ସରକାରୀ ବସ୍‌ ଓଲଟିଲା: ୨ ମୃତ, ୩୧ ଆହତ

ବାରିପଦାରୁ ଅନୁଗୁଳ ଆସୁଥିବା ସରକାରୀ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ରବିବାର ଅପରାହ୍‌ଣ ପ୍ରାୟ ସାଢ଼େ ୪ଟା ବେଳେ ଅନୁଗୁଳ କଣିହାଁ ବ୍ଲକ ସମଲ ଥାନା ଗହମ ଗାଁ ନିକଟସ୍ଥ ବାରୁଆଁ ପାହାଡ଼ ତଳ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା।

fhfhfhfh

କଣିହାଁ/ତାଳଚେର: ବାରିପଦାରୁ ଅନୁଗୁଳ ଆସୁଥିବା ସରକାରୀ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ରବିବାର ଅପରାହ୍‌ଣ ପ୍ରାୟ ସାଢ଼େ ୪ଟା ବେଳେ ଅନୁଗୁଳ କଣିହାଁ ବ୍ଲକ ସମଲ ଥାନା ଗହମ ଗାଁ ନିକଟସ୍ଥ ବାରୁଆଁ ପାହାଡ଼ ତଳ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ୩୧ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଗୁରୁତର ଯାତ୍ରୀମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। 

ସୂଚନା ଅନୁସାରେ, ଓଏସ୍‌ଆରଟିସିର ଏକ ବସ୍‌ (ଓଡି୧୯-କେ-୯୨୦୪) ବାରିପଦାରୁ ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ ନେଇ ଅନୁଗୁଳ ଆସୁଥିଲା। ଅନୁଗୁଳରେ ପହଞ୍ଚିବା ପୂର୍ବରୁ ବସ୍‌ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ବସ୍‌ ଭିତରେ ଚାପି ହୋଇ ୨ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ସେମାନେ ହେଲେ ଝାଡ଼ଖଣ୍ଡ ରାଜ୍ୟ ସିଂହଭୂମ ଜିଲ୍ଲା ପୋଟକା ଥାନା ଅଞ୍ଚଳର ରାଧାକାନ୍ତ ମୁଣ୍ଡା ଏବଂ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଥାନା ଅଞ୍ଚଳର ସମୀର ମହାନ୍ତ। ଏପଟେ ବହୁ ଯାତ୍ରୀ ବସ୍‌ ଭିତରେ ଫସି ରହିଥିଲେ। ସ୍ଥାନୀୟ ଲୋକେ, ପୁଲିସ ଓ ଅଗ୍ନିଶମ ବାହିନୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରି ତାଳଚେର ଗୋଡ଼ିବନ୍ଧ ଡାକ୍ତରଖାନାକୁ ପଠାଇଥିଲେ। ୯ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ୬ ଜଣ ଗୁରୁତରଙ୍କୁ ତାଳଚେର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଥିଲା। ଅନ୍ୟ ୧୫ ଜଣଙ୍କୁ ଗୋଡ଼ିବନ୍ଧ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନେ ସୁସ୍ଥ ଅଛନ୍ତି। ସେମାନଙ୍କୁ ସ୍ବତନ୍ତ୍ର ବସ୍‌ କରି ମୟୂରଭଞ୍ଜ ପଠାଯାଇଛି।  

ଦୁର୍ଘଟଣା ପରେ ତାଳଚେର ଉପଜିଲ୍ଲାପାଳ ସମୀର କୁମାର ଜେନା, ତାଳଚେର ଏସ୍‌ଡିପିଓ ମାନସ ରଂଜନ ବାରିକ ପହଞ୍ଚି ଆହତଙ୍କୁ  ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଚିକିତ୍ସାର ତଦାରଖ କରିଥିଲେ। ପରେ ଅନୁଗୁଳ ଜିଲ୍ଲାପାଳ ଅବଦଲ ଏମ୍‌. ଅଖତର ଓ ଅନୁଗୁଳ ଏସ୍‌ପି ରାହୁଲ ଜୈନ ଗୋଡ଼ିବନ୍ଧ ଓ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଆହତଙ୍କୁ ଭେଟିଥିଲେ। ଆହତମାନେ ଯେମିତି ଉପଯୁକ୍ତ ଚିକିତ୍ସା ପାଇପାରିବେ ସେଥିନେଇ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ସାମାନ୍ୟ ଆହତଙ୍କୁ ୫ ହଜାର ଓ ଗୁରୁତରଙ୍କୁ ୧୦ରୁ ୨୦ ହଜାର ଯୋଗ‌ାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ପ୍ରାଥମିକ ଚିକିତ୍ସା ପରେ ଅଧିକାଂଶ ଆହତମାନଙ୍କୁ ଡାକ୍ତରଖାନାରୁ ଛାଡ଼ି ଦିଆଯାଇଛି। କଟକ ବଡ଼ଡାକ୍ତରଖାନାକୁ ୨ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିଲା ବେଳେ ଏବେ ପ୍ରାୟ ୧୦ ଜଣ ଚିକିତ୍ସାଧୀନ ଅଛନ୍ତି। ଘଟଣାସ୍ଥଳରୁ ଡ୍ରାଇଭର୍‌ ଫେରାର ହୋଇଯାଇଛନ୍ତି। ଆହତମାନଙ୍କ ମଧ୍ୟରୁ ଅଧିକାଂଶ ‌ଲୋକଙ୍କ ଘର ମୟୂରଭଞ୍ଜ ଓ ଝାଡ଼ଖଣ୍ଡରେ ବୋଲି ଜଣାପଡ଼ିଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe