disabled children's survey: ଜନ୍ମରୁ ୬ବର୍ଷ ଭିନ୍ନକ୍ଷମ ଶିଶୁଙ୍କ ସର୍ଭେ କରିବେ ସରକାର: ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଜାରି ହେଲା ଏସ୍‌ଓପି

ରାଜ୍ୟରେ ଥିବା ଜନ୍ମରୁ ୬ବର୍ଷର ଭିନ୍ନକ୍ଷମ ଶିଶୁଙ୍କ ସର୍ଭେ କରାଯିବ। ରାଜ୍ୟର ସମସ୍ତ ଜିଲ୍ଲାରେ ୨୧ପ୍ରକାରର ଭିନ୍ନକ୍ଷମତାକୁ ଏହି ସର୍ଭେରେ ବିଚାରକୁ ନିଆଯିବ। ଯାହାଫଳରେ ଭିନ୍ନକ୍ଷମ ଶିଶୁଙ୍କ ଉପଯୁକ୍ତ ଯତ୍ନ, ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଓ ପୁନର୍ବାସକୁ ଗୁରୁତ୍ବ ଦିଆଯାଇପାରିବ।

adgdaagd

Photograph: Freepik

ଭୁବନେଶ୍ବର: ରାଜ୍ୟରେ ଥିବା ଜନ୍ମରୁ ୬ବର୍ଷର ଭିନ୍ନକ୍ଷମ ଶିଶୁଙ୍କ ସର୍ଭେ କରାଯିବ। ରାଜ୍ୟର ସମସ୍ତ ଜିଲ୍ଲାରେ ୨୧ପ୍ରକାରର ଭିନ୍ନକ୍ଷମତାକୁ ଏହି ସର୍ଭେରେ ବିଚାରକୁ ନିଆଯିବ। ଯାହାଫଳରେ ଭିନ୍ନକ୍ଷମ ଶିଶୁଙ୍କ ଉପଯୁକ୍ତ ଯତ୍ନ, ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଓ ପୁନର୍ବାସକୁ ଗୁରୁତ୍ବ ଦିଆଯାଇପାରିବ। ସର୍ଭେ ପାଇଁ ପ୍ରତି ଜିଲ୍ଲାକୁ ୧ଲକ୍ଷ ଟଙ୍କା ମିଳିବ ଓ ୩୦ଦିନ ଭିତରେ ଏହା ଶେଷ କରିବାକୁ କୁହାଯାଇଛି। ଏଥିପାଇଁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଏସ୍‌ଓପି ଜାରି ହୋଇଛି।  ଭିନ୍ନକ୍ଷମ ଶିଶୁଙ୍କ ଚିହ୍ନଟ ପାଇଁ ନିକଟରେ ରାଜ୍ୟ ସାମାଜିକ ସୁରକ୍ଷା ଓ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ସର୍ଭେ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା କର୍ମଚାରୀଙ୍କୁ ଏଥିପାଇଁ ରାଜ୍ୟ ଓ ଜିଲ୍ଲାସ୍ତରରେ ସ୍ବତନ୍ତ୍ର ତାଲିମ ଦିଆଯିବ। ଅଙ୍ଗନବାଡ଼ି କର୍ମୀ ଘରକୁ ଘର ବୁଲି ଭିନ୍ନକ୍ଷମ ଶିଶୁଙ୍କୁ ଚିହ୍ନଟ କରିବେ। ଏଥିପାଇଁ ଅଭିଭାବକଙ୍କ ମତ ନେବା ସହ ଆଇସିଡିଏସ୍‌ ସୁପରଭାଇଜରଙ୍କ ସହାୟତାରେ ଆବଶ୍ୟକ ଫର୍ମକୁ ସିଡିପିଓଙ୍କୁ ପ୍ରଦାନ କରିବେ।

ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଜାରି ହେଲା ଏସ୍‌ଓପି
ସର୍ଭେ ପାଇଁ ପ୍ରତି ଜିଲ୍ଲାକୁ ୧ଲକ୍ଷ, ୩୦ଦିନରେ ସରିବ

ସିଡିପିଓ ଏହାକୁ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ(ବିଏସ୍‌ଏସ୍‌ଓ)ଙ୍କୁ ପ୍ରଦାନ କରିବା ଲାଗି କୁହାଯାଇଛି। ମେଡିକାଲ ରେକର୍ଡ ଅନୁସାରେ ଶିଶୁଠାରେ କେଉଁ ପ୍ରକାରର ଓ କେତେ ପରିମାଣର ଭିନ୍ନକ୍ଷମତା ରହିଛି ତାହା ଉଲ୍ଲେଖ କରାଯିବ। ଶିଶୁ ପାଇଁ କେଉଁ ପ୍ରକାରର ଚିକିତ୍ସା ସୁବିଧା ଉପଲବ୍ଧ ହେଉଛି, ଆର୍ଥିକ ଓ କଲ୍ୟାଣକାରୀ ଯୋଜନାର ସହାୟତା, ଶିଶୁକୁ କେଉଁ ପ୍ରକାରର ସହାୟତାର ଆବଶ୍ୟକତା ରହିଛି ତାହାର ତଥ୍ୟ ସଂଗ୍ରହ ହେବ। ଆଇସିଡିଏସ୍‌ ସୁପରଭାଇଜର ଓ ଡିଏସ୍‌ଏସ୍‌ଓ, ଅଙ୍ଗନବାଡ଼ି କର୍ମୀ ସଂଗ୍ରହ କରିଥିବା ତଥ୍ୟର ଗୁଣବତ୍ତା ଯାଞ୍ଚ କରିବେ। ସର୍ଭେ ପାଇଁ ଅଙ୍ଗନବାଡ଼ି କର୍ମୀଙ୍କୁ ୫ଶହ ଟଙ୍କା ମିଳିବ। ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରରେ ସର୍ଭେକୁ ତଦାରଖ କରାଯିବ। ଶିଶୁଙ୍କ ଭିନ୍ନକ୍ଷମତା ତଥ୍ୟ ସଂପୂର୍ଣ୍ଣ ଗୋପନୀୟ ରଖାଯିବ। ସର୍ଭେ ପାଇଁ ରାଜ୍ୟ ଓ ଜିଲ୍ଲାରେ ୫ଦିନିଆ ତାଲିମ କାର୍ଯ୍ୟକ୍ରମ କରାଯିବ। ପରବର୍ତ୍ତୀ ୧୫ଦିନରେ ତଥ୍ୟ ସଂଗ୍ରହ, ପରବର୍ତ୍ତୀ ୫ଦିନ ତଥ୍ୟର ଯାଞ୍ଚ ଓ ଶେଷ ୫ଦିନରେ ତଥ୍ୟର ଡାଟା ଏଣ୍ଟ୍ରି କରାଯିବ। ତେଣୁ ଜିଲ୍ଲା ଓ ବ୍ଲକ୍ ସ୍ତରରେ କାର୍ଯ୍ୟରତ ଅଧିକାରୀମାନେ ଏସ୍‌ଓପିକୁ କଡ଼ାକଡ଼ି ଅନୁପାଳନ କରିବା ଲାଗି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe