖୀ ପୁରୁଷ/ମହିଳା ସ୍ବାସ୍ଥ୍ୟକର୍ମୀ ଉପକୃତ ହେବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ ପାଇଛି।
ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତୀୟ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବା ସହିତ ଏହା ସଂପର୍କରେ ଆଲୋଚନା ହୋଇଥିଲା। ରାଜ୍ୟରେ କୋଭିଡ ମହାମାରୀ ସମୟରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କୋଭିଡ କେୟାର ସେଣ୍ଟରରେ ଶତାଧିକ ସ୍ବାସ୍ଥ୍ୟକର୍ମୀ ନିୟୋଜିତ ହୋଇଥିଲେ। ଯେଉଁମାନେ ଅତିକମ୍ରେ ୩ମାସ ପାଇଁ କୋଭିଡ କାର୍ଯ୍ୟରେ ନିୟୋଜିତ ହୋଇଥିଲେ ସେମାନଙ୍କୁ ଏହି ଅତିରିକ୍ତ ମାର୍କ ମିଳିବ। ସ୍ବାସ୍ଥ୍ୟକର୍ମୀମାନେ ୩ମାସ ପାଇଁ କାର୍ଯ୍ୟ କରିଛନ୍ତି କି ନାହିଁ ତାହାର ପ୍ରମାଣପତ୍ର ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କର୍ତୃପକ୍ଷଙ୍କୁ ଆବଶ୍ୟକ ଫର୍ମାଟ୍ ପ୍ରଦାନ କରାଯିବ ବୋଲି କୁହାଯାଇଛି।
Follow Us