ଭଲ ଖବର: ସୁରତରେ ରୋଜଗାର ରାସ୍ତା ଦେଖାଉଛନ୍ତି ଓଡ଼ିଆ ବୋହୂ

୫ହଜାର ମହିଳାଙ୍କୁ ଦେଲେଣି ପ୍ରଶିକ୍ଷଣ

ଭଲ ଖବର: ସୁରତରେ ରୋଜଗାର ରାସ୍ତା ଦେଖାଉଛନ୍ତି ଓଡ଼ିଆ ବୋହୂ

ବ୍ରହ୍ମପୁର: ଘର ହେଉଛି ଗୁଜରାଟର ସୁରତରେ। କିନ୍ତୁ ବାହା ହୋଇଛନ୍ତି ଓଡ଼ିଶାରେ। ଓଡ଼ିଶାର ବୋହୂ ହେବା ପରେ ସେ ସ୍ବାମୀଙ୍କ ସହ ସୁରତରେ ରହି ଆସୁଛନ୍ତି। ସେ ହେଉଛନ୍ତି କିରଣ ଦାଶ। ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ କିରଣ ଅଣ୍ଟା ଭିଡ଼ିଛନ୍ତି। କିରଣ ସୁରତରେ ସ୍ଥାନୀୟ ମହିଳା ଓ ଯୁବତୀମାନଙ୍କୁ ବିଭିନ୍ନ ପ୍ରକାର ପ୍ରଶିକ୍ଷଣ ଦେଇ ଆତ୍ମନିର୍ଭରଶୀଳ ହେବାର ରାହା ଦେଖାଉଛନ୍ତି। ମହିଳା ସଶକ୍ତୀକରଣ ଦିଗରେ ପ୍ରାୟ ୧୦ବର୍ଷ ହେଲା ସେ ତାଙ୍କର କାର୍ଯ୍ୟ ଜାରି ରଖିଛନ୍ତି। ଏଥିପାଇଁ କିରଣଙ୍କୁ ତାଙ୍କର ସ୍ବାମୀ ବିଜୟ ଦାଶ ସହଯୋଗ କରି ଆସୁଛନ୍ତି। ‘ଆକାଶ ମହିଳା ମଣ୍ଡଳ’ ନାମରେ ଏକ ଗ୍ରୁପ୍‌ ଗଠନ କରି ଆଜି ପର୍ଯ୍ୟନ୍ତ ପ୍ରାୟ ୫ହଜାର ମହିଳାଙ୍କୁ ବିଭିନ୍ନ ଦିଗରେ ପ୍ରଶିକ୍ଷଣ ପ୍ରଦାନ କରି ସାରିଥିବା କିରଣ କହିଛନ୍ତି। ଏଥିପାଇଁ ତାଙ୍କୁ ସୁରତରେ ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଛି। ସିଲେଇ, ବ୍ୟାଗ୍‌ ତିଆରି, ବ୍ୟୁଟି ପାର୍ଲର୍‌ ପରିଚାଳନା, ଶାଢ଼ିରେ ଷ୍ଟୋନ୍‌ ଲଗାଇବା ଓ ମାଟି ମୂର୍ତ୍ତି ତିଆରି କରିବା ଭଳି ପ୍ରଶିକ୍ଷଣ ଦେଉଛନ୍ତି କିରଣ। ମହିଳା ଓ ଯୁବତୀମାନଙ୍କୁ ବିଭିନ୍ନ ପ୍ରକାର ପ୍ରଶିକ୍ଷଣ ଦେଇ ତାଙ୍କର ଭବିଷ୍ୟତ ଗଠନ କରିବା ସହିତ ରୋଜଗାରକ୍ଷମ କରି ପାରୁଥିବାରୁ କିରଣ ନିଜକୁ ଭାଗ୍ୟବାନ ମନେ କରୁଥିବା କହିଛନ୍ତି।

ପୁରୀ ଜିଲ୍ଲାର ମୂଳ ନିବାସୀ ଅଜୟ ଦୀର୍ଘବର୍ଷ ହେଲା ସୁରତର ପାଣ୍ଡେସରାରେ ରହୁଛନ୍ତି। ସେ ପେସାରେ ଜଣେ ଡାକ୍ତର। ଆସିକା ଅଞ୍ଚଳରେ ତାଙ୍କର ଜମିବାଡ଼ି ରହିଛି। ବିଭିନ୍ନ ସମୟରେ ସେ ଓଡ଼ିଶାକୁ ଆସିଥାନ୍ତି। ସୁରତରେ ସେ କିରଣଙ୍କୁ ବାହା ହୋଇଥିଲେ। ଗରିବ ଲୋକଙ୍କୁ ସହଯୋଗ କରିବା ପାଇଁ ଏହି ଦମ୍ପତି ଇଚ୍ଛା କରିଥିଲେ। ଗଞ୍ଜାମ ଜିଲ୍ଲାର ୩ ଲକ୍ଷରୁ ଅଧିକ ଲୋକ ସୁରତରେ ରହୁଛନ୍ତି। ସେମାନଙ୍କ ମଧ୍ୟରେ ବହୁ ଗରିବ ପରିବାର ମଧ୍ୟ ରହିଛନ୍ତି। ଯେଉଁମାନେ କି ରୋଜଗାର ନପାଇ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେଭଳି ପରିବାରର ଝିଅ ଓ ମହିଳାଙ୍କୁ ରୋଜଗାରକ୍ଷମ କରିବା ପାଇଁ ଗତ ୨୦୧୪ରେ ଅଜୟ ଓ କିରଣ ୫ଜଣ ମହିଳାଙ୍କୁ ସିଲେଇ ତାମିଲ ଦେଇ ସ୍ବାବଲମ୍ବୀ କରିଥିଲେ। ଏହାପରେ ବହୁ ଗରିବ ପରିବାରର ଝିଅ ଓ ମହିଳା ତାଙ୍କ ଅନୁଷ୍ଠାନରେ ସାମିଲ ହୋଇ ପ୍ରଶିକ୍ଷଣ ନେଇଥିଲେ। ସୁରତରେ ରହୁଥିବା ଗରିବ ଓଡ଼ିଆ ପରିବାର କିପରି ଭଲ ଭାବେ ବଞ୍ଚିବେ ତାକୁ ପ୍ରାଥମିକତା ଦେଇ ମହିଳାଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏଣୁ ଘରେ ପ୍ରଶିକ୍ଷଣ ଦେବା ସମ୍ଭବ ହୋଇ ନଥିଲା। ଏଣୁ କିରଣ ଏକ ଘରଭଡ଼ା ନେଇ ପ୍ରଶିକ୍ଷଣ ଜାରି ରଖିଛନ୍ତି। ପୂର୍ବରୁ ସେ ସମ୍ପୂର୍ଣ୍ଣ ମାଗଣାରେ ପ୍ରଶିକ୍ଷଣ ଦେଉଥିଲେ। ଏବେ ଘରଭଡ଼ା ଓ ପ୍ରଶିକ୍ଷଣ ପାଇଁ ଆବଶ୍ୟକ ସାମଗ୍ରୀ ଖର୍ଚ୍ଚ ବାହାର କରିବା ପାଇଁ କେବଳ ପ୍ରବେଶ ଫି ଧାର୍ଯ୍ୟ କରିଛନ୍ତି। ଏହାପରେ ମହିଳାମାନେ ସମ୍ପୂର୍ଣ୍ଣ ପାରଙ୍ଗମ ହେବା ପର୍ଯ୍ୟନ୍ତ ସେଠାରେ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି। ଏଭଳି ପ୍ରଶିକ୍ଷଣ ପାଇ ସୁରତରେ ବହୁ ଓଡ଼ିଆ ପରିବାରର ମହିଳା ଓ ଝିଅ ସ୍ବାବଲମ୍ବୀ ହୋଇ ପାରିଛନ୍ତି। ଏ ସମ୍ପର୍କରେ କିରଣ କହିଛନ୍ତି, ମହିଳାମାନେ ରୋଜଗାରକ୍ଷମ ହେବା ପରେ ପରିବାରରେ ଏକ ସ୍ବତନ୍ତ୍ର ପରିଚୟ ପାଉଛନ୍ତି। ତାଙ୍କ ବିରୋଧରେ ହେଉଥିବା ଅନ୍ୟାୟକୁ ମଧ୍ୟ କଡ଼ା ଜବାବ ଦେବାର ସାହସ ପାଇପାରୁଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe