Advertisment

ଗୋପାଳକଙ୍କ ଅଭିନବ ପ୍ରତିବାଦ: ଗୁହାଳ ନମିଳିବାରୁ ଗାଈ ନେଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା

Advertisment
ଗୋପାଳକଙ୍କ ଅଭିନବ ପ୍ରତିବାଦ: ଗୁହାଳ ନମିଳିବାରୁ ଗାଈ ନେଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା

ବୌଦ୍ଧ : ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅଭିନବ ପ୍ରତିବାଦ କରିଛନ୍ତି ଗୋପାଳକ। ଗାଈ ନେଇ ଧାରଣା ଦେଇଛନ୍ତି। ଗୁହାଳ ନମିଳିବାରୁ ପ୍ରାଣୀସମ୍ବଳ ବିକାଶ ବିଭାଗ ଓ ବ୍ଲକ୍‌ସ୍ତରୀୟ କୃଷକ କଲ୍ୟାଣ କର୍ମଶାଳାରେ ଆଦର୍ଶ ଗୋପାଳକ ଭାବେ ସମ୍ମାନିତ ହୋଇଥିବା କାର୍ତ୍ତିକ ମହାକୁଡ଼ ଏଭଳି ପ୍ରତିବାଦ କରିଛନ୍ତି।

ପ୍ରକାଶ ଯେ ବୌଦ୍ଧ ବ୍ଲକ୍‌ ଖଲିଆପାଲି ପଞ୍ଚାୟତ ତାଳପଦର ଗାଁର କାର୍ତ୍ତିକ ଗୋ ପାଳନ କରି ପରିବାର ପ୍ରତିପୋଷଣ କରନ୍ତି। ମୋଟ ୩୦ଟି ଗାଈ ଥିବା ବେଳେ କ୍ଷୀର ବିକ୍ରି କରି ରୋଜଗାର କରନ୍ତି। ଭଲ ଗୁହାଳ ନଥିବାରୁ ଏକ ଚାଳଛପର କୁଡ଼ିଆରେ ଗାଈ ରଖୁଛନ୍ତି। ବର୍ଷା, କାକରରେ ଗାଈଙ୍କ ଦୁର୍ଦ୍ଦଶା ସହି ପାରୁନଥିବା କାର୍ତ୍ତିକ ପ୍ରକାଶ କରିଛନ୍ତି। ମନ୍‌ରେଗା ଯୋଜନାରେ ଆଦର୍ଶ ଗାଈ ଗୁହାଳ ଯୋଜନା ଆରମ୍ଭ ହେବାଠାରୁ ପଞ୍ଚାୟତ ଓ ବ୍ଲକ୍‌ରେ ଆବେଦନ କରି ଆସୁଛନ୍ତି। ପଲ୍ଲିସଭାରେ ତାଙ୍କ ନାମ ଅନୁ‌ମୋଦନ ହୋଇଥିଲେ ସୁଦ୍ଧା ଯୋଜନାରେ ସାମିଲ କରାଯାଉ ନାହିଁ। ସରକାରୀ ଅଧିକାରୀଙ୍କ ଅବହେଳାରେ ଜର୍ଜରିତ ହୋଇ ଶେଷରେ ଅଭିନବ ଉପାୟରେ ଦାବି ଉପସ୍ଥାପନ କରିଛନ୍ତି।

ମୋଟ ୩୦ଟି ଗାଈ ମଧ୍ୟରୁ ତିନିଟି ଗାଈଙ୍କୁ ଅଢ଼େଇ ହଜାର ଟଙ୍କା ଭଡ଼ା ଦେଇ ଏକ ଭ୍ୟାନରେ ନେଇ ୪୦ କିମି ଦୂର ବୌଦ୍ଧ ପହଞ୍ଚିଥିଲେ। ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଗାଈଙ୍କୁ ଗାଡ଼ିରୁ ଓହ୍ଲାଇବା ପରେ ଅଫିସ ଫାଟକ ନିକଟରେ ଗାଈ ବାନ୍ଧି ପୁଅ ରୋହିତ, ଭାଇ ସୁରେନ୍ଦ୍ର ଓ ଦିଲୀପ, ଭଣଜା ଅଯତନ ଓ ଶ୍ରୀହରିଙ୍କ ସହ ଧାରଣାରେ ବସିଥିଲେ। ଜିଲ୍ଲାପାଳ କୌଣସି ଫଇସଲା ନକରିବା ପର୍ଯ୍ୟନ୍ତ ଧାରଣାରୁ ହଟିବେ ନାହିଁ କି ଆହାର ଗ୍ରହଣ କରିବେ ନାହିଁ କହି ପଘା ଧରି ବାପ ପୁଅ ଠିଆ ହୋଇ ରହିଥିଲେ। ବହୁ ସମୟ ପରେ ଜଣେ ଅଧିକାରୀ ଆସି ପାଞ୍ଚଦିନ ମଧ୍ୟରେ ଗୁହାଳର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଘରକୁ ଫେରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe