ସରକାରୀ ଅଧିକାରୀଙ୍କ ମିଛ ଫାଇଲ୍‌

ମୟୂରଭଞ୍ଜରେ ନିଶ୍ଚିତ କର୍ମନିଯୁକ୍ତି ​ଯୋଜନା ପ୍ରହସନ, ୬ ମାସରେ ସୃଷ୍ଟି ହୋଇଛି ମାତ୍ର ୨୫ ପ୍ରତିଶତ ଶ୍ରମ ଦିବସ

ଆଧାର ସଂଯୋଗ ନ ହେବାରୁ ଧରାପଡ଼ିଲା ଗଡ଼ବଡ଼, ୧୯ ହଜାର ମନରେଗା ଜବକାର୍ଡ ନକଲି

The Indian Express

ବାରିପଦା : ଗରିବ ଓ ଶ୍ରମିକ ଶ୍ରେଣୀର ଲୋକଙ୍କୁ ବର୍ଷକୁ ଅତିକମ୍‌ରେ ୧୦୦ ଦିନର କାମ ଯୋଗାଇ ଦେବାପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା। ତେବେ ପ୍ରାଶାସନିକ ସ୍ଥାଣୁତା ଯୋଗୁଁ ମୟୂରଭଞ୍ଜ ଜିଲ୍ଲାରେ ଏହି ଯୋଜନା ବାଟ ହୁଡ଼ିଛି। ନା ଜବ୍‌କାର୍ଡଧାରୀ କାମ ପାଉଛନ୍ତି, ନା କାମ କଲେ ଠିକ୍ ସମୟରେ ପାରିଶ୍ରମିକ ମିଳୁଛି। ଅଧିକାଂଶ ସ୍ଥାନରେ ମେସିନ୍‌ କାମ କରୁଛି। ହେଲେ ଜବ୍‌କାର୍ଡଧାରୀମାନେ କାମ କରୁଛନ୍ତି ବୋଲି ଅଫିସରମାନେ ଫାଇଲ୍‌ ପ୍ରସ୍ତୁତ କରୁଛନ୍ତି।

ମୟୂରଭଞ୍ଜରେ ମୋଟ ୩ ଲକ୍ଷ ୩୨ ହଜାର ଜବ୍‌କାର୍ଡଧାରୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୭୮ ହଜାର ଜବ୍‌କାର୍ଡଧାରୀ ନିୟମିତ ଶ୍ରମଦାନ କରୁଥିବାବେଳେ ଅବଶିଷ୍ଟ ୧ ଲକ୍ଷ ୫୪ ହଜାର ନିୟମିତ ଶ୍ରମଦାନ କରୁନାହାନ୍ତି। ୨୦୨୨-୨୩ ଆର୍ଥିକ ବର୍ଷରେ ୮୪ ଲକ୍ଷ ୨୧ ହଜାର ଶ୍ରମଦିବସ ସୃଷ୍ଟି ପାଇଁ ଲକ୍ଷ୍ୟ ରହିଥିଲା। ଏହାରି ଭିତରେ ୬ ମାସ ବିତିଗଲାଣି। ଏବେ ସୁଦ୍ଧା ମାତ୍ର ୨୧ ଲକ୍ଷ ୩ ହଜାର ଶ୍ରମ ଦିବସ ସୃଷ୍ଟି ହୋଇଛି। ଯାହା ମୋଟ ଶ୍ରମଦିବସର ମାତ୍ର ୨୫ ପ୍ରତିଶତ ବୋଲି ସୂଚନା ଅଧିକାର ଆଇନ୍‌ ବଳରେ ତଥ୍ୟ ମିଳିଛି। ଏପରି ସମୟରେ ବାକି ୬ ମାସରେ କିଭଳି ୭୫ ପ୍ରତିଶତ ଶ୍ରମଦିବସ ସୃଷ୍ଟି କରାଯିବ, ତାକୁ ନେଇ ସଂଶୟ ସୃଷ୍ଟି ହୋଇଛି। ଉଲ୍ଲେଖ ଥାଉକି, ଜିଲ୍ଲାରେ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ୪୨ ପ୍ରତିଶତ, ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ୪୬ ପ୍ରତିଶତ ଓ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ୫୧ ପ୍ରତିଶତ ଶ୍ରମ ଦିବସ ସୃଷ୍ଟି ହୋଇଛି।

publive-image

ଏ ସଂକ୍ରାନ୍ତରେ ଜଣେ ସରକାରୀ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି, ଜବ୍‌କାର୍ଡଧାରୀମାନେ ସରକାରଙ୍କ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ମାଗଣା ଚାଉଳ, ଭତ୍ତା, ପକ୍କା ଘର ଓ ଅନ୍ୟାନ୍ୟ ସୁବିଧା ପାଉଛନ୍ତି। ତେଣୁ ଖରା କି ବର୍ଷାରେ ଶ୍ରମ କରିବାକୁ ସେମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି। ଯାହାକି ଶ୍ରମ ଦିବସ ସୃଷ୍ଟିରେ ଅନ୍ତରାୟ ହେଉଛି। ପୂର୍ବରୁ ଯୋଜନାର କାର୍ଯ୍ୟକାରିତା ନେଇ ଜିଲ୍ଲାପାଳ, ପିଡି ଓ ବିଡିଓମାନେ ନିୟମିତ କ୍ଷେତ୍ର ପରିଦର୍ଶନ କରୁଥିଲେ। ଏବେ କେବଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକମାନେ କ୍ଷେତ୍ର ପରିଦର୍ଶନ କରୁଛନ୍ତି। ତାହା ପୁଣି ଉପରଠାଉରିଆ। ତେଣୁ ଯୋଜନା ଠିକ୍‌ ଭାବେ ଚାଲିପାରୁନି। ଅନ୍ୟପକ୍ଷରେ ଶ୍ରମିକ ନେତା କୈଳାସ ଚନ୍ଦ୍ର ମହାନ୍ତ ଅଧିକାରୀଙ୍କ ଏଭଳି ବୟାନକୁ ଗ୍ରହଣ କରିନାହାନ୍ତି। ଜବ୍‌କାର୍ଡଧାରୀ କାମ କରି ଠିକ୍ ସମୟରେ ପାରିଶ୍ରମିକ ପାଉନାହାନ୍ତି। ବ୍ଲକ୍‌ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଦୌଡୁଛନ୍ତି। ଯୋଜନା ଅନୁଯାୟୀ ଘର ପାଖରେ କାମ ଯୋଗାଇ ଦିଆଯିବ ବୋଲି ନିୟମ ଥିଲେ ବି ତାହା କାର୍ଯ୍ୟକାରୀ ହେଉନି। ମୟୂରଭଞ୍ଜରେ ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ଏକପ୍ରକାର ପ୍ରହସନରେ ପରିଣତ ହୋଇଛି ବୋଲି ସେ କହିଛନ୍ତି।

ମହାତ୍ମା ଗାନ୍ଧୀ କର୍ମନିଯୁକ୍ତି ଯୋଜନାର ନୋଡାଲ୍‌ ଅଧିକାରୀ ହେଉଛନ୍ତି ପିଡି। ମୟୂରଭଞ୍ଜର ପିଡି ପି.ଅନ୍ବେଷା ରେଡ୍ଡିଙ୍କର ବଦଳିକୁ ୩ ମାସ ହେଲାଣି। ଅଥଚ ତାଙ୍କ ସ୍ଥାନରେ ଏଯାବତ କାହାକୁ ନିଯୁକ୍ତି ଦିଆଯାଇନାହିଁ। ଏ ନେଇ ଶାସକ ଦଳର ବିଧାୟକ ଓ ଜନପ୍ରତିନିଧି ବି ସରକାରଙ୍କ ନିକଟରେ ନୂଆ ପିଡି ପାଇଁ ଦାବି କରୁନାହାନ୍ତି। ଯାହା ଶ୍ରମଦିବସ ସୃଷ୍ଟି ନହେବାର ଏକ କାରଣ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe