ତୃତୀୟ ଲହର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ନାହାନ୍ତି: ବିଜେପି

ତୃତୀୟ ଲହର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ନାହାନ୍ତି: ବିଜେପି

ଭୁବନେଶ୍ବର : କୋଭିଡ ସଂକ୍ରମଣର ପ୍ରଥମ ଓ ଦ୍ବିତୀୟ ଲହରରେ ଓଡ଼ିଶାର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ପଦାରେ ପଡ଼ିଛି। ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବେ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ହେଲେ ଶାସକ ଦଳ ଏହାର ମୁକାବିଲା ପାଇଁ ପ୍ରସ୍ତୁତି କରିବା ବଦଳରେ ପ୍ରଚାରରେ ବ୍ୟସ୍ତ ଅଛନ୍ତି। ରାଜ୍ୟର ବର୍ତ୍ତମାନର ସ୍ବାସ୍ଥ୍ୟ ଭିତ୍ତିଭୂମି ଦେଖିଲେ ଲାଗୁଛି ତୃତୀୟ ଲହର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ନାହାନ୍ତି। ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଶନିବାର ଏହିଭଳି ଅଭିଯୋଗ ଆଣିଛନ୍ତି।

ସମ୍ଭାବ୍ୟ ତୃତୀୟ ଲହର ସଂକ୍ରମଣକୁ ନଜରରେ ରଖି ସ୍ବାସ୍ଥ୍ୟ ଭିତ୍ତିଭୂମି ପରଖିବାକୁ ମହିଳା ମୋର୍ଚ୍ଚା ତରଫରୁ ଶ୍ରୀମତୀ ପଟ୍ଟନାୟକଙ୍କ ନେତୃତ୍ବରେ ୩୦ଟି ଜିଲ୍ଲା ସଦର ମହକୁମା ଡାକ୍ତରଖାନା ସମେତ କଟକ ଓ ଭୁବନେଶ୍ବରରେ ଥିବା ଶିଶୁ ଭବନର ବାସ୍ତବ ସ୍ଥିତି ପରଖାଯାଇଥିଲା। ଏହାପରେ ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟ ସରକାର କରୁଥିବା ଘୋଷଣା ଓ ବାସ୍ତବ ସ୍ଥିତି ସଂପୂର୍ଣ୍ଣ ଭିନ୍ନ। କୋଭିଡ୍ ପରିଚାଳନା ପାଇଁ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପରିମାଣରେ ଅର୍ଥ ଯୋଗାଇ ଦେଉଥିବାବେଳେ ରାଜ୍ୟ ସରକାର ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ସଜାଡିବରେ ବିଫଳ ହୋଇଛନ୍ତି। ବର୍ତମାନ ସୁଦ୍ଧା ଶିଶୁମାନଙ୍କ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ। ସାଧାରଣ ରୋଗ ପାଇଁ କଟକ ଓ ଭୁବନେଶ୍ୱରରେ ଥିବା ଶିଶୁଭବନଗୁଡିକରେ କୌଣସି ବ୍ୟବସ୍ଥା ହୋଇନଥିବାବେଳେ କୋଭିଡ୍ ଆକ୍ରାନ୍ତ ଶିଶୁଙ୍କୁ କିଭଳି ରାଜ୍ୟ ସରକାର ସ୍ୱାସ୍ଥ୍ୟସେବା ଯୋଗାଇବେ?

ରାଜ୍ୟର ଅନେକ ଡାକ୍ତରଖାନାରେ ଶିଶୁ ରୋଗ ବିଶେଷଜ୍ଞ ନାହାନ୍ତି। ସେହିପରି ଭେଣ୍ଟିଲେଟର, ଇକ୍ୟୁଭେଟର, ସକ୍‌ସର୍‌, ଏବିଜି, ଲାଇଭ ସେଭିଂ ମେଡିସିନ, ଆଇସିୟୁର ବ୍ୟବସ୍ଥା ଠିକ୍ ଢଙ୍ଗରେ ହୋଇନାହିଁ। ରାଜ୍ୟରେ ‘ଡେଡିକେଟେଡ୍ ଚାଇଲ୍ଡ କେୟାର ୱାର୍ଡ’ କେତେ ଖୋଲାଯାଇଛି, ତାହା ରାଜ୍ୟ ସରକାର ସ୍ପଷ୍ଟ କରିବା ଆବଶ୍ୟକ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe