ଚୌଦ୍ବାର ଜେଲ୍‌ ଗଲା ଗୋପାଳ

ଚୌଦ୍ବାର ଜେଲ୍‌ ଗଲା ଗୋପାଳ

ଝାରସୁଗୁଡ଼ା: ନବ ଦାସ ହତ୍ୟା ମାମଲାରେ ଆଜି ପୁଣିଥରେ ଅଭିଯୁକ୍ତ ଗୋପାଳକୁ ଝାରସୁଗୁଡ଼ା ଜେଏମ୍‌ଏଫ୍‌ସିଙ୍କ କୋର୍ଟରେ ହାଜର କରାଯାଇଥିଲା। ଗତକାଲି କୌଣସି କାରଣ ଯୋଗୁ ଅଭିଯୁକ୍ତ ଗୋପାଳର ୧୬୪ ବୟାନ୍‌ ରେକର୍ଡ ସମ୍ପୂର୍ଣ୍ଣ ହୋଇପାରିନଥିବା ବେଳେ ଆଜି ତାହା କରାଯାଇଥିବା ଜଣାପଡ଼ିଛି। ଏହାପରେ ଜେଲ୍‌ ବିଭାଗ ପକ୍ଷରୁ କରାଯାଇଥିବା ପ୍ରାର୍ଥନା ଆଧାରରେ କୋର୍ଟ ଅଭିଯୁକ୍ତ ଗୋପାଳକୁ ସ୍ଥାନାନ୍ତର ପାଇଁ ମଞ୍ଜୁରି ଦେଇଥିଲେ। ଦିନ ପ୍ରାୟ ଗୋଟାଏ ସମୟରେ ଏକ ସ୍ବତନ୍ତ୍ର ଗାଡ଼ି ଯୋଗେ ପୁଲିସ୍‌ ଏସକର୍ଟରେ ଗୋପାଳକୁ ଝାରସୁଗୁଡ଼ା ଉପ କାରାଗାରରୁ ଚୌଦ୍ବାର ଜେଲ୍‌କୁ ନିଆଯାଇଥିବା ଜଣାପଡ଼ିଛି।

ଗତକାଲି ଗୋପାଳର ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହୋଇଥିଲା। ଏହାପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ତାକୁ କୋର୍ଟରେ ହାଜର କରାଯିବା ପରେ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ତେବେ ସୋମବାର କୋର୍ଟରେ ହାଜର କରାଯିବା ସମୟରେ ଗୋପାଳର ୧୬୪ ବୟାନ୍‌ ରେକର୍ଡ ସମ୍ପୂର୍ଣ୍ଣ ହୋଇପାରିନଥିଲା। ତେଣୁ ଆଜି ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ଗୋପାଳକୁ ଉପ କାରାଗାରରୁ ଆଣି ଝାରସୁଗୁଡ଼ା ଜେଏମ୍‌ଏଫ୍‌ସିଙ୍କ ନିକଟରେ ହାଜର କରାଯାଇଥିଲା। ଏହି ସମୟରେ ଉଭୟ କୋର୍ଟ ଓ ଜେଲ୍‌ ପରିସ‌ରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଭିଡିଓଗ୍ରାଫି ମାଧ୍ୟମରେ ବୟାନ୍‌ ରେକର୍ଡ ବି ହୋଇଥିଲା। ସେପଟେ, ଅଭିଯୁକ୍ତ ଗୋପାଳର ସୁରକ୍ଷା ଓ ନିରାପତ୍ତା ନେଇ ତାକୁ ଝାରସୁଗୁଡ଼ାରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଜେଲ୍‌ବିଭାଗ କୋର୍ଟଙ୍କ ନିକଟରେ ପ୍ରାର୍ଥନା କରିଥିଲା ବୋଲି ଗୋପାଳର ରିମାଣ୍ଡ ଓକିଲ ହରିଶଙ୍କର ଅଗ୍ରୱାଲ ସୂଚନା ଦେଇଛନ୍ତି। ଝାରସୁଗୁଡ଼ା ଉପ କାରାଗାର ଅଧୀକ୍ଷକଙ୍କ ଜରିଆରେ କୋର୍ଟଙ୍କ ନିକଟରେ ଏହି ଆବେଦନ କରାଯାଇଥିଲା।

ଯାହାକୁ କୋର୍ଟ ମଞ୍ଜୁରି ଦେଇଥିଲେ। ଗତକାଲିଠାରୁ ଗୋପାଳର ସ୍ଥାନାନ୍ତର ନେଇ ଜେଲ୍‌ କର୍ତ୍ତୃପକ୍ଷ ସମସ୍ତ ପ୍ରସ୍ତୁତି ଶେଷ କରିଥିଲେ। ଆଜି କୋର୍ଟରୁ ଗୋପାଳକୁ ଦିନ ପ୍ରାୟ ସାଢ଼େ ୧୧ଟାରେ ଜେଲକୁ ନିଆଯାଇଥିଲା। ସେଠାରେ ସେ ମଧ୍‌ୟାହ୍ଣ ଭୋଜନ କରିବା ପରେ ତାକୁ ଏକ ସ୍ବତନ୍ତ୍ର ଗାଡ଼ିରେ ଜେଲ୍‌ କର୍ମଚାରୀ ଓ ପୁଲିସ୍‌ ଏସକର୍ଟରେ ଚୌଦ୍ବାର ସର୍କଲ ଜେଲ୍‌କୁ ନିଆଯାଇଥିବା ଜଣାପଡ଼ିଛି। ଗୋପାଳକୁ ସ୍ଥାନାନ୍ତର ସମୟରେ ମଧ୍‌ୟ ସୁରକ୍ଷା ବ୍ୟବସ୍ଥା ଉପରେ ଯଥେଷ୍ଟ ଗୁରୁତ୍ବାରୋପ କରାଯାଇଥିବା ଦେଖିବାକୁ ମିଳିଥିଲା।

ଏହି ହାଇ ପ୍ରୋଫାଇଲ୍‌ ହତ୍ୟାକାଣ୍ଡକୁ ଇତି ମଧ୍ୟରେ ୧୬ ଦିନ ବିତିଛି। ଏଥି ମଧ୍ୟରୁ କ୍ରାଇମବ୍ରାଞ୍ଚ କେବଳ ୧୩ ଦିନ ରିମାଣ୍ଡରେ ନେଇ ପଚରାଉଚରା କରିଛି। ମାତ୍ର କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ସମୟରେ କ’ଣ ପାଇଛି ତାହା ସାର୍ବଜନୀନ ହୋଇପାରିନାହିଁ। ‌ତେଣୁ ହତ୍ୟାର କାରଣକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଆକଳନ କରାଯାଉଥିଲେ ହେଁ ପ୍ରକୃତ କାରଣ ଏବେ ବି ରହସ୍ୟାବୃତ୍ତ ହୋଇ ରହିଯାଇଛି। ସେପଟେ, ଏହି ଘଟଣାରେ ଉଭୟ ପୁଲିସ୍‌ ଓ କ୍ରାଇମବ୍ରାଞ୍ଚର ଅସମ୍ଭବ ନିରବତା ଲୋକଙ୍କ ମଧ୍ୟରେ ସନ୍ଦେହକୁ ଅଧିକ ଘନୀଭୂତ କରାଇବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe