ମଣ୍ଡିରେ ପଡ଼ିଥିବା ଚାଷୀଙ୍କ ଧାନ ସରକାର ତୁରନ୍ତ କିଣନ୍ତୁ: ପିସିସି ସଭାପତି

Advertisment

ସମସ୍ତ ବ୍ଲକ ଅଫିସ ସମ୍ମୁଖରେ ଧାରଣା ପାଇଁ ଚେତାବନୀ

ସମସ୍ତ ବ୍ଲକ ଅଫିସ ସମ୍ମୁଖରେ ଧାରଣା ପାଇଁ ଚେତାବନୀ

ଯାଜପୁରରେ ଅଖା ଘୋଟାଲା: ୭ବର୍ଷରେ ଚାଷୀଙ୍କ ୧୩ କୋଟି ହଡ଼ପ

ଭୁବନେଶ୍ବର : କରୋନା କାଳରେ ଚାଷୀ ବହୁ କଷ୍ଟ ସ୍ବୀକାର କରି ରବି ଧାନ ଅମଳ କଲା। ମଣ୍ଡିରେ ଶହ ଶହ ଚାଷୀଙ୍କର ଧାନ ପଡ଼ିରହିଛି। କିନ୍ତୁ ସରକାର ଧାନ ସଂଗ୍ରହ କରୁନାହାନ୍ତି। କାହିଁକି ଏ ସରକାର ଚାଷୀଙ୍କ ପ୍ରତି ଏତେ ନିର୍ଦ୍ଦୟ? ତୁରନ୍ତ ଚାଷୀଙ୍କ ଧାନ ସରକାର କିଣନ୍ତୁ। ନଚେତ ଆସନ୍ତା ଦିନରେ ରାଜ୍ୟର ସମସ୍ତ ବ୍ଲକ୍‌ ଓ ମଣ୍ଡିରେ ଚାଷୀମାନେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେବେ। ରବି ଧାନ ସଂଗ୍ରହ ନେଇ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଏପରି ଚେତାବନୀ ଦେଇଛନ୍ତି। ଏହାସହିତ ସେ ପ୍ରସ୍ତାବ ଦେଇ କହିଛନ୍ତି ଯେ ଧାନ କିଣା ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଯେପରି ଭୁବନେଶ୍ବରରୁ ନିୟନ୍ତ୍ରଣ କରାଯାଉଛି ତାହା ନ କରି ପୂର୍ବପରି ବିକେନ୍ଦ୍ରୀକରଣ କରାଯାଉ।

publive-image The Asian Age

ଏକ ପ୍ରେସ୍‌ ବିବୃତି ଜାରି କରି ଶ୍ରୀ ପଟ୍ଟନାୟକ କହିଛନ୍ତି, ଚଳିତବର୍ଷ କରୋନାର ଭୟକୁ ବେଖାତିର କରି ଚାଷୀ ଫସଲ କଲା। ଧାନ ଅମଳବେଳକୁ କାଳବୈଶାଖୀ ମାଡ଼ିଆସିଲା। ପାଚିଲା ଧାନକୁ ପାଣିରୁ ଛାଣି ଓ ଶୁଖେଇ ଅମଳ କରିବାରେ ଚାଷୀ ନୟାନ୍ତ ହେଲା। ଏତିକିରେ ତା ଦୁଃଖ ସରିଲାନି ଯେ, ବାତ୍ୟା 'ୟାସ' ଆସି ପ୍ରାୟ ୧୨ଟି ଜିଲ୍ଲା ଉପକୂଳ ଜିଲ୍ଲାକୁ ପ୍ରଭାବିତ କଲା। ପ୍ରଭାବିତ ଅଞ୍ଚଳର ଚାଷୀମାନେ ସେମାନଙ୍କ ଅମଳ ହୋଇଥିବା ଧାନକୁ ସୁରକ୍ଷିତ ରଖିବା ପାଇଁ କେତେ କଷ୍ଟ ସହିଛନ୍ତି ତାହା ନ କହିବା ଭଲ। ଏତେ ଦୁର୍ଦ୍ଦଶା ଭିତରେ ଧାନ ବିକିବା ପାଇଁ ଗଲାବେଳେ ସରକାର ଧାନ ସଂଗ୍ରହ କରୁନାହାନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ପିସିସି ସଭାପତି ଦର୍ଶାଇଛନ୍ତି, ଧାନ ବିକିବା ପାଇଁ ସରକାରଙ୍କ ନୀତି ଅନୁଯାୟୀ ଚାଷୀ ନିଜ ନାମ ପଞ୍ଜୀକରଣ କରିଛନ୍ତି। ଚାଷୀଙ୍କଠାରୁ କେତେ ଧାନ ସରକାର ସଂଗ୍ରହ କରିବେ ସେକଥା କହିନାହାନ୍ତି। ଚାଷୀଙ୍କ ପାଖରେ ପହଞ୍ଚିଥିବା ଟୋକନ୍‌ରେ ଅମଳ ହୋଇଥିବା ଧାନର ଏକ ତୃତୀୟାଂଶ କିଣାଯିବ ବୋଲି ଉଲ୍ଲେଖ କରାଗଲା। ସେତକ ବି ଚାଷୀଙ୍କଠାରୁ କିଣାଯାଇନାହିଁ। ଆଗରୁ ଟୋକନ୍‌ର ଅବଧି ୧ ମାସ ବୈଧ ରହୁଥିଲା। ଏବେ ତାକୁ କମାଇ ୧୫ ଦିନ କରିଦିଆଯାଇଛି। ଏପରି କାହିଁକି? ଏହା କଣ ଚାଷୀଙ୍କ ପ୍ରତି ଅନ୍ୟାୟ ନୁହେଁ କି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ଅଭିଯୋଗ କରି କହିଛନ୍ତି, କେତେକ ଚାଷୀଙ୍କ ପାଖରେ ଟୋକନ୍‌ ଓ ମୋବାଇଲ ମେସେଜ୍‌ ପହଞ୍ଚିଛି ତ ଆଉ କେତେକଙ୍କ ପାଖରେ ଟୋକନ୍‌ ଆଦୌ ପହଞ୍ଚି ନାହିଁ। ମିଲରମାନେ ମନଇଚ୍ଛା ବ୍ୟବହାର କରୁଛନ୍ତି। ଧାନ କିଣିବାବେଳେ ଚାଷୀଙ୍କ ଉପରେ ଜୁଲମ କରାଯାଉଛି। ଧାନରେ ଆର୍ଦ୍ରତା ଦର୍ଶାଇ କଟନି ଛଟନିକୁ ପରମ୍ପରା କରିସାରିଲେଣି। ବସ୍ତା ପିଛା ୭ରୁ ୮ କିଲୋ ଧାନ କାଟି ଦିଆଯାଉଛି। ଚାଷୀଙ୍କୁ ଅଖା ଫେରସ୍ତ କରାଯାଉନାହିଁ। ଅଫିସର, ମିଲ ମାଲିକ ଆଉ ନେତା ଏକାଠି ହୋଇ ଚାଷୀଙ୍କୁ ଲୁଟ କରିଚାଲିଛନ୍ତି। ମଣ୍ଡିରେ ପଡ଼ିରହିଥିବା ଚାଷୀଙ୍କ ଧାନ ଶୀଘ୍ର ଉଠାଇବାର ବ୍ୟବସ୍ଥା କରିବାକୁ ସେ ସରକାରଙ୍କ ପାଖରେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe