ଭଲ ଖବର: ରୋକିପାରିଲାନି ଆର୍ଥିକ ଅନଟନ, ଦୁଇ କିକ୍‌ବକ୍ସିଂ ଖେଳାଳି ସ୍ବର୍ଣ୍ଣ ବିଜେତା

Advertisment

ଜମି ଓ ମୋଟର୍‌ ସାଇକଲ୍‌ ବନ୍ଧା ରଖିଥିଲେ

ଜମି ଓ ମୋଟର୍‌ ସାଇକଲ୍‌ ବନ୍ଧା ରଖିଥିଲେ

ଭଲ ଖବର: ରୋକିପାରିଲାନି ଆର୍ଥିକ ଅନଟନ, ଦୁଇ କିକ୍‌ବକ୍ସିଂ ଖେଳାଳି ସ୍ବର୍ଣ୍ଣ ବିଜେତା

ରାଉରକେଲା: କଠିନ ପରିଶ୍ରମ ଓ ଇଚ୍ଛାଶକ୍ତି ଆଗରେ ହାର୍‌ ମାନିଛି ଅଭାବ ଓ ଦୁଃସ୍ଥିତି। ସୁନ୍ଦରଗଡ଼ ବନ୍ଧମୁଣ୍ଡା ଅଞ୍ଚଳର ବିଲ୍ଲୁ ତିର୍କୀ ଓ ସଞ୍ଜୀବ ଖେସ୍‌ ଅନ୍ତର୍ଜାତୀୟ କିକ୍‌ ବକ୍ସିଂ ଚମ୍ପିଅନ୍‌ସିପ୍‌ରେ ଭାଗନେଇ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ନିଜ ଜମି ଓ ମୋଟରବାଇକ୍‌ ବନ୍ଧକ ରଖି ଦୁ‌ହେଁ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏଇ କିଛିଦିନ ତଳେ ବିଲ୍ଲୁ ଓ ସଞ୍ଜୀବ ଏହି ଅନ୍ତର୍ଜାତୀୟ କିକ୍‌ ବକ୍ସିଂ ପ୍ରତିଯୋଗିତାରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହେବାର ଖବର ଆସିଥିଲା। କିନ୍ତୁ, ପରିବାରର ଆର୍ଥିକ ସ୍ଥିତି ଠିକ୍‌ ନଥିବାରୁ ସେମାନେ କେମିତି ଦିଲ୍ଲୀ ଯାଇ ଅନ୍ତର୍ଜାତୀୟ ଖେଳରେ ଭାଗନେବେ, ଚିନ୍ତାରେ ପଡ଼ିଯାଇଥିଲେ। ଯାତାୟାତ ଖର୍ଚ୍ଚ ଓ ରହିବା ପାଇଁ ୩୫-୪୦ ହଜାର ଟଙ୍କା ଆବଶ୍ୟକ ଥିଲା। ଫଳରେ, ସେମାନେ ଅନେକଙ୍କ ଆଗରେ ହାତଉଧାରି ମାଗିବା ସହ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ। କିନ୍ତୁ, କେହବି ସେମାନଙ୍କର ଦୁଃଖ କେହି ଶୁଣି ନଥିଲେ। ଶେଷରେ, ବିଲ୍ଲୁଙ୍କ ପରିବାର ଏକ ଏକର ଜମିକୁ ମାତ୍ର ୨୦ ହଜାର ଟଙ୍କାରେ ଜଣେ ପଡ଼ୋଶୀଙ୍କୁ ବନ୍ଧା ଦେଇଥିଲେ।

ଏହାସହିତ ଅନ୍ୟଜଣଙ୍କ ଠାରୁ ୧୫ ହଜାର ଟଙ୍କା ସୁଧରେ ଉଧାର ଆଣିବା ପରେ ଦିଲ୍ଲୀ ଯାତ୍ରା କରିଥିଲେ। ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ ସଞ୍ଜୀବ। ତାଙ୍କ ପରିବାର ଲୋକ ଜମି ବନ୍ଧକ ରଖି ଟଙ୍କା ଦେବାକୁ ପଡୋଶୀ ଓ ସମ୍ପର୍କୀୟଙ୍କୁ ଅନେକ ଗୁହାରି କରିଥିଲେ। ହେଲେ, ସଞ୍ଜୀବଙ୍କ ଗରିବ ବାପା ଟଙ୍କା ଶୁଝି ପାରିବେନି ବୋଲି ଭାବି ସମସ୍ତେ ଜମି ବନ୍ଧକ ରଖିବାକୁ ରୋକ୍‌ଠୋକ୍‌ ମନା କରିଦେଇଥିଲେ। କେହି ଜମି ବନ୍ଧକ ନ ‌ନେବାରୁ ସଞ୍ଜୀବ ନିକଟରେ କିଣିଥିବା ନିଜର ନୂଆ ମୋଟରସାଇକଲ୍‌କୁ ୪୦ ହଜାର ଟଙ୍କାରେ ଅନ୍ୟ ଜଣଙ୍କୁ ବନ୍ଧାରେ ଦେଇଥିଲେ। ସେହି ଟଙ୍କାରେ ସେ ଦିଲ୍ଲୀ ଅନ୍ତର୍ଜାତୀୟ ଖେଳରେ ଭାଗ ନେଇଥିଲେ। ଦୁହେଁ ଦିଲ୍ଲୀରେ ଚମତ୍କାର ଖେଳ ପ୍ରଦର୍ଶନ କରି ଅନ୍ୟ ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ୭୪ କେଜି ମାଷ୍ଟର ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଉଲ୍ଲେଖନୀୟ କଥା ହେଉଛି, କେବଳ ବିଲ୍ଲୁ ଓ ସଞ୍ଜୀବ ନୁହନ୍ତ, ଉକ୍ତ ଚାମ୍ପିୟନସିପ୍‌ରେ ଭାଗ ନେଇ ପଦକ ଜିତିଥିବା ଅନେକ କିକ୍‌ ବକ୍ସିଂ ଖେଳାଳିଙ୍କ ମଧ୍ୟ ସେହି ଅବସ୍ଥା ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe