The Tribune India
ଭୁବନେଶ୍ବର : ଶୁକ୍ରବାରଠାରୁ ସମସ୍ତ ସରକାରୀ କାର୍ଯ୍ୟାଳୟଗୁଡ଼ିକ ପୂର୍ଣ୍ଣ କ୍ଷମତାରେ ଚାଲିବାକୁ ଆଦେଶ ହୋଇଛି। ଅର୍ଥାତ୍ ସମସ୍ତ କର୍ମଚାରୀ ଅଫିସ୍ ଆସିବା ବାଧ୍ୟତାମୂଳକ କରାଯାଇଛି। ଏ ନେଇ ଆଜି ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଆଦେଶନାମା ଜାରି ହୋଇଛି। ସମସ୍ତ ସରକାରୀ କର୍ମଚାରୀ ଦୁଇ ଡୋଜ୍ ଟିକା ନେଇ ସାରିଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଆଦେଶନାମାରେ ସ୍ପଷ୍ଟ କରାଯାଇଛି। ଯେଉଁମାନେ ସ୍ବାସ୍ଥ୍ୟଗତ କାରଣରୁ ଟିକା ନେଇ ପାରି ନାହାନ୍ତି, ସେମାନେ ଘରୁ କାମ କରିବା ପାଇଁ ଆବେଦନ କରିପାରିବେ। ସମ୍ପୃକ୍ତ କର୍ତ୍ତୃପକ୍ଷ ଆବେଦନର ବିଚାର କରି ନିଷ୍ପତ୍ତି ନେବେ। ଟିକା ନେଇସାରିଥିବା କୌଣସି କର୍ମଚାରୀ ଅନୁପସ୍ଥିତ ରହିଲେ ବା ଘରୁ କାମ କଲେ, ତାହାକୁ ସରକାରୀ ଆଦେଶ ଉଲ୍ଲଂଘନ ବୋଲି ଧରାଯିବ। ସମସ୍ତ କର୍ମଚାରୀ କୋଭିଡ୍ ନିୟମ ମାନି କାମ କରିବେ। ଯଦି କେହି ସଂକ୍ରମିତ ହେଲେ, ବିଭାଗୀୟ ପ୍ରୋଟୋକଲ ଅନୁଯାୟୀ କର୍ତ୍ତୃପକ୍ଷ ପଦକ୍ଷେପ ନେବେ ବୋଲି ସ୍ପଷ୍ଟ କରାଯାଇଛି।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ସମସ୍ତ ସରକାରୀ ଅଫିସ୍ ୫୦ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରୁଥିଲା। କେବଳ ଜରୁରୀ ସେବା ପାଇଁ ଉଦ୍ଦିଷ୍ଟ କାର୍ଯ୍ୟାଳୟ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରୁଥିଲା। ଏବେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ଆଦେଶନାମା ବଳବତ୍ତର ରହିବ। ଶନିବାର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ।
Follow Us