ଗୋପାଳ ଦାସ ପାଗଳ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟକୁ ନେଇ ଅସନ୍ତୋଷ ଝାଡ଼ିଲେ ନରସିଂହ

ଗୋପାଳ ଦାସ ପାଗଳ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟକୁ ନେଇ ଅସନ୍ତୋଷ ଝାଡ଼ିଲେ ନରସିଂହ

ଭୁବନେଶ୍ବର : ମଙ୍ଗଳବାର ଦିନ ବିଧାନସଭାରେ ଗୃହ ବିଭାଗର ଖର୍ଚ୍ଚଦାବି ଆଲୋଚନାର ଉତ୍ତର ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀ ଦଳଙ୍କୁ ଟାର୍ଗେଟ୍ କରିଥିଲେ। ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ କଥା ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଥିଲେ ଯେ ଗୋପାଳ ପାଗଳ ବୋଲି କିଏ କହିଲା? ଆଜି ବିଧାନସଭାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଅସନ୍ତୋଷ ଝାଡ଼ିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

ସେ କହିଥିଲେ, ଗୋପାଳ ପାଗଳ ବୋଲି କିଏ କହିଥିବା ନେଇ ମୁଖ୍ୟମନ୍ତ୍ରୀ ପ୍ରଶ୍ନ ଉଠାଇଛନ୍ତି। ଗତ ଫେବ୍ରୁଆରି ୨୦ ତାରିଖରେ କ୍ରାଇମ୍‌ବ୍ରାଞ୍ଚ୍ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ବିବୃତିରେ କୁହାଯାଇଥିଲା ଯେ ଗୋପଳ ଦାସର ମାନସିକ ଅସୁସ୍ଥତାର ଥିବାର ରେକର୍ଡ ରହିଛି। ସେଥିପାଇଁ ସେ ଚିକିତ୍ସିତ ହେଉଥିଲା। ଏହା କ’ଣ ବିରୋଧୀ ଦଳ କହିଥିଲେ? ଗୋପାଳର ସ୍ତ୍ରୀ କହିଲା, ଗୋପାଳ ପାଗଳ। ତାକୁ ଚିକିତ୍ସା କରୁଥିବା ଡାକ୍ତର କହିଲେ, ଗୋପାଳର ମୁଁ ମାନସିକ ଚିକିତ୍ସା କରୁଥିଲି। କିନ୍ତୁ ମୁଖ୍ୟମନ୍ତ୍ରୀ ଏବେ ପଚାରୁଛନ୍ତି ଯେ ଗୋପାଳ ଦାସ ପାଗଳ ବୋଲି କିଏ କହିଲା? ମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ପ୍ରତି ଟିପ୍ପଣୀ ଦେବା ଠିକ୍ ହୋଇନାହିଁ। ମୁଖ୍ୟମନ୍ତ୍ରୀ ଗୃହର ନେତା। ତାଙ୍କ ଠାରୁ ଏପରି ଆଶା କରାଯାଏନି। ଦିନତମାମ ଗୃହ କାର୍ଯ୍ୟକୁ ଟେଲିଭିଜନ୍ ପରଦାରେ ସିଧା ପ୍ରସାରଣ କରାଯାଉ। ସାରା ରାଜ୍ୟବାସୀ ଜାଣନ୍ତୁ ଗୃହରେ କିଏ କେମିତି ଆଚରଣ କରୁଛି ଓ କେମିତି ଭାଷା ବ୍ୟବହାର କରୁଛି। ସରକାର ଓ ଶାସକ ଦଳ ତାଙ୍କ କାମ ଠିକ୍ ଭାବେ କରୁଛନ୍ତି କି ନାହିଁ? ବିରୋଧୀ ଦଳ ତାଙ୍କ ଭୂମିକା ନିର୍ବାହ କରୁଛନ୍ତି କି ନାହିଁ? ଏ ଦିଗରେ ବାଚସ୍ପତି ବିଚାର କରିବାକୁ ଶ୍ରୀ ମିଶ୍ର କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe