ରାଜ୍ୟରେ ସରକାର ସ୍ଥାଣୁ: ପ୍ରସନ୍ନ ଆଚାର୍ଯ୍ୟ

ରାଜ୍ୟରେ ସରକାର ସ୍ଥାଣୁ ପାଲଟି ଯାଇଛନ୍ତି। ସାମ୍ବିଧାନିକ ପଦବୀ ଖାଲି ପଡ଼ିଛି। ମହିଳା ନିର୍ଯାତନା ଶୀର୍ଷରେ ଥିବା ବେଳେ ମହିଳା କମିସନ ପଦବୀ ଖାଲି। ନ୍ୟାୟ ପାଇଁ ମହିଳାମାନେ କୁଆଡେ ଯିବେ....

Government is not movable in the state: Prasanna Acharya

Government is not movable in the state: Prasanna Acharya Photograph: (sambad.in)

ଭୁବନେଶ୍ବର: ରାଜ୍ୟରେ ସରକାର ସ୍ଥାଣୁ ପାଲଟି ଯାଇଛନ୍ତି। ସାମ୍ବିଧାନିକ ପଦବୀ ଖାଲି ପଡ଼ିଛି। ମହିଳା ନିର୍ଯାତନା ଶୀର୍ଷରେ ଥିବା ବେଳେ ମହିଳା କମିସନ ପଦବୀ ଖାଲି। ନ୍ୟାୟ ପାଇଁ ମହିଳାମାନେ କୁଆଡେ ଯିବେ। ଯଦି ସରକାର ମହିଳା କମିସନ ନିଯୁକ୍ତି ଦେବେ ନାହିଁ, ତେବେ ରାଜନୈତିକ ଉଦ୍ଦେଶ୍ୟ ରଖି କାହିଁକି ମହିଳା କମିସନକୁ ବିଦା କଲେ ବୋଲି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ରାଜ୍ୟରେ ମହିଳା କମିସନ କାର୍ଯ୍ଯ କରୁ ନଥିବା ବେଳେ ରାଜ୍ୟରେ ମହିଳାମାନଙ୍କର କି ଦୟନୀୟ ପରିସ୍ଥିତି ତାହା ଲୋକେ ବୁଝିଲେଣି। ଶିଶୁ କମିସନ ବି ଖାଲି। ରାଜ୍ୟରେ ଶିଶୁ ନିର୍ଯାତନା ଓ ନିଖୋଜ ବି ବଢ଼ିଛି। ବିଜେପି ସରକାର ଯୋଜନା ବୋର୍ଡ ଗଠନ କରିନାହିଁ। ଜିଲ୍ଲା ଯୋଜନା ବୋର୍ଡ ବି ନାହିଁ। ଜିଲ୍ଲା ଯୋଜନା ବୋର୍ଡ ଜରିଆରେ ବ୍ଲକ୍‌କୁ ବିଭିନ୍ନ ବାବଦରେ  ଟଙ୍କା ଯାଏ। ତାହା ବି ଯାଉନାହିଁ। ବିକାଶ ସମ୍ପୁର୍ଣ୍ଣ ଠପ୍ ହୋଇଛି। ବିକାଶ ନେଇ ସରକାର ମିଛ କହୁଛନ୍ତି ।

ଗ୍ରାମାଞ୍ଚଳର ବିକାଶ ପାଇଁ ଆଖି ଦୃଶିଆ ଟଙ୍କା ଯାଇନାହିଁ। ଟଙ୍କା ଯାଉନାହିଁ, କି ଟଙ୍କା ଖର୍ଚ୍ଚ ହେଉନାହିଁ। ରାଜ୍ୟରେ ଶାସନ ବ୍ୟବସ୍ଥା ଢିଲା ହୋଇଯାଇଛି। କେବଳ ସୁଭଦ୍ରା ଟଙ୍କା ଦେଲେ ଓଡ଼ିଶାର ବିକାଶ ହେବ ନାହିଁ । ସରକାର ମହିଳାଙ୍କୁ ସୁରକ୍ଷା ଦିଅନ୍ତୁ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।


ବିଧାନସଭା ମୌସୁମୀ ଅଧିବେଶନକୁ ନେଇ ସେ କହିଛନ୍ତି, ସରକାର ବିଧାନସଭାକୁ ଡରୁଛନ୍ତି।  ବର୍ଷା ସରିବାକୁ ବସିଲାଣି ମୌସୁମୀ ଅଧିବେଶନ ସରକାର ଡାକି ପାରୁନାହାନ୍ତି। ସରକାର ବିଧାନସଭାକୁ କାହିଁକି ଡରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଜନ ପ୍ରତିନିଧିମାନେ ନିଜ ଅଞ୍ଚଳ ଏବଂ ରାଜ୍ୟର ସମସ୍ୟା ସମ୍ପର୍କରେ ଆଲୋଚନା କରିବା ପାଇଁ ବିଧାନସଭା ଏକ ପ୍ରକୃଷ୍ଟ କ୍ଷେତ୍ର। ସାମ୍ବିଧାନିକ ସଂସ୍ଥାର ଦ୍ବାର ମଧ୍ୟ ସରକାର ବନ୍ଦ କରିଦେଉଛନ୍ତି। କେଉଁଠି ଆଉ ରାଜ୍ୟର ସମସ୍ୟା ଆଲୋଚନା ହେବ ବୋଲି ସେ ପ୍ରଶ୍ନ କରିଛନ୍ତି।

ମହିଳା ଅସଦାଚରଣ, ଦୁଷ୍କର୍ମ, ପିଲା ବିକ୍ରି, ଧାନ କିଣା, ବନ୍ୟା ଭଳି ଅନେକ ସମସ୍ୟା ରହିଛି। ସରକାରଙ୍କ ସଫଳତା ଏବଂ ବିଫଳତାର ରିପୋର୍ଟ ଆଲୋଚନା କୋଉଠି ହେବ। ସରକାର ଭୟ କରୁଛନ୍ତି। ବିଧାନସଭାର ଦ୍ବାର ଖୋଲିବେନି ରାସ୍ତାରେ ଆନ୍ଦୋଳନ କଲେ ମାଡ଼ ମାରିବେ, ଗୁଳି ମାରିବେ। ସରକାର ଗଣତନ୍ତ୍ର ଚାହୁଁଛନ୍ତି ନା ଏକଛତ୍ରବାଦ ଶାସକ ଚାହୁଁଛନ୍ତି ତାହାର ଜବାବ ଦିଅନ୍ତୁ।   ସରକାର ଏ ମନୋବୃତ୍ତି ନବଦଲାଇଲେ ପ୍ରଶାସନିକ କଳ ସମ୍ପୂର୍ଣ୍ଣ ସ୍ଥାଣୁ ହୋଇଯିବ ବୋଲି ସେ ଅଭିଯୋଗ ଆଣିଛନ୍ତି। 

ସେହିପରି ସରକାର ଧାନପଞ୍ଜିକରଣ ପଦ୍ଧତିକୁ ଜଟିଳ କରିଛନ୍ତି। ଜଟିଳ ପଦ୍ଧତିରେ ଚାଷୀ ଧାନ ପଞ୍ଚିକରଣ କରିବା ସମ୍ଭବ ନୁହେଁ। ବହୁ ଚାଷୀ ପଞ୍ଜିକରଣ କରି ପାରିବେ ନାହିଁ। ତେଣୁ ସରକାରଙ୍କୁ କିପରି ଧାନ ବିକ୍ରୀ କରିବେ। ସରକାର ଘୋଷଣା କଲେ ୮୦୦ ଟଙ୍କା ଇନପୁଟ୍ ସବସିଡି ଦେବେ। ସରକାର ଅପ୍ରତ୍ୟକ୍ଷ ଭାବେ ଚେଷ୍ଠା କରୁଛନ୍ତି ଯେତେ କମ୍ ଚାଷୀ ପଞ୍ଚିକରଣ କରିବେ ୮୦୦  ଟଙ୍କା ବୋନସ ଦେବାକୁ ପଡ଼ିବନି। ସେଥିରୁ ରକ୍ଷା ପାଇବେ ସରକାର। ଲକ୍ଷ ଲକ୍ଷ ଚାଷୀ ପଞ୍ଚିକରଣରୁ ବଞ୍ଚିତ ହେବେ। ଧାନ ବିକ୍ରୀ କରିପାରିବେ ନାହିଁ । ଯଦି ବିକ୍ରୀ କରିବେ ବହୁତ କମ୍ ଦାମରେ ବିକ୍ରୀ କରିବେ। ଚାଷୀ ହଇରାଣ ହେବ, ବେପାରୀ ଲାଭରେ ରହିବେ। 

 prashnna achraya | BJD 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe