ଜବରଦଖଲକାରୀଙ୍କ କବ୍‌ଜାରେ ସରକାରୀ ଜମି: ଅଙ୍ଗନବାଡ଼ି ,ପାର୍କ ଜମିକୁ ବି ଛାଡ଼ିଲେନି

Advertisment

୧୦ମାସ ହେଲା ଚିଠିରେ ଅଟକିଛି ପ୍ରଶାସନ

୧୦ମାସ ହେଲା ଚିଠିରେ ଅଟକିଛି ପ୍ରଶାସନ

ଜବରଦଖଲକାରୀଙ୍କ କବ୍‌ଜାରେ ସରକାରୀ ଜମି: ଅଙ୍ଗନବାଡ଼ି ,ପାର୍କ ଜମିକୁ ବି ଛାଡ଼ିଲେନି

କଟକ: ସରକାରୀ ଜମି ଜବରଦଖଲକ‌ାରୀଙ୍କ କବ୍‌ଜାରେ। ଅଙ୍ଗନବାଡ଼ି ଓ ପାର୍କ ଜମି ବି ଏଥିରୁ ବାଦ୍‌ ପଡ଼ି ନାହିଁ। କଟକ ସହରର ଚହଟାନଗରରେ ଏହିଭଳି ଏକାଧିକ ଜମି ଜବଦଖଲକାରୀଙ୍କ ନିୟନ୍ତ୍ରଣରେ ରହିଛି। ଏ ନେଇ ବାରମ୍ବାର ଅଭିଯୋଗ ହେବା ପରେ ପ୍ରଶାସନ କେବଳ ନିଜ ବିଭାଗ ଭିତରେ ଚିଠିପତ୍ର କରି ଚାଲିଛି। ଗତ ୧୦ମାସ ହେଲା ଜିଲ୍ଲାପାଳ ତହସିଲଦାରଙ୍କୁ ଓ ତହସିଲଦାର ରାଜସ୍ବ ନିରୀକ୍ଷକଙ୍କୁ ଚିଠି ଲେଖି ବସି ଯାଇଛନ୍ତି। ପ୍ରଶାସନର ସମସ୍ତ ପଦକ୍ଷେପ ଏହି ଚିଠିପତ୍ରରେ ହିଁ ସୀମିତ ରହିଯାଇଛି।

ସିଏମ୍‌ସି ୮ ନମ୍ବର ୱାର୍ଡସ୍ଥିତ ଚହଟାନଗରର ଲେନ୍‌-୩ର ପ୍ଲଟ ନମ୍ବର-୬୩, ଖାତାନମ୍ବର ୧୩୪ ଉପରେ ୨୦୧୭ରେ ଏକ ଅଙ୍ଗନବାଡ଼ି କେନ୍ଦ୍ର ଉଦ୍‌ଘାଟନ ହୋଇଥିଲା। କେନ୍ଦ୍ରଟି ମୋଟ ୭୬ ଡିସିମିଲ ଉପରେ ନିର୍ମାଣ ହୋଇଥିଲା। ସେଥିରୁ ୩୬ ଡିସିମିଲ ଜମି ରାସ୍ତା ପାଇଁ ବ୍ୟବହାର କରାଗଲା। ବଳକା ୪୦ ଡିସମିଲ ଜାଗରୁ ୬ଶହ ବର୍ଗଫୁଟରେ କେନ୍ଦ୍ରର ଘର ନିର୍ମାଣ ହୋଇଥିବା ବେଳେ ବାକି ୧୧୪୦ ବର୍ଗଫୁଟ ଜମିକୁ ଜବରଦଖଲକାରୀ ମାଡି ବସିଛନ୍ତି। ପ୍ରଶାସନ ତଥା ସାଧାରଣ ଲୋକଙ୍କୁ ଏଥିରୁ ନଜର ହଟାଇବା ପାଇଁ ଜମିର କିଛିଅଂଶରେ ଏକ ମନ୍ଦିର ମଧ୍ୟ ନିର୍ମାଣ କରାଯାଇଛି। କେନ୍ଦ୍ରର ଗୋଟିଏପାର୍ଶ୍ବରେ ଏବେ ୨ଶହ ବର୍ଗଫୁଟ ଜମି ଖାଲି ଥିବାବେଳେ ତାହାକୁ କିଛି ସ୍ଥାନୀୟ ଲୋକ ଜବରଦଖଲ କରିଛନ୍ତି। ସେମାନେ ସେଥିରେ ଦୋକାନଘର ନିର୍ମାଣ କରିବାକୁ ବି ଯୋଜନା କରୁଥିବା ସୂଚନା ମିଳିଛି। କେନ୍ଦ୍ରର ଜମି ଜବରଦଖଲ କରାଯାଇଥିବା ନେଇ ଗତବର୍ଷ ଡିସେମ୍ବର ୯ ତାରିଖରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ମାତ୍ର, ଜିଲ୍ଲାପାଳଙ୍କ ଅଫିସ୍‌ରୁ ତଳସ୍ତରରେ ଚିଠି ପହଞ୍ଚିବାକୁ ୧୦ମାସ ବିତିଗଲାଣି।

ଅଭିଯୋଗର ତଦନ୍ତ କରିବାକୁ ଜିଲ୍ଲାପାଳଙ୍କ ତହସିଲଦାରଙ୍କୁ ଗତ ଫେବ୍ରୁଆରି ୯ ତାରିଖରେ ପତ୍ର (ନଂ-୬୫୭) ଲେଖିଥିବା ବେଳେ ତହସିଲଦାରଙ୍କ ଆର୍‌ଆଇଙ୍କୁ ଗତ ମାର୍ଚ ୧୯ ତାରିଖ ପତ୍ର (ନଂ-୧୮୨୪) ଲେଖି ନିର୍ଦ୍ଦେଶ ଦେଇଥିଲେ। ହେଲେ, ଏଯାବତ୍‌ ତାହା ଉପରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ଜଣାଯାଇଛି। ସେହିପରି ଚହଟାନଗରର ଲେନ୍‌ -୪ରେ ୧୯ ଗୁଣ୍ଠ ଜମି ଉପରେ ନିର୍ମାଣ ହୋଇଥିବା ପାର୍କର ୫ ଗୁଣ୍ଠ ଜମି ଜବରଦଖଲାକରୀଙ୍କ ଅଧୀନରେ ଥିବା ଅଭିଯୋଗ ହୋଇଛି। ଚହଟାନଗରର ଖାତା ନମ୍ବର ୧୩୪, ପ୍ଲଟ ନମ୍ବର ୯୪, ୯୭ ଓ୧୦୦/୫୯୮ ଉପରେ ପାର୍କ ତିଆରି ହୋଇଥିବା ବେଳେ ଏହି ଜମି ଉପରେ ଲୋକ ବ୍ୟକ୍ତିଗତ ଘର ନିର୍ମାଣ କରିଛନ୍ତି। ପ୍ରଶାସନ ଚିଠି ଲେଖି ସମୟ ଗଡ଼ାଇ ଚାଲିଥିବା ବେଳେ କେବେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ସରକାରୀ ଜମି ଜବରଦଖଲମୁକ୍ତ ହେବ ତାହା ପ୍ରଶ୍ନ ଘେରରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe