ବିକ୍ରମଙ୍କୁ ଗୋପାଳପୁର ଦାୟିତ୍ବ: ଅଲୋଡ଼ା ହୋଇଗଲେ କି ଗୋପବନ୍ଧୁ ?

Advertisment
ବିକ୍ରମଙ୍କୁ ଗୋପାଳପୁର ଦାୟିତ୍ବ: ଅଲୋଡ଼ା ହୋଇଗଲେ କି ଗୋପବନ୍ଧୁ ?

ସୁଦୀପ୍ତ ଷଡ଼ଙ୍ଗୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିର୍ବାଚନମଣ୍ଡଳୀକୁ ନେଇ ବିଜେଡି ଏବେ ଚିନ୍ତାରେ। ଏହି ନିର୍ବାଚନମଣ୍ଡଳୀର ଦାୟିତ୍ବ କିଏ ମୁଣ୍ଡାଇବ ତାକୁ ନେଇ ନାନା ପରୀକ୍ଷା କରାଯାଉଛି। ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ବିଜେଡିରୁ ବିଦା ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାଶଙ୍କୁ ନିର୍ବାଚନମଣ୍ଡଳୀର ଦାୟିତ୍ବ ଦିଆଯାଇଥିଲା। ଏବେ ତାଙ୍କ ସ୍ଥାନରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ ନିର୍ବାଚନମଣ୍ଡଳୀର ସାଙ୍ଗଠନିକ ଦାୟିତ୍ବ ଦିଆଯାଇଥିବା ନେଇ ବ୍ରହ୍ମପୁର ଲୋକସଭା ପର୍ଯ୍ୟବେକ୍ଷକ ତଥା ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଘୋଷଣା କରିଛନ୍ତି। ସେପଟେ ଗୋପାଳପୁର ବିଜେଡିର ପ୍ରମୁଖ ଗୋପବନ୍ଧୁଙ୍କୁ ମଙ୍ଗୁଆଳ ଦାୟିତ୍ବରୁ ହଟାଇବା ପଛରେ କଣ କାରଣ ରହିଛି, ତାକୁ ନେଇ ଏବେ ନାନା ଚର୍ଚ୍ଚା ଆରମ୍ଭ ହୋଇଛି।

ଗୋପାଳପୁର ବିଧାୟକ ଡ. ପାଣିଗ୍ରାହୀ ଦଳରୁ ବିଦା ହେବା ପରେ ଏହି ନିର୍ବାଚନମଣ୍ଡଳୀକୁ ବିଜେଡି ଅଧିକ ଫୋକସ୍‌ କରିଛି। ଗତ ୨୦୨୨ ପଞ୍ଚାୟତ ଓ ପୌର ନିର୍ବାଚନ ସମୟରେ ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ତତ୍ତ୍ବାବଧାନରେ ତାଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ନିର୍ବାଚନମଣ୍ଡଳୀର ଦାୟିତ୍ବ ନେଇଥିଲେ। ତାଙ୍କରି କାନ୍ଧରେ ଗୋପାଳପୁର ବିଜେଡି ଉଭୟ ନିର୍ବାଚନ ଲଢ଼ି ପୂର୍ବ ବିଜୟଧାରା ବଜାୟ ରଖିବା ସହିତ ଏକ ନୂଆ ରେକର୍ଡ଼ କରିଥିଲା। ଗୋପବନ୍ଧୁଙ୍କ ନେତୃତ୍ବରେ ବିଜେଡି ଗୋପାଳପୁର ନିର୍ବାଚନମଣ୍ଡଳୀର ୪ଟି ଜିଲ୍ଲା ପରିଷଦ ଜୋନ୍‌ ଦଖଲ କରିଥିବା ବେଳେ ରଂଗେଇଲୁଣ୍ଡା ବ୍ଲକ୍‌ ଓ ଗୋପାଳପୁର ଏନ୍‌ଏସି ଅଧ୍ୟକ୍ଷ ଆସନ ମଧ୍ୟ କବ୍‌ଜା କରିଥିଲା। ସେପଟେ ଗୋପାଳପୁର ବିଧାୟକ ପ୍ରଦୀପ ବିଭିନ୍ନ ସମୟରେ ନିଜ ନିର୍ବାଚନମଣ୍ଡଳୀ ଗସ୍ତ କରି ବିଭିନ୍ନ ପ୍ରସଙ୍ଗରେ ବିଜେଡିକୁ ଖୋଲା ଚାଲେଞ୍ଜ ଦେଇ ଚାଲିଥିଲେ। ପ୍ରଦୀପ ସେନା ମଧ୍ୟ ଲୋକଙ୍କ ନିକଟତର ହୋଇଥିଲା। ଆଗକୁ ସାଧାରଣ ନିର୍ବାଚନ ରହିଥିବା ବେଳେ ଗୋପାଳପୁରର ବିଜେଡି ଦାୟିତ୍ବ କାହାକୁ ଦିଆଯିବ ତାକୁ ନେଇ ରାଜ୍ୟ ନେତୃବୃନ୍ଦଙ୍କୁ ନେଇ ମାନସମନ୍ଥନ ହୋଇଥିଲା। ବର୍ତ୍ତମାନ ଗୋପାଳପୁର ନିର୍ବାଚନମଣ୍ଡଳୀରେ ବିଜେଡି ତାର ପୂର୍ବ ସ୍ଥିତି ଫେରାଇ ଆଣିବା ‌ସମ୍ମାନର ପ୍ରଶ୍ନ ହୋଇଛି। ଏବେ ବ୍ରହ୍ମପୁର ବିଧାୟକ ବିକ୍ରମ ଗୋପାଳପୁର ନିର୍ବାଚନମଣ୍ଡଳୀର ଦଳୀୟ କଥା ବୁଝିବେ। ତେବେ ଗୋପବନ୍ଧୁଙ୍କ ଭୂମିକା କଣ ରହିବ, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରୁ ନାହିଁ। ଗୋପବନ୍ଧୁ ପୂର୍ବଭଳି ଗୋପାଳପୁର ନିର୍ବାଚନମଣ୍ଡଳୀ ସହିତ ଜଡ଼ିତ ରହିବେ ନା ତାଙ୍କୁ କିଛି ନୂଆ ଦାୟିତ୍ବ ଦିଆଯିବ, ତାହା ଦେଖିବାକୁ ରହିଲା।

ବର୍ତ୍ତମାନ ଏଠାରେ ପ୍ରଶ୍ନ ଉଠୁଛି ଯେ, ଗୋପାଳପୁର ନିର୍ବାଚମଣ୍ଡଳୀରେ କଣ ଆଉ‌ କେହି ବିଜେଡିର ସେଭଳି ଦକ୍ଷ ନେତା ନାହାନ୍ତି, ଯିଏ କି ଦଳୀୟ ନେତୃତ୍ବ ନେଇ ପାରିବେ, ନା ବିକ୍ରମଙ୍କୁ ଏହି ଦାୟିତ୍ବ ଦେବା ପଛରେ ଅନ୍ୟ କିଛି କୌଶଳ ରହିଛି? ନିଜ ନିର୍ବାଚନମଣ୍ଡଳୀ ସହିତ ବିକ୍ରମଙ୍କୁ ଗୋପାଳପୁର କଥା ବୁଝିବାକୁ ପଡ଼ିବ। ଏ ସମ୍ପର୍କରେ ବିଧାୟକ ବିକ୍ରମ କହନ୍ତି, ମୁଖ୍ୟମନ୍ତ୍ରୀ ନିଜେ ଗୋପାଳପୁର ନିର୍ବାଚନମଣ୍ଡଳୀର ଉନ୍ନୟନମୂଳକ କାମ ତଦାରଖ କରୁଛନ୍ତି। ମୋତେ ଲୋକଙ୍କ ସୁଖଦୁଃଖ କଥା ବୁଝିବା ପାଇଁ ଦାୟିତ୍ବ ଦେଇଥିବାରୁ ମୁଁ କୃତଜ୍ଞ। ମୁଖ୍ୟମନ୍ତ୍ରୀଙ୍କ ଯୋଜନା କିଭଳି ଲୋକଙ୍କ ନିକଟରେ ଠିକ୍‌ ଭାବେ ପହଞ୍ଚିବ ସେ ଦିଗରେ ଦୃଷ୍ଟି ଦିଆଯିବା ସହିତ ଉନ୍ନୟମୂଳକ କାର୍ଯ୍ୟ ତ୍ବରାନ୍ବିତ କରିବା ଦିଗରେ ଦୃଷ୍ଟି ଦିଆଯିବ ବୋଲି ସେ କହିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ତାଙ୍କ ପ୍ରତିକ୍ରିୟାରେ କହନ୍ତି, ଦାୟିତ୍ବରେ କିଛି ନାହିଁ, ସମସ୍ତେ ମିଳିମିଶି ଦଳକୁ କିପରି ସୁଦୃଢ଼ କରିବା ତାହା ହେଉଛି ଗୁରୁତ୍ବପୂର୍ଣ୍ଣ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe