ଡିପିସି ଫାଇଲ୍‌ ଉପରେ ବସିଛନ୍ତି ସରକାର: ଖାଲି ହୋଇଗଲାଣି ସିଡିଏମ୍‌ଓ ଓ ନିର୍ଦ୍ଦେଶକ ପଦବି

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସ୍ବାସ୍ଥ୍ୟ ସ୍ଥିତି ସଙ୍ଗୀନ। ଗୋଟିଏ ପଟେ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ଥିବା ବେଳେ ଅଧିକାରୀ ସ୍ତରରେ ମଧ୍ୟ ପଦବି ପୂରଣ ହେଉନି। ସ୍ଥିତି ଏମିତି ଯେ ଏବେ ୭ଟି ଜିଲ୍ଲାରେ ସ୍ଥାୟୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍‌ଓ) ନାହାନ୍ତି।

fsfscxxc

ଭୁବନେଶ୍ବର: ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସ୍ବାସ୍ଥ୍ୟ ସ୍ଥିତି ସଙ୍ଗୀନ। ଗୋଟିଏ ପଟେ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ଥିବା ବେଳେ ଅଧିକାରୀ ସ୍ତରରେ ମଧ୍ୟ ପଦବି ପୂରଣ ହେଉନି। ସ୍ଥିତି ଏମିତି ଯେ ଏବେ ୭ଟି ଜିଲ୍ଲାରେ ସ୍ଥାୟୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍‌ଓ) ନାହାନ୍ତି। ଏହାସହ ୪ଟି ନିର୍ଦ୍ଦେଶକ ପଦବି ମଧ୍ୟ ଖାଲି ରହିଛି। ସବୁଠି କାମଚଳା ପଦବିରେ ସ୍ବାସ୍ଥ୍ୟ ବିଭାଗ ଚାଲିଛି। 

ରାଜ୍ୟ ସରକାର ସ୍ବାସ୍ଥ୍ୟ କ୍ଷେତ୍ରକୁ ବେଶ୍‌ ଗୁରୁତ୍ବ ଦେଉଥିବା କହୁଛନ୍ତି। ପ୍ରତିବର୍ଷ ବଜେଟ୍‌ରେ ଏଥିପାଇଁ ଅଧିକ ଅର୍ଥ ବ୍ୟୟବରାଦ ହେଉଛି। ହେଲେ ଖାଲି ପଡ଼ିଥିବା ପଦବି ପୂରଣ ଦିଗରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି। ଏଭଳି ପ୍ରଶ୍ନ ଉଠିବା ପଛର ପ୍ରମୁଖ କାରଣ ହେଉଛି ଯେ ସ୍ବାସ୍ଥ୍ୟ ବିଭାଗର ବିଭାଗୀୟ ପଦୋନ୍ନତି କମିଟି(ଡିପିସି)ର ବୈଠକ ମାର୍ଚ୍ଚ ୬ତାରିଖରୁ ସରିଲାଣି। ‌ହେଲେ କେବେ ରାଜ୍ୟ ସରକାର ଏହା ଉପରେ ମୋହର ମାରିବେ ତାହାକୁ କାର୍ଯ୍ୟରତ ଡାକ୍ତରମାନେ ଚାହିଁ ରହିଛନ୍ତି। ରାଜ୍ୟରେ ନୂଆ ସରକାର ଆସିବା ପରେ ଖାଲି ରହିଥିବା ସିଡିଏମ୍‌ଓ ନିଯୁକ୍ତିରେ ଯଥେଷ୍ଟ ବିଳମ୍ବ ହୋଇଥିଲା। ଏହାକୁ ନେଇ ବିଭିନ୍ନ ମହଲରୁ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା।

ଖାଲି ହୋଇଗଲାଣି ସିଡିଏମ୍‌ଓ ଓ ନିର୍ଦ୍ଦେଶକ ପଦବି
ଏପ୍ରିଲରେ ଖାଲି ହେବ ଆହୁରି ଏକାଧିକ ସିଡିଏମ୍‌ଓ ପଦ

ତେଣୁ ପରବର୍ତ୍ତୀ ସମୟରେ ଏଥିରେ ସୁଧାର ଆସିବ ବୋଲି ଆଶା କରାଯାଉଥିଲା। ମାତ୍ର ସମାଲୋଚନାର କୌଣସି ପ୍ରଭାବ ସରକାରଙ୍କ ଉପରେ ପଡ଼ୁ ନ ଥିବା ଅଭିଯୋଗ ହେଲାଣି।
ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସା‌ରେ, କେନ୍ଦ୍ରାପଡ଼ା, ବାଲେଶ୍ବର, ବୌଦ୍ଧ, ଯାଜପୁର, ବରଗଡ଼, ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାରେ ସିଡିଏମ୍‌ଓ ନାହାନ୍ତି। ଭାରପ୍ରାପ୍ତ ଅଧିକାରୀ ମାସ ମାସ ଧରି ଜିଲ୍ଲାର ସ୍ବାସ୍ଥ୍ୟସେବା ସମ୍ଭାଳୁଛନ୍ତି। ସେହିପରି ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟରେ ମଧ୍ୟ ନିର୍ଦ୍ଦେଶକ ପଦବି ଖାଲି ରହିଛି। ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ବିଭାଗୀୟ ସ୍ବତନ୍ତ୍ର ସଚିବ ଭାବେ ପଦୋନ୍ନତି ପାଇବା ପରେ ଏହି ପଦବି ଖାଲି ରହିଛି। ଏହାସହ ନର୍ସିଂ ନିର୍ଦ୍ଦେଶକ, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଓ ଆଉ ଗୋଟିଏ ସ୍ବତନ୍ତ୍ର ସଚିବ ପଦ ଖାଲି ରହିଛି। କେବଳ ସିଡିଏମ୍‌ଓ କିମ୍ବା ନିର୍ଦ୍ଦେଶକ ପଦବି ନୁହେଁ, ସ୍ବାସ୍ଥ୍ୟ ବିଭାଗର ୱିଙ୍ଗ ଅଧିକାରୀ ବା ଏଡିଏମ୍‌ଓ, ଜିଲ୍ଲା ଯକ୍ଷ୍ମା, ମ୍ୟାଲେରିଆ ଇତ୍ୟାଦି ଅଧିକାରୀ ପଦବି ଖାଲି ପଡ଼ିଛି। ଏଥିରେ ୩୭୪ ମଞ୍ଜୁରିପ୍ରାପ୍ତ ପଦବି ଥିବା ବେଳେ ତହିଁରୁ ୨୮୦ ପଦବି ଖାଲି ରହିଛି। ପ୍ରାୟ ୭୫% ଖାଲି ପଦବିରେ ତୃଣମୂଳସ୍ତରରେ ସ୍ବାସ୍ଥ୍ୟ ବିଭାଗ ପରିଚାଳିତ ହେଉଛି। 

ରାଜ୍ୟ ମେଡିକାଲ ସେବା ସଂଘ(ଓମ୍‌ସ)ର ସଭାପତି ଡା.କିଶୋର ମିଶ୍ର କହିଛନ୍ତି, ମାର୍ଚ୍ଚ ୬ ତାରିଖରୁ ଡିପିସି ସରିଲାଣି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ‌ଖାଲି ପଡ଼ିଥିବା ପଦବି ପୂରଣ ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ। ଯଦି ଚଳିତ ମାସ ଶେଷ ସୁଦ୍ଧା ଏହା କାର୍ଯ୍ୟକାରୀ ନ ହୁଏ ତାହାଲେ ଆଉ ୩-୪ଟି ଜିଲ୍ଲାର ସିଡିଏମ୍‌ଓ ପଦବି ଖାଲି ହୋଇଯିବ। ଅନେକ ବିନା ପଦୋନ୍ନତିରେ ଅବସର ନେଉଛନ୍ତି। ମେଡିକାଲ କଲେଜରେ ଠିକ୍ ସମୟରେ ପଦୋନ୍ନତି ଦିଆଯାଉଥିବା ବେଳେ ତୃଣମୂଳ ସ୍ତରରେ ସ୍ବାସ୍ଥ୍ୟସେବା ପହଞ୍ଚାଉଥିବା ଡାକ୍ତରଙ୍କ କ୍ଷେତ୍ରରେ ଅବହେଳା କରାଯାଉଥିବା ଡା.ମିଶ୍ର ଅଭିଯୋଗ କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଖାଲି ରହିଥିବା ପଦବି ପୂରଣ ପାଇଁ ଡିପିସି ଶେଷ ହୋଇଛି। ଏବେ ସରକାରଙ୍କ ନିକଟରେ ଫାଇଲ୍‌ ରହିଛି ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe