ଭଲ ଖବର: ଦୁଇଗୋଡ଼ ନାହିଁ, ତଥାପି ସ୍ବାବଲମ୍ବୀ

Advertisment

ଆଜି ବିଶ୍ବ ଦିବ୍ୟାଙ୍ଗ ଦିବସ, ପରିବା ବିକି ସାନଭାଇକୁ ପଢ଼ାଉଛନ୍ତି ଏମ୍‌ବିଏ

ଆଜି ବିଶ୍ବ ଦିବ୍ୟାଙ୍ଗ ଦିବସ, ପରିବା ବିକି ସାନଭାଇକୁ ପଢ଼ାଉଛନ୍ତି ଏମ୍‌ବିଏ

ଭଲ ଖବର: ଦୁଇଗୋଡ଼ ନାହିଁ, ତଥାପି ସ୍ବାବଲମ୍ବୀ

ଭଞ୍ଜନଗର: ଦିବ୍ୟାଙ୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରି ସେମାନଙ୍କୁ ସ୍ବାବଲମ୍ବୀ ଓ ଆତ୍ମନିର୍ଭରଶୀଳ ପାଇଁ ସରକାର ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି। ତଥାପି ଆଜି ବି ଅନେକ ଦିବ୍ୟାଙ୍ଗ ସମାଜରେ ବଞ୍ଚିରହିବାକୁ ସଂଘର୍ଷ କରିଆସୁଛନ୍ତି। କିନ୍ତୁ ଏମାନଙ୍କ ମଧ୍ୟରେ ଅନେକ ନିଆରା ମଣିଷ ‌ଅଛନ୍ତି, ଯେଉଁମାନେ ସମାଜରେ କାହା ଆଗରେ ମଧ୍ୟ ଜୀବନରେ ହାର୍ ମାନିନାହାନ୍ତି। ଶାରୀରିକ ଅକ୍ଷମତା ସେମାନଙ୍କୁ ମାନସିକ ସ୍ତରରେ ଦୁର୍ବଳ କରିପାରି ନଥିବା ବେଳେ ଆତ୍ମସମ୍ମାନର ସହ ବଞ୍ଚିବାକୁ ପ୍ରୟାସ ଜାରି ରଖି ସମାଜ ପାଇଁ ଉଦାହରଣ ସୃଷ୍ଟି କରିପାରିଛନ୍ତି। ଏଭଳି ଜଣେ ବ୍ୟକ୍ତିତ୍ବ ହେଉଛନ୍ତି, ଭଞ୍ଜନଗରର ସନ୍ନ୍ୟାସୀ ବେହେରା। ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ପରିବାରର ପ୍ରତିପୋଷଣ ସହ ସାନଭାଇର ପାଠପଢ଼ା ଦାୟିତ୍ବ ବହନ କରିଛନ୍ତି। ଟ୍ରାଇ ସାଇକେଲ୍‌ରେ ପନିପରିବା ବିକି ଜୀବିକା ନିର୍ବାହ କରିଆସୁଛନ୍ତି। ପିଲାଟି ଦିନରୁ ଦୁଇଟି ଗୋଡ଼ ନଥାଇ ସୁଦ୍ଧା ସେ ପରିବାରର କାହା ଉପରେ ମଧ୍ୟ ବୋଝ ପାଲଟିନାହାନ୍ତି।

ସନ୍ନ୍ୟାସୀ ହେଉଛନ୍ତି ଭଞ୍ଜନଗର ବ୍ଲକ୍ ଡୁମାକୁମ୍ପା ପଞ୍ଚାୟତ ଗୁରାବାଡ଼ି ନିକଟ ଧୋବାବଞ୍ଜର ଗ୍ରାମର ମୂଳବାସିନ୍ଦା। ତାଙ୍କର ଯମଜ ସନ୍ତାନ ଥିବା ବେଳେ ସାନଭାଇ ମଧ୍ୟ ପାଖରେ ରହୁଛି। ପ୍ରତିଦିନ ଆଖପାଖ ୧୦ଟି ଗାଁରେ ବିଭିନ୍ନ ପନିପରିବା ବିକ୍ରି କରୁଛନ୍ତି। ନିଜ ଅକ୍ଷମତା ପାଇଁ ଅଧିକ ପାଠ ପଢ଼ି ପାରିନଥିବା ବେଳେ ସାନଭାଇକୁ ମଣିଷ କରିବାକୁ ଲକ୍ଷ୍ୟ ତାର ପାଠପଢ଼ା ଦାୟିତ୍ବ ମୁଣ୍ଡାଇଛନ୍ତି। ସାନ ଭାଇ ବର୍ତ୍ତମାନ ବ୍ରହ୍ମପୁରର ଏକ ଘରୋଇ କଲେଜରେ ଏମ୍‌ବିଏ ଅଧ୍ୟୟନରତ। ସରକାରଙ୍କ ପକ୍ଷରୁ ମିଳିଥିବା ତିନିଚକିଆ ସାଇକେଲ୍‌ ଉପରେ ସନ୍ନ୍ୟାସୀ ଏକ ଲୁହାସେଡ୍ ନିର୍ମାଣ କରିଛନ୍ତି। ବିଭିନ୍ନ ଗ୍ରାମ ବୁଲି ପନିପରିବା ବିକିଥାନ୍ତି। କେବେ ୨୦୦ ତ ଆଉ କେବେ, ୪୦୦ ଟଙ୍କା ବ୍ୟବସାୟ ହୁଏ। ତେବେ ବ୍ୟବସାୟ ଓ ବିଭିନ୍ନ ଗାଁ ବୁଲିବା ଭିତରେ ବିଭିନ୍ନ ବର୍ଗର ଲୋକଙ୍କ ଭଲ ସଂପର୍କ ଗଢ଼ିଉଠିଛି। ସେମାନେ ବି ବିଭିନ୍ନ ସମୟରେ ତାଙ୍କୁ ସାହାଯ୍ୟ କରୁଥିବା ସେ କହିଛନ୍ତି। ସଂପ୍ରତି ସରକାରଙ୍କ ପକ୍ଷରୁ ମାସିକ ଭତ୍ତା ଓ ଚାଉଳ ମିଳୁଛି। ଆଉ କାହାକୁ ହାତ ନ ପାତି, ସ୍ବାଭିମାନର ସହ ବଞ୍ଚିବାକୁ ଚେଷ୍ଟା କରୁଥିବା ସେ କହିଛନ୍ତି। ସନ୍ନ୍ୟାସୀଙ୍କ ପୈତୃକ ଗାଁ ବେଲଗୁଣ୍ଠା ବ୍ଲକ୍ କୁରୁଳାଇରେ ହୋଇଥିବା ବେଳେ ଅନେକ ବର୍ଷ ହେଲା ସେ ନିଜ ଅଜାଆଈଙ୍କ ଗ୍ରାମ ଧୋବାବଞ୍ଜରରେ ରହୁଛନ୍ତି। ପିଲାଦିନେ ତାଙ୍କୁ ପ୍ରବଳ ଜ୍ବର ହୋଇଥିଲା। ଅନେକ ଟଙ୍କା ଖର୍ଚ୍ଚ ପରେ ସେ ସୁସ୍ଥ ହୋଇଥିଲେ। କିନ୍ତୁ ତାଙ୍କର ଦୁଇଟିଯାକ ଗୋଡ଼ ସଂପୂର୍ଣ୍ଣ ଅଚଳ ହୋଇଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe