India.com
ଭୁବନେଶ୍ବର : ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀ ଦୈନିକ ୨୪ଘଣ୍ଟାରୁ ୧୪ ଘଣ୍ଟା ପାଠ ପଢ଼। ୬ ଘଣ୍ଟା ଶୋଇବା ପାଇଁ ଓ ୪ ଘଣ୍ଟା ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ଦିଅ। ଶୋଇବା ସମୟ ରାତି ୧୦ଟାରୁ ଭୋର୍ ୪ଟା କିମ୍ବା ରାତି ୧୧ଟାରୁ ସକାଳ ୫ଟା ହେବା ଆବଶ୍ୟକ। ମାଟ୍ରିକ୍ ପରୀକ୍ଷା ପୂର୍ବରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଏଭଳି କିଛି ସହଜ ଟିପ୍ସ ବା ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର। କରୋନା ମହାମାରୀ ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହୋଇଥିବାରୁ ଚଳିତବର୍ଷ ପ୍ରଥମଥର ଲାଗି ଏଭଳି ପଦକ୍ଷେପ ନିଆଯାଇଛି। ଛାତ୍ରଛାତ୍ରୀ କିଭଳି ଭଲ ସଫଳତା ପାଇପାରିବେ, ସେନେଇ ମଧ୍ୟରେ ଉଲ୍ଲେଖ କରାଯାଇଛି। ସହଜ ଉପାୟଗୁଡ଼ିକ ସମ୍ପର୍କରେ ପ୍ରତ୍ୟେକ ଉଚ୍ଚ ବିଦ୍ୟାଳୟ(ହାଇସ୍କୁଲ)ରେ ଆଲୋଚନା କରିବା ପାଇଁ କୁହାଯାଇଛି।
ଛାତ୍ରଛାତ୍ରୀମାନଙ୍କୁ ସକାଳୁ ଉଠିବା ପରେ ନିତ୍ୟକ୍ରମ ସାରି ବ୍ୟାୟାମ ଓ ଯୋଗ କରିବାକୁ ମଧ୍ୟ କୁହାଯାଇଛି ଏବଂ ବିଷୟର ଗୁରୁତ୍ବ ଦେଖି ପ୍ରତ୍ୟେକ ବିଷୟ ପାଇଁ ଦେଢ଼ରୁ ଦୁଇ ଘଣ୍ଟା ସମୟ ଦେବାକୁ କୁହାଯାଇଛି। ସରକାର ପରାମର୍ଶ ଦେଇ ଆହୁରି କହିଛନ୍ତି; ବାହାର ତେଲଯୁକ୍ତ ଖାଦ୍ୟ ଖାଇବ ନାହିଁ। ଏହା ଖାଇଲେ ଶରୀର ଭାରିଭାରି ଲାଗିବ, ନିଦ ଆସିବ। ଦିନକୁ ୬ରୁ ୮ ଗ୍ଲାସ୍ ଉଷୁମ ପାଣି ପିଇବ। ଶୋଇବା ପୂର୍ବରୁ ଗରମ କ୍ଷୀର କିମ୍ବା ନଖ ଉଷୁମ ଲେମ୍ବୁପାଣି ପିଇଲେ ଭଲ ନିଦ ହୋଇଥାଏ। ଭଲ ନିଦ ହେବା ଦ୍ବାରା ପରବର୍ତ୍ତୀ ଦିନ ମନ ଫୂର୍ତ୍ତି ରହେ। ପଢ଼ିବା ପାଇଁ ଆଗ୍ରହ ଆସେ। ଦିନକୁ ୫ଟି ସେକ୍ସନ(ଅଧିବେଶନ)ରେ ବିଭକ୍ତ କରି ୩୦ ମିନିଟ୍ ଲେଖାଏଁ ବ୍ୟବଧାନରେ ପଢ଼। ସକାଳ ୬ଟାରୁ ୯ଟା ୩୦, ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୧ଟା ୩୦ ପ୍ରି-ଲଞ୍ଚ ସେକ୍ସନ, ଅପରାହ୍ଣ ୨ଟା ୩୦ରୁ ୪ଟା ୩୦ ପୋଷ୍ଟ-ଲଞ୍ଚ ସେକ୍ସନ, ସନ୍ଧ୍ୟା ୫ଟା ୩୦ରୁ ରାତି ୯ଟା ଯାଏ ସନ୍ଧ୍ୟା ଅଧିବେଶନ ଓ ରାତି ୯ଟା ୩୦ରୁ ୧୧ଟା ପର୍ଯ୍ୟନ୍ତ ପରୀକ୍ଷାର୍ଥୀ ଲେଖିବା ଅଭ୍ୟାସ କର।
ଫେବ୍ରୁଆରି ୨୮ ସୁଦ୍ଧା ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ। ପ୍ରଧାନ ଶିକ୍ଷକମାନେ ସୁବିଧା ଅନୁସାରେ ଆଲୋଚନାର ବ୍ୟବସ୍ଥା କରିବେ। ବିଷୟବସ୍ତୁଗୁଡ଼ିକର ପ୍ରିଣ୍ଟ ପ୍ରତ୍ୟେକ ହାଇସ୍କୁଲକୁ ପହଞ୍ଚାଇବା ଦିଗରେ ଜିଲ୍ଲାରେ ଥିବା ହେଲ୍ପଲାଇନ୍ର ନୋଡାଲ ଅଧିକାରୀ ବ୍ୟବସ୍ଥା କରିବେ। ଏହି ବାବଦରେ ଖର୍ଚ୍ଚ ପ୍ରୋଜେକ୍ଟ ମ୍ୟାନେଜ୍ମେଣ୍ଟରୁ ବହନ କରାଯିବ। ବିଦ୍ୟାଳୟର ଅଭିଜ୍ଞ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଆଲୋଚନାର ଦାୟିତ୍ବ ଦିଆଯିବ। ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ), ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିପିସି) ଏ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି। ଅଭିଭାବକ ଓ ଶିକ୍ଷକମାନଙ୍କୁ ବି ଟିପ୍ସ ଦିଆଯାଇଛି। ଶିକ୍ଷକମାନେ ପିଲାମାନଙ୍କୁ ଭଲ ଭାବେ ପ୍ରସ୍ତୁତ କରିବେ। ପ୍ରଶ୍ନପତ୍ର ସଂପର୍କରେ ବାରମ୍ବାର ଅଭ୍ୟାସ କରାଇବେ। ବିଷୟବସ୍ତୁ ଉପରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା କରିବେ, ଯେଉଁଥିରେ ବିଭିନ୍ନ ଦଳ ରହିବେ। ଏଭଳି ପ୍ରଶ୍ନୋତ୍ତର ଦ୍ବାରା ପିଲାମାନେ ସେହି ବିଷୟକୁ ଆହୁରି ଭଲ ବୁଝି ପାରିବେ।
Follow Us