ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାର ଗୋପଳପୁର ବନ୍ଦରରୁ ଟାଟା ଷ୍ଟିଲ୍ ଏସ୍ଇଜେଡ୍ ମଧ୍ୟରେ ନିର୍ମାଣ କରାଯାଉଥିବା ୟୁଟିଲିଟି କରିଡର୍ର କାର୍ଯ୍ୟ ଚଳିତ ବର୍ଷ ସେପ୍ଟେମ୍ବର ୨୦ ସୁଦ୍ଧା ସାରିବାକୁ ସମୟ ସୀମା ଧାର୍ଯ୍ୟ ହୋଇଛି। ଗତବର୍ଷ ମାର୍ଚ୍ଚ ୨୯ରୁ ଏହି ପ୍ରକଳ୍ପର କାମ ଆରମ୍ଭ ହୋଇଥିଲା। ଇପିସି ମୋଡ୍ରେ କାର୍ଯ୍ୟକାରୀ ହେଉଥିବା ଏହି ପ୍ରକଳ୍ପର କାର୍ଯ୍ୟବରାଦ ଏଚ୍ଇଏସ୍ ଇନ୍ଫ୍ରା ପ୍ରାଇଭେଟ୍ ଲିମିଟେଡ୍କୁ ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପ ପାଇଁ ଇଡ୍କୋ ମୁଖ୍ୟ କାର୍ଯ୍ୟାଳୟରୁ ୬୩ କୋଟି ୮୮ ଲକ୍ଷ ଟଙ୍କା ଜାରି କରାଯାଇଛି। ସେଥିରୁ ୬୨ କୋଟି ୫୨ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ପାଖରେ ପାଣ୍ଠି ନଥିବାରୁ ଜୁନ ମାସ ଆବଶ୍ୟକତା ପୂରଣ କରିବା ଲାଗି ଇଡ୍କୋ ବ୍ରହ୍ମପୁର ଡିଭିଜନ ପକ୍ଷରୁ ୧୧ କୋଟି ୮୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଇଡ୍କୋ ଭୁବନେଶ୍ବର କାର୍ଯ୍ୟାଳୟର ସିଜିଏମ୍ଙ୍କୁ ଅବଗତ କରାଯାଇଛି। ପ୍ରକଳ୍ପ କାର୍ଯ୍ୟ ନିର୍ଧାରିତ ଯୋଜନା ଅନୁସାରେ ଅଗ୍ରଗତି କରୁଥିବା ବ୍ରହ୍ମପୁର ଡିଭିଜନ ଜଣାଇଛି।
ଗୋପାଳପୁରରେ ୟୁଟିଲିଟି କରିଡର୍ ନିର୍ମାଣ ଲାଗି ୨୦୨୩ରେ ଘୋଷଣା କରାଯାଇଥିଲା। ତିନି କିଲୋମିଟର ଲମ୍ବ ଓ ୬୦ ମିଟର ଚଉଡ଼ାର ଏହି କରିଡର୍ ବିକାଶ କରିବା ଲାଗି ୧୪୦ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ଇଡ୍କୋ ପକ୍ଷରୁ ସେଥିପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା। ୨୦୨୪ ମେ’ରେ ଏଚ୍ଇଏସ୍ ଇନ୍ଫ୍ରା ଏହି ପ୍ରକଳ୍ପର କାର୍ଯ୍ୟବରାଦ ହାସଲ କରିଥିଲା। ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ପରେ ଟାଟା ଷ୍ଟିଲ୍ ଏସ୍ଇଜେଡ୍ରୁ ଗୋପାଳପୁର ବନ୍ଦର ମଧ୍ୟରେ କଞ୍ଚାମାଲ ଓ ଉତ୍ପାଦିତ ସାମଗ୍ରୀ ପରିବହନ ତ୍ବରାନ୍ବିତ ହୋଇପାରିବ। ପ୍ରାରମ୍ଭିକ ସମୟରେ ୧୮ ମାସ ଭିତରେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା।
Follow Us