ନୂଆ ରୂପରେ ଗୋପବନ୍ଧୁଙ୍କ ଜନ୍ମପୀଠ

୨୩ରେ ସୁଆଣ୍ଡୋ ବିକାଶ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ପ୍ରକଳ୍ପ କାର୍ଯ୍ୟା ଅନୁଧ୍ୟାନ କଲେ ୫ଟି ସଚିବ

ନୂଆ ରୂପରେ ଗୋପବନ୍ଧୁଙ୍କ ଜନ୍ମପୀଠ

ପୁରୀ/ସାକ୍ଷୀଗୋପାଳ : ଆସନ୍ତା ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍‌ ସୁଆଣ୍ଡୋ ଗାଁ ବିକାଶ ପ୍ରକଳ୍ପର ଲୋକାର୍ପଣ କରିବେ। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି କେ ପାଣ୍ଡିଆନ ଆଜି ସୁଆଣ୍ଡୋ ଗସ୍ତ କରି ପ୍ରକଳ୍ପର ପୁନଃବିକାଶ କାର୍ଯ୍ୟର ତଦାରଖ କରିଛନ୍ତି। ପ୍ରକଳ୍ପ ସମ୍ପର୍କରେ ଅଧିକାରୀମାନଙ୍କୁ ପଚାରି ବୁଝିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଉତ୍କଳମଣିଙ୍କ ଗାଁ ଅବହେଳିତ ଅବସ୍ଥାରେ ଥିଲା। ଗାଁକୁ ଭଲ ରାସ୍ତା ନଥିଲା। ଏନେଇ ବିଭିନ୍ନ ସମ୍ବାଦପତ୍ରରେ ଖବର ପ୍ରକାଶିତ ହେବାପରେ ରାଜ୍ୟ ସରକାର ସୁଆ‌ଣ୍ଡୋ ବିକାଶ ପ୍ରକଳ୍ପର ବ୍ୟବସ୍ଥା କରିଥିଲେ। ପ୍ରାୟ ୨୫କୋଟି ୮୦ଲକ୍ଷ ଟଙ୍କା ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ କରାଯାଇଛି। ଯେଉଁଥିରେ ସୁଆଣ୍ଡୋ ଗାଁ ରାସ୍ତା, ଗୋପବନ୍ଧୁଙ୍କ ଷଠିଘର, ଗାଁ ପୋଖରୀ, ଗୋପବନ୍ଧୁଙ୍କ ଉପରେ ନୂଆ ସଂଗ୍ରହାଳୟ, ପାର୍କ, ଶିଶୁ ଉଦ୍ୟାନ, ମାର୍କେଟ୍‌ ବିଲ୍ଡିଂ ଆଦି ବିକାଶ କାର୍ଯ୍ୟ କରାଯାଇଛି। ଗାଁର ଲୋକେଶ୍ୱର ମହାଦେବଙ୍କ ମନ୍ଦିର ବହୁଦିନରୁ ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା। ସୁଆଣ୍ଡୋବାସୀଙ୍କ ଅନୁରୋଧକ୍ରମେ ଲୋକେଶ୍ୱର ମନ୍ଦିରର ପୁନଃନିର୍ମାଣ କାର୍ଯ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ପନ୍ନ କରାଯାଇଛି। ପୁରୁଣା ମନ୍ଦିର ଭାଙ୍ଗି ଖାଣ୍ଡେଲାଇଟ୍‌ ପଥରରେ ନୂଆ ମନ୍ଦିର ନିର୍ମାଣ କରାଯାଇଛି। ମହାଦେବ ମନ୍ଦିରର ପୁରୁଣା ଶିବ ଲିଙ୍ଗକୁ ପାତାଳି କରାଯାଇ, ନୟାଗଡ଼ରୁ ଆସିଥିବା ନୂଆ କଳା ମୁଗୁନି ପଥରର ଶିବ ଲିଙ୍ଗ ମନ୍ଦିରରେ ପୁନଃପ୍ରତିଷ୍ଠା କରାଯାଇଛି।

ଆଜି ଶ୍ରୀ ପାଣ୍ଡିଆନଙ୍କ ଉପସ୍ଥିତିରେ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପରେ ଶ୍ରୀ ପାଣ୍ଡିଆନ ଉତ୍କଳମଣିଙ୍କ ଷଠିଘର, ଢିଙ୍କିଶାଳ ଆଦିର ସଂରକ୍ଷଣ କାର୍ଯ୍ୟ ପରିଦର୍ଶନ କରିବା ସହିତ ଗାଁ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ, ସଂଗ୍ରହାଳୟ କାର୍ଯ୍ୟ ବୁଲି ଦେଖିଥିଲେ। ଏହି ଅବସରରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe