ସରକାର ମାନିଲେ କୋଭିଡ୍, କେନ୍ଦ୍ର ଅନୁଦାନ ହ୍ରାସ ଯୋଗୁଁ ଆର୍ଥିକ ସ୍ଥିତି ଖରାପ

Advertisment

ମହାମାରୀ ମୁକାବିଲା ପାଇଁ ଖର୍ଚ୍ଚ ହେବ ଅତିରିକ୍ତ ବଜେଟ୍‌ ଅର୍ଥ: ଅର୍ଥମନ୍ତ୍ରୀ

ମହାମାରୀ ମୁକାବିଲା ପାଇଁ ଖର୍ଚ୍ଚ ହେବ ଅତିରିକ୍ତ ବଜେଟ୍‌ ଅର୍ଥ: ଅର୍ଥମନ୍ତ୍ରୀ

ରାଜ୍ୟରେ ଏବେ ୮ ହଜାର ୨୧୩ ଜଣ ଡାକ୍ତର କାର୍ଯ୍ୟରତ: ସ୍ବାସ୍ଥ୍ୟ ମନ୍ତ୍ରୀ

image source--Deccan Chronicle

୧୧ ହଜାର ୭୦୦ କୋଟିର ଅତିରିକ୍ତ ବ୍ୟୟ ମଞ୍ଜୁରି ବିଲ୍‌ ଗୃହୀତ
ଋଣ ଭାର ୯୭, ୮୨୩ କୋଟି, ରାଜସ୍ବ ବଳକା ୬, ୭୯୦ କୋଟି
ସ୍ବାସ୍ଥ୍ୟ, ଖାଦ୍ୟ ଓ ସାମାଜିକ ସୁରକ୍ଷାକୁ ଗୁରୁତ୍ବ

ଭୁବନେଶ୍ୱର : ସରକାର ଯେତେ ଯାହା କହିଲେ ବି କୋଭିଡ ମହାମାରୀ ପ୍ରଭାବ ରାଜ୍ୟର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି। ଖାଲି ସେତିକି ନୁହେଁ, କେନ୍ଦ୍ରୀୟ ଅନୁଦାନ ହ୍ରାସ ଓ କେନ୍ଦ୍ରୀୟ ଟିକସରେ ରାଜ୍ୟ ଅଂଶ କମିବା ସରକାରଙ୍କ ଚିନ୍ତା ବଢ଼ାଇଦେଇଛି। ଆଜି ବିଧାନସଭାରେ ଚଳିତ ଆର୍ଥିକ ବର୍ଷ ପାଇଁ ବ୍ୟୟ ମଞ୍ଜୁରି (ଦ୍ବିତୀୟ) ବିଲ୍‌-୨୦୨୦ ଆଲୋଚନା ପରେ ଗୃହରେ ଉତ୍ତର ରଖିବା ବେଳେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି କଥାକୁ ସ୍ବୀକାର କରିଛନ୍ତି। କହିଛନ୍ତି, କୋଭିଡ୍‌ ମହାମାରୀ ମୁକାବିଲା କ୍ଷେତ୍ରରେ ସରକାରଙ୍କୁ ସଫଳତା ମିଳିଥିଲେ ବି ପର୍ଯ୍ୟାପ୍ତ ପାଣ୍ଠିର ଆବଶ୍ୟକତା ରହିଛି। ତେଣୁ ଅତିରିକ୍ତ ବଜେଟ୍‌ ଅର୍ଥ କୋଭିଡ ପରିଚାଳନା ପାଇଁ ଖର୍ଚ୍ଚ ହେବ। ରାଜ୍ୟର ଋଣଭାର ୯୭ ହଜାର ୮୨୩ କୋଟି ଥିବାବେଳେ ବଳକା ରାଜସ୍ବ ପରିମାଣ ୬ ହଜାର ୭୯୦ କୋଟି ଟଙ୍କାରେ ପହଞ୍ଚିଛି। ମୋଟ୍‌ ୧୧ ହଜାର ୭୦୦ କୋଟି ଟଙ୍କାର ବ୍ୟୟ ମଞ୍ଜୁରି ବିଲ୍‌ ଗୃହର ଅନୁମୋଦନ ଲାଭ କରିଛି।

ଶ୍ରୀ ପୂଜାରୀ କହିଥିଲେ, ମହାମାରୀ କୋଭିଡ୍‌-୧୯ ଯୋଗୁଁ ଜନସାଧାରଣଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ଏହାକୁ ପୁଣି ଥରେ ସ୍ବାଭାବିକ କରିବା ପାଇଁ ୨୦୨୦-୨୧ ଆର୍ଥିକ ବର୍ଷ ମୂଳ ବଜେଟ୍‌ରେ ପ୍ରାଥମିକତା କ୍ଷେତ୍ର ପାଇଁ ବ୍ୟୟବରାଦ ହୋଇଥିବା ଅର୍ଥରାଶି ସଂଶୋଧନ କରିବାକୁ ପଡ଼ିଛି। ନଅ ମାସ ହେଲାଣି ରାଜ୍ୟ ସରକାର କୋଭିଡ ମହାମାରୀ ବିରୋଧରେ ସଂଗ୍ରାମ ଜାରି ରଖିଛନ୍ତି। ରାଜ୍ୟରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ହେବାର ଯଥେଷ୍ଟ ପୂର୍ବରୁ ଅନେକ ଜିଲ୍ଲାରେ କୋଭିଡ ଡାକ୍ତରଖାନା ପ୍ରତିଷ୍ଠା କରାଯାଇଥିଲା। ରାଜ୍ୟ ବାହାରୁ ଫେରିଥିବା ଲୋକଙ୍କୁ ବାଧ୍ୟତାମୂଳକ ପଞ୍ଜୀକରଣ ଓ ସଂଗରୋଧ ଫଳରେ ଅଧିକାଂଶ ସଂକ୍ରମିତଙ୍କ ସଂଖ୍ୟା କେବଳ ସଂଗରୋଧ କେନ୍ଦ୍ରରେ ସୀମିତ ରହିଲା। ଯାହାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପ୍ରଶଂସା କରିଛି। ଏବେ ଅନ୍ୟ ଦେଶମାନଙ୍କରେ କୋଭିଡ-୧୯ ସଂକ୍ରମଣର ଆଉ ଏକ ଲହରୀ ଦେଖାଦେଇଥିବାରୁ ରାଜ୍ୟରେ ଏହାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ଅତିରିକ୍ତ ବଜେଟ୍‌ ସ୍ବାସ୍ଥ୍ୟ, ଖାଦ୍ୟ ଓ ସାମାଜିକ ସୁରକ୍ଷା, ଜୀବିକା, ରୋଜଗାର ସୃଷ୍ଟି କ୍ଷେତ୍ରରେ ବିନିଯୋଗ କରାଯିବ। ଏହାସହିତ କରୋନା ଯୋଦ୍ଧାଙ୍କୁ ସହାୟତା, ହସ୍ତତନ୍ତ, ବୟନଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ପାଇଁ ଘୋଷଣା କରାଯାଇଥିବା ସହାୟତା ପ୍ୟାକେଜ୍‌ ବାବଦରେ ପାଣ୍ଠି ବ୍ୟୟ ବରାଦ କରାଯାଇଛି।

ବଜେଟ୍‌ରେ ସର୍ବମୋଟ ୭ ହଜାର ୪୩୮ କୋଟି ଟଙ୍କା କାର୍ଯ୍ୟକ୍ରମ ବ୍ୟୟ ବାବଦରେ ବରାଦ କରାଯାଇଛି। ସେଥିରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପାଇଁ ୧୬୨୭ କୋଟି, ପଞ୍ଚାୟତି ରାଜ ଓ ପାନୀୟ ଜଳ ପାଇଁ ୨୦୪୧ କୋଟି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପାଇଁ ୧୦୭୭ କୋଟି, ଭିତ୍ତିଭୂମି କ୍ଷେତ୍ର ପାଇଁ ୧୬୦୩ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହାସହିତ ଜନସ୍ବାସ୍ଥ୍ୟ ପାଇଁ ୧୬୨୭ କୋଟିରୁ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା ମିସନ ଅଧିନରେ ଭେଷଜ ମହାବିଦ୍ୟାଳୟ, ପ୍ରାଥମିକ ଓ ମାଧ୍ୟମିକ ସ୍ବାସ୍ଥ୍ୟ ଅନୁଷ୍ଠାନଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ୧୦୦ କୋଟି, ସ୍ବାସ୍ଥ୍ୟ କ୍ଷେତ୍ରରେ ଆନୁସଙ୍ଗିକ ସେବାଗୁଡ଼ିକୁ ସୁଦୃଢ଼ କରିବା ପାଇଁ ୪୦୯ କୋଟି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଔଷଧ କିଣା, ଆପାତ୍ତକାଳୀନ ସେବା ପାଇଁ ୪୧୨ କୋଟି, ଭେଷଜ ଯନ୍ତ୍ରପାତି କିଣା ବାବଦରେ ୨୨୭ କୋଟି, ଆୟୁଷ ଯୋଜନା ପାଇଁ ୨୬ କୋଟି ଓ ଜାତୀୟ ସ୍ବାସ୍ଥ୍ୟ ମିସନ ପାଇଁ ୪୦୭ କୋଟି ବ୍ୟୟ ବରାଦ କରାଯାଇଛି।

ବ୍ୟୟ ମଞ୍ଜୁରି ବିଲ୍‌ ଆଲୋଚନା ବେଳେ ଗୃହରେ କେତେକ ସଦସ୍ୟ ରାଜ୍ୟର ଋଣଭାର ଉପରେ ଚିନ୍ତା ପ୍ରକଟ କରିଥିଲେ। ଏ ନେଇ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ, ରାଜ୍ୟର ଋଣଭାର ପୋଷଣୀୟ ସ୍ଥିତିରେ ଅଛି। ବିତ୍ତୀୟ ପରିଚାଳନା ଆଇନ ୨୦୦୫ ଅନୁଯାୟୀ ରାଜ୍ୟର ଋଣଭାର ସାମଗ୍ରିକ ଘରୋଇ ଉତ୍ପାଦର ୨୫% ମଧ୍ୟରେ ରହିବା ନିୟମ ରହିଛି। ସେହିପରି ଋଣ ବାବଦ ସୁଧ ପ୍ରଦାନ ପାଇଁ ମୋଟ ରାଜସ୍ବ ପ୍ରାପ୍ତିର ୧୫% ରହିବା ଦରକାର। ଏ ଦୃଷ୍ଟିରୁ ୨୦୨୦ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଆମର ସମୁଦାୟ ଋଣ ଭାର ୯୭ ହଜାର ୮୨୩ କୋଟି ରହିଛି। ଯାହାକି ଜିଏସ୍‌ଡିପିର ୧୬.୪%। ସୁଧ ପ୍ରଦାନ ହାର ସାମଗ୍ରିକ ରାଜସ୍ବ ପ୍ରାପ୍ତିର ୩.୪%ରେ ସୀମିତ ରହିଛି। ମହାମାରୀର କୁପ୍ରଭାବ ସତ୍ତ୍ବେ ସରକାର ଜନସାଧାରଣଙ୍କ ଜୀବନ ଜୀବିକା ସୁରକ୍ଷା ନିମିତ୍ତ ଖର୍ଚ୍ଚରେ ସାଲିସ କରିନାହାନ୍ତି କି ବିତ୍ତୀୟ ଉତ୍ତରଦାୟିତ୍ବ ନିୟମକୁ ପାଳନ କରିଛନ୍ତି।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଖଣି ଦୁର୍ନୀତି ନେଇ ଉଠାଇଥିବା ପ୍ରଶ୍ନ ଉପରେ ଉତ୍ତର ରଖି ଶ୍ରୀ ପୂଜାରୀ କହିଥିଲେ, ୯ଟି ଖଣି ବେଆଇନ୍‌ ଉତ୍ତୋଳନ କରିଥିବା ମାମଲା ଓଡ଼ିଶା ଲୋକାୟୁକ୍ତଙ୍କ ବିଚାରାଧୀନ ରହିଛି। ରାଜ୍ୟ ସରକାର ମାନ୍ୟବର ଲୋକାୟୁକ୍ତଙ୍କ ନିକଟରେ ତାଙ୍କର ପକ୍ଷ ରଖିସାରିଛନ୍ତି। ଏହି ମାମଲାରେ ଲୋକାୟୁକ୍ତଙ୍କ ଆଦେଶକୁ ଅପେକ୍ଷା କରିବାକୁ ପଡ଼ିବ। ମିନେରାଲ୍‌ ବିୟରିଂ ଲ୍ୟାଣ୍ଡ୍‌ କର ବାବଦରେ ଶ୍ରୀ ମିଶ୍ରଙ୍କ ଦାବିକୁ ବିଚାର କରି ଉଚିତ୍‌ ପଦକ୍ଷେପ ନେବାକୁ ଇସ୍ପାତ ଓ ଖଣିମନ୍ତ୍ରୀଙ୍କୁ ଅନୁରୋଧ କରିବେ ବୋଲି ଶ୍ରୀ ପୂଜାରୀ ଗୃହରେ ପ୍ରତିଶ୍ରୁତି ଦେଇଥିଲେ। କରୋନା ମହାମାରୀ ପ୍ରଭାବ ଜାରି ରହିଥିଲେ ବି ଗତବର୍ଷ ସେପ୍ଟେମ୍ବର ସୁଦ୍ଧା ରାଜସ୍ବ ସଂଗ୍ରହ ତୁଳନାରେ ପ୍ରାୟ ୧.୭% ବୃଦ୍ଧି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe