ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମ ମାମଲାରେ ଆଜି କ୍ରାଇମ୍ବ୍ରାଞ୍ଚ ବ୍ରହ୍ମପୁରର ଦୁଇଟି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି। ଘଟଣା ଘଟିବାର ମାତ୍ର ୪୪ ଦିନ ଭିତରେ ଅଭିଯୁକ୍ତଙ୍କ ନାମରେ ମୋଟ ୫୭୪ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଛି। ଜେଏମ୍ଏଫ୍ସି (ଗ୍ରାମାଞ୍ଚଳ) ରିତିକା ଜେନାଙ୍କ କୋର୍ଟରେ ୫ଜଣ ଅଭିଯୁକ୍ତଙ୍କ ନାମରେ ଚାର୍ଜସିଟ୍ ଦାଖଲ ହୋଇଥିବା ବେଳେ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ (ଜେଜେବି) ନିକଟରେ ୪ଜଣ ନାବାଳକଙ୍କ ନାମରେ ଚାର୍ଜସିଟ୍ ଦାଖଲ ହୋଇଛି। କିନ୍ତୁ ପୁଲିସ ଏହି ଦୁଷ୍କର୍ମ ମାମଲାରେ ମୋଟ ୧୦ଜଣଙ୍କୁ ଧରିଥିଲା। ସେମାନଙ୍କ ମଧ୍ୟରୁ ୬ଜଣ ସାବାଳକ ରହିଥିବା ବେଳେ ୪ଜଣ ନାବାଳକ ରହିଥିଲେ। ଏହା ଏକ ଅତି ସମ୍ବେଦଶୀଳ ଅପରାଧ ମାମଲା ହୋଇଥିବାରୁ ପୁଲିସ ଅଭିଯୁକ୍ତ ନାବାଳକଙ୍କୁ ସାବାଳକ ଭାବେ ବିଚାର କରିବାକୁ କୋର୍ଟରେ ଆବେଦନ କରିଥିଲା। ପରବର୍ତ୍ତୀ ସମୟରେ ସରକାର ଏହି ମାମଲାକୁ ରେଡ୍ଫ୍ଲାଗ୍ ଅନ୍ତର୍ଭୁକ୍ତ କରି କ୍ରାଇମ୍ବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ। କ୍ରାଇମ୍ବ୍ରାଞ୍ଚ ମାମଲାର ତଦନ୍ତ କରିବା ସହିତ ସିନ୍ ରିକ୍ରିଏସନ୍ କରି ବିଭିନ୍ନ ଦିଗରୁ ତଥ୍ୟ ପ୍ରମାଣ ସଂଗ୍ରହ କରି ୫ଜଣ ସାବାଳକଙ୍କୁ ଅଭିଯୁକ୍ତ ଦର୍ଶାଇ ଚାର୍ଜସିଟ୍ ଦାଖଲ କରିଛି। ଜଣେ ସାବାଳକଙ୍କୁ ଚାର୍ଜସିଟ୍ରୁ ବାଦ୍ ଦିଆଯାଇଛି। ବର୍ତ୍ତମାନ ୬ଜଣ ଅଭିଯୁକ୍ତ ଜେଲ୍ରେ ଥିବା ବେଳେ ୪ଜଣ ନାବାଳକ ବାଳ ସୁଧାର ଗୃହରେ ରହିଛନ୍ତି। ତେବେ କ୍ରାଇମ୍ବ୍ରାଞ୍ଚ ଚାର୍ଜସିଟ୍ରୁ ବାଦ୍ ପଡ଼ିଥିବା ଯୁବକଙ୍କୁ ପୁଲିସ କେଉଁ ଆଧାରରେ ଗିରଫ କରିଥିଲା ତାହା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଗୋପାଳପୁର ବେଳାଭୂମିରେ ଜୁନ୍ ୧୫ ତାରିଖ ସଂଧ୍ୟାରେ ଜଣେ ଯୁକ୍ତ୩ ଶେଷବର୍ଷ ଛାତ୍ରୀଙ୍କୁ ତାଙ୍କ ପୁରୁଷବନ୍ଧୁଙ୍କ ଉପସ୍ଥିତିରେ ଗଣଦୁଷ୍କର୍ମ ହୋଇଥିଲା। ଏହି ଘଟଣାରେ ଗୋପାଳପୁର ଥାନା ପୁଲିସ କେସ୍ ନମ୍ବର ୧୮୬/୨୫ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଘଟଣା ରାତିରେ ହିଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୬ଜଣ ଯୁବକଙ୍କୁ ଧରିଥିଲା। ସେମାନେ ହେଲେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ହୁଣ୍ଡତ ଗ୍ରାମର ପ୍ରମୋଦ ନାୟକ, ହିଂଜିଳିକାଟୁ ଥାନା ବୁରୁପଡ଼ାର ବାବୁରାମ ଦଳାଇ, ପାଟପୁର ଥାନା ବେଲଗାଁର କୁନାଲ ପ୍ରଧାନ, ହିଂଜିଳିକାଟୁ ଥାନା ସିକିରିର ଓମ୍ ପ୍ରଧାନ, ବୁରୁପଡ଼ାର ଲକ୍ଷ୍ମଣ ପ୍ରଧାନ ଓ ଦୀପକ ତରାଇ। ପରବର୍ତ୍ତୀ ସମୟରେ ପୁଲିସ ଅନ୍ୟ ୪ଜଣ ନାବାଳକଙ୍କୁ ମଧ୍ୟ କାବୁ କରିଥିଲା। ୧୭ତାରିଖରେ ରାଜ୍ୟ ସରକାର ଏହି ମାମଲାର ତଦନ୍ତଭାର କ୍ରାଇମ୍ବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ। କ୍ରାଇମ୍ବ୍ରାଞ୍ଚ ଆଇଜି ଏସ୍. ସାଇନିଙ୍କ ନେତୃତ୍ୱରେ ଏକ ଟିମ୍ ଗୋପାଳପୁରରେ କ୍ୟାମ୍ପ୍ କରି ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ କରିଥିଲା। ଏପରିକି କ୍ରାଇମ୍ବ୍ରାଞ୍ଚ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ମାରାଥନ୍ ଜେରା କରିଥିଲା। ଏହି ସହିତ ଜେଲ୍ରେ ଅଭିଯୁକ୍ତଙ୍କ ଟିଆଇ ପରେଡ୍ କରାଯାଇଥିଲା। ପୀଡ଼ିତାଙ୍କ ବୟାନ, ମାମଲାର ତଦନ୍ତ ରିପୋର୍ଟ ଓ ସାଇଣ୍ଟିଫିକ୍ ପ୍ରମାଣକୁ ଆଧାର କରି କ୍ରାଇମ୍ବ୍ରାଞ୍ଚ ୫ଜଣ ଯୁବକ ଓ ୪ଜଣ ନାବାଳକଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି।
Follow Us