ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ରହିଥିବା ୧୧ଟି ବ୍ଲକରେ ବହୁ କର୍ମଚାରୀ ନଥିବା ଯୋଗୁଁ ଜିଲ୍ଲାରେ ଉନ୍ନୟନ କାମ ଏକ ପ୍ରକାର ଠପ୍ ହୋଇ ପଡିଛି। ଏନେଇ ବିଧାନସଭାରେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ପ୍ରଶ୍ନ ମଧ୍ୟ କରିଥିଲେ। ଜିଲ୍ଲାରେ ଆବଶ୍ୟକତା ଅନୁସାରେ ପିଇଓ, କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ନଥିବା ଯୋଗୁଁ ବହୁ ଉନ୍ନୟନ କାମ ବନ୍ଦ ହୋଇ ପଡ଼ିଛି ଓ ମନ୍ଥର ଗତିରେ ଚାଲିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।
ଜିଲ୍ଲାର ଶେଷ ବ୍ଲକ ତଥା ଅନୁନ୍ନତ ବ୍ଲକ ଭାବେ ଚନ୍ଦ୍ରପୁର ବେଶ ପରିଚିତ। ଏହି ବ୍ଲକରେ ଏବେ କର୍ମଚାରୀ ମରୁଡ଼ି ପଡ଼ିଛି। ଜଣେ ଜଣେ ଅଧିକାରୀ ଦୁଇରୁ ତିନୋଟି ପଦବିରେ ରହିଛନ୍ତି। ଫଳରେ ଗୋଟିଏ ବି ପଦବିର ଠିକ ରୂପେ କାର୍ଯ୍ୟ କରିପାରୁନାହାନ୍ତି। ଯଦି ଦେଖିବା ଚନ୍ଦ୍ରପୁର ବ୍ଲକ କାର୍ଯ୍ୟାଳୟରେ ଏବିଡିଓ ନାହାନ୍ତି, ଡବ୍ଲୁଇଓ ନାହାନ୍ତି। ୮ଟି ପଞ୍ଚାୟତ ପାଇଁ ୪ ଜଣ ପିଇଓ ଅଛନ୍ତି। ଜିପିଇଓ, ଗୋଷ୍ଠୀ ଶିକ୍ଷାଧିକାରୀ, ସିଡିପିଓ ନାହାନ୍ତି। ଉନ୍ନୟନ କାର୍ଯ୍ୟର ତଦାରଖ ପାଇଁ ୮ ଜଣ କନିଷ୍ଠ ଯନ୍ତ୍ରୀ ବଦଳରେ ରହିଛନ୍ତି ମାତ୍ର ୨ ଜଣ।
ଶିକ୍ଷା ବିଭାଗରେ ଯେତିକି ଶିକ୍ଷକ ଦରକାର ସେତିକି ନଥିବା ବେଳେ ସ୍ବାସ୍ଥ୍ୟ ବିଭାଗ କଥା ନକହିବା ଭଲ। କେବଳ ଭଗବାନଙ୍କ ଭରସାରେ ଚନ୍ଦ୍ରପୁର ବ୍ଲକ କାର୍ଯ୍ୟ କରୁଛି।ରାୟଗଡା ଜିଲ୍ଲା ସଦର ମହକୁମା ଠାରୁ ପ୍ରାୟ ୭୦ କିଲୋମିଟର ଦୂର ହୋଇଥିବା ବେଳେ କାଁ ଭାଁ ଜିଲ୍ଲାସ୍ତରର ଅଧିକାରୀଙ୍କ ପାଦ ଏହି ବ୍ଲକରେ ପଡ଼େ। ଫଳରେ ଉନ୍ନୟନ କାମରେ ଢିଲା ଦେଖା ଦେଇଛି। ଏହି ବ୍ଲକଟି ସଂପୂର୍ଣ୍ଣ ଆଦିବାସୀ ଅଧ୍ୟୁଷିତ ବ୍ଲକ ହୋଇଥିବା ବେଳେ ଲୋକେ କୃଷି ଏବଂ ଦିନ ମଜୁରିଆ ଭାବେ କାମ କରି ନିଜର ପ୍ରତିପୋଷଣ କରନ୍ତି।
ବ୍ଲକର ମନରେଗା କାମ କିପରି ଚାଲିଛି ଏନେଇ ସମ୍ବାଦରେ ବିସ୍ତୃତ ରିପୋର୍ଟ କିଛି ମାସ ତଳେ ବାହାରିଥିଲା। କାମ ନକରି ଟଂକା ଚଳୁ କରାଯାଇଥିବା ଜଣାପଡିଥିଲା। ଏନେଇ ତଦନ୍ତ ମଧ୍ୟ ଚାଲିଛି। ବ୍ଲକ ଏବଂ ଜିଲ୍ଲା ଅଧିକାରୀଙ୍କର ଢିଲା ପଣ ଯୋଗୁଁ ଏଠାରେ ଦୁର୍ନୀତି ସୀମା ଲଙ୍ଘିଛି। କର୍ମଚାରୀ ମରୁଡ଼ି ରହିଥିବାରୁ ଏହାର ବାହାନା କରି ସମସ୍ତ ଉନ୍ନୟନ କାମ ଏକ ପ୍ରକାର ଠପ୍ ହୋଇ ପଡିଛି। ଏବେ ପୁଣି ପ୍ରତି ପଞ୍ଚାୟତକୁ ଆମ ଓଡ଼ିଶା, ନବୀନ ଓଡିଶା ଯୋଜନାରେ ୫୦ ଲକ୍ଷ ଟଂକା ଲେଖାଏଁ ସହଯୋଗ କରାଯାଇଛି। ଏହି କାମଗୁଡ଼ିକର ଉଚିତ ବିନିଯୋଗ କରାଯିବା ପାଇଁ ସରକାରଙ୍କ ତରଫରୁ ତାଗିଦ କରାଯାଇଛି। ବ୍ଲକରେ କାମ ଠିକ ରୂପେ ହୋଇପାରୁନଥିବାରୁ ଲୋକେ ଲୋକ ପ୍ରତିନିଧିଙ୍କୁ ଟାର୍ଗେଟ କରୁଛନ୍ତି। କର୍ମଚାରୀ ନଥିବା କହି ସରକାରୀ ବାବୁମାନେ ଗୋଟିଏ ଗୋଟିଏ କାମକୁ ମାସ ମାସ ଏବଂ ବର୍ଷ ବର୍ଷ ଧରି ବନ୍ଦ କରି ରଖୁଛନ୍ତି। ବ୍ଲକରେ ବର୍ତ୍ତମାନ ୫ କୋଟିରୁ ଉର୍ଦ୍ଧ୍ବ ଟଂକାର ଉନ୍ନୟନ କାମ ଚାଲିଥିବା ଜଣାପଡିଛି।ଆଗକୁ ଆହୁରି ଟଂକା ଆସିବ।କର୍ମଚାରୀ ମରୁଡ଼ି ପଡିଥିବା ଚନ୍ଦ୍ରପୁର ବ୍ଲକରେ କିପରି କାମ ଠିକ ରୂପେ ହେବ ତାହା ଦେଖିବାକୁ ବାକି ରହିଲା।
Follow Us