ଭଲ ଖବର: ‘ବିହନ ମଣିଷ’ ବାପ-ପୁଅ

ସାଇତିଛନ୍ତି ୧୨୬ ପ୍ରକାର ବିହନ, ଚାଷୀଙ୍କୁ ମାଗଣାରେ ଦେଇ ଚର୍ଚ୍ଚାରେ

ଭଲ ଖବର: ‘ବିହନ ମଣିଷ’ ବାପ-ପୁଅ

ନୂଆପଡ଼ା: ଦେଶୀ ବିହନ ପ୍ରେମରେ ବାପ-ପୁଅ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହରର ଆୟୁବେର୍ଦିକ ଡାକ୍ତର କୁବେରକାନ୍ତ ପଣ୍ତା ଓ ତାଙ୍କ ପୁଅ ସିଭିଲ ଇଞ୍ଜିନିୟର ସୁରେଶ୍ବର ପଣ୍ତା ଲୋପ ପାଉଥିବା ୧୨୬ କିସମର ଧାନ ସାଇତି ରଖି ଚର୍ଚ୍ଚାର ପରିସରକୁ ଆସିଛନ୍ତି। କେବଳ ସେତିକି ନୁହେଁ, ଏସବୁ ଧାନ ଚାଷ କରିବା ପାଇଁ ଚାଷୀଙ୍କୁ ମାଗଣାରେ ବିହନ ଯୋଗାଇ ଦେଉଛନ୍ତି। ଯେଉଁଥି ପାଇଁ ଏହି ବାପ-ପୁଅଙ୍କୁ ଅଞ୍ଚଳବାସୀ ‘ବିହନ ମଣିଷ’ ବୋଲି ଆଖ୍ୟା ଦେଇଛନ୍ତି।

ସୂଚନା ଅନୁସାରେ, ଉଭୟଙ୍କ ପାଖରେ ଡିଗ୍ରି ଥିଲେ ବି ଚାକିରି ପଛରେ ନଧାଇଁ ଚାଷ କାମକୁ ଆପଣେଇଛନ୍ତି। ବାପା କୁବେରକାନ୍ତ ଖଡ଼ିଆଳ ସହରରେ ଏକ କ୍ଲିନିକ୍‌ କରି ରୋଗୀ ସେବା କରନ୍ତି ଓ ପୁଅ ସୁରେଶ୍ବର ଚାଷ କରୁଛନ୍ତି। ୨୦୧୧ରୁ ତୋର୍ଲି ଗାଁରେ ୧୦ ଏକର ଜମିରେ ଉଭୟେ ୨୬ କିସମର ଲୁପ୍ତପ୍ରାୟ ଦେଶୀଧାନ ଚାଷ ଆରମ୍ଭ କରିଥିଲେ। ସେବେଠୁ ଏଭଳି ଦେଶୀଧାନ ବିହନ ସଂଗ୍ରହ କରୁଛନ୍ତି। ନୂଆପଡ଼ା, କଳାହାଣ୍ତି, ବଲାଙ୍ଗୀର, ବରଗଡ଼, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଭଳି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଦେଶୀଧାନ ବିହନ ସଂଗ୍ରହ କରୁଛନ୍ତି। ଏବେ ସେମାନେ ୧୨୬ ପ୍ରଜାତିର ଦେଶୀଧାନ ବିହନ ସାଇତି ରଖିଥିବା କହିଛନ୍ତି। ଚଳିତ ବର୍ଷ ନିଜ ଚାଷଜମିରେ ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ୯୬ ପ୍ରକାରର ଦେଶୀଧାନ ଚାଷ କରିଛନ୍ତି। ଏଥିରେ ରାସାୟନିକ ସାର ବଦଳରେ ଗୋବର ଖତ ଓ କୀଟନାଶକ ବଦଳରେ ଗୋମୁତ୍ରରେ ବିଭିନ୍ନ ପତ୍ର ସିଞ୍ଚନ କରୁଛନ୍ତି। ବର୍ତ୍ତମାନ ବଜାରକୁ ବହୁ ହାଇବ୍ରିଡ କିସମ ନୂତନ ଧାନ ବିହନ ଆସୁଛି। ଏଥିରେ ପୂର୍ବରୁ ରାସାୟନିକ ଲେପ ରହୁଛି। ସେହି ଧାନକୁ ଚାଷକଲେ ମାତ୍ରାଧିକ ରାସାୟନିକ ସାର, କୀଟନାଶକ ପ୍ରୟୋଗ କରିବାକୁ ପଡୁଛି। ଅନ୍ୟଥା ଚାଷୀ ଆଶାନୁରୂପ ଅମଳ କରି ନପାରି କ୍ଷତି ସହୁଛି। ସେହିପରି ମାତ୍ରାଧିକ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ ଦ୍ବାରା ଚାଉଳ ବିଷରେ ପରିଣତ ହେଉଛି। ସେହି ଚାଉଳ ଖାଇଲେ ରୋଗ ହେବା ଭୟ ଅଧିକ ଥିବାରୁ ଚାଷୀମାନଙ୍କୁ ଦେଶୀଧାନ ଚାଷ କରିବାକୁ ପ୍ରବର୍ତ୍ତାଉଥିବା କହିଛନ୍ତି।

ଗତ ୧୨ ବର୍ଷର ଅଭିଯାନରେ ଶତାଧିକ ଚାଷୀଙ୍କୁ ମାଗଣାରେ ଦେଶୀଧାନ ବିହନ ଦେବା ସହ ଜୈବିକ ପଦ୍ଧତିରେ ଚାଷ କରିବାକୁ ପ୍ରବର୍ତ୍ତାଇ ସଫଳ ହୋଇଛନ୍ତି। ଚଳିତ ବର୍ଷ ଏମାନଙ୍କ ଉଦ୍ୟମରେ ସିନାପାଲି ଅଞ୍ଚରେ ବହୁ ଚାଷୀ ଜୈବିକ ପଦ୍ଧତିରେ ଦେଶୀଧାନ ଚାଷ କରିଛନ୍ତି। ଜିଲ୍ଲା ତଥା ଜିଲ୍ଲା ବାହାର ଚାଷୀ ତାଙ୍କ ଚାଷଜମିର ପରିଦର୍ଶନ କରି ଦେଶୀଧାନ ଚାଷ ପ୍ରତି ଆକର୍ଷିତ ହେଉଛନ୍ତି। ଏହି ଦେଶୀଧାନରୁ ବହୁ ଆୟୁବେର୍ଦିକ ଔଷଧ ତିଆରି ହେଉଛି। ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଛି। ଏହି ଧାନର ଚାଉଳ ଖାଇଲେ ରୋଗାକ୍ରାନ୍ତ ହେବାର ଆଶଙ୍କା ବହୁମାତ୍ରାରେ କମ୍ ରହିଥିବା ଡା. ପଣ୍ତା କହିଛନ୍ତି। ଏନେଇ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ହିମାଂଶୁ ମହାପାତ୍ରଙ୍କୁ ପଚାରିବାରୁ କହିଛନ୍ତି, ଏହି ବାପ-ପୁଅ ଗତ ୧୨ ବର୍ଷ ହେବ ଦେଶୀଧାନ ବିହନ କିସମକୁ ସଂଗ୍ରହ କରିବା ସହ ଚାଷ କରୁଛନ୍ତି। ଚାଷୀଙ୍କୁ ମାଗଣରେ ବିହନ ଦେଇ ଜୈବିକ ପଦ୍ଧତିରେ ଚାଷ କରିବାକୁ ପ୍ରବର୍ତ୍ତାଇ ଉଦାହରଣ ସୃଷ୍ଟି କରିଛନ୍ତି। ବାସ୍ତବିକ ଦେଶୀ ବିହନ ସଂଗ୍ରହକାରୀ ବାପା ଓ ପୁଅଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe