କଠୋର ହେଲେ ସରକାର: ଦରଦାମ୍ ସ୍ଥିତିର ସମୀକ୍ଷା

Advertisment

ଲାଭଖୋରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚେତାବନୀ, ଜିଲ୍ଲାରେ ନଜର ରଖିବେ ଜିଲ୍ଲାପାଳ

ଲାଭଖୋରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚେତାବନୀ, ଜିଲ୍ଲାରେ ନଜର ରଖିବେ ଜିଲ୍ଲାପାଳ

କଠୋର ହେଲେ ସରକାର: ଦରଦାମ୍ ସ୍ଥିତିର ସମୀକ୍ଷା

ଭୁବନେଶ୍ବର: ଡାଲି, ତେଲ, ସାବୁନଠାରୁ ଆରମ୍ଭ କରି ପନିପରିବା ପର୍ଯ୍ୟନ୍ତ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଯୋଗୁଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ପରିବାର ନିଜର ସ୍ବଳ୍ପ ରୋଜଗାରରେ ଗୁଜୁରାଣ୍ଟ ମେଣ୍ଟାଇପାରୁନାହାନ୍ତି। ଖାଦ୍ୟ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଡ଼ କରିବାରେ ଆୟର ସିଂହ ଭାଗ ଖର୍ଚ୍ଚ କରିବାକୁ ପଡ଼ୁଛି। ଦରଦାମ୍‌ରେ ଏଭଳି ହଠାତ୍‌ ବୃଦ୍ଧିରୁ ଲୋକମାନଙ୍କୁ ଆଶ୍ବସ୍ତି ପ୍ରଦାନ କରିବା ଲାଗି ରାଜ୍ୟ ସରକାର ତତ୍ପର ହୋଇପଡ଼ିଛନ୍ତି। ସ୍ଥିତିର ଫାଇଦା ଉଠାଇ ମୁନାଫା କରିବାକୁ ଚାହୁଥିବା ବ୍ୟବସାୟୀମାନଙ୍କୁ ସରକାର କଡ଼ା ଚେତାବନୀ ଦେଇଛନ୍ତି। ଅସାଧୁ ଉପାୟରେ କାରବାର କରୁଥିବା ବ୍ୟବସାୟୀ ଧରାପଡ଼ିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରୋକଠୋକ୍ ଶୁଣାଇଛନ୍ତି।

ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ ଆଜି ସ୍ଥିତିର ସମୀକ୍ଷା କରିଛନ୍ତି। ରାଜ୍ୟର ଖାଉଟିମାନେ ଯେଭଳି ସୁଲଭ ଓ ଉଚିତ୍‌ ମୂଲ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ ତାହା ନିଶ୍ଚିତ କରିବା ଲାଗି ପଦକ୍ଷେପ ନେବାକୁ ବିଭାଗର ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଲାଭଖୋର ଓ ଅସାଧୁ ଉପାୟ ଅବଲମ୍ବନ କରୁଥିବା ବ୍ୟବସାୟୀଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବିଭାଗ ପକ୍ଷରୁ କୁହାଯାଇଛି ଯେ ଖାଉଟି ସାମଗ୍ରୀଗୁଡ଼ିକର ଦରବୃଦ୍ଧି ଏବେ ଜାତୀୟ ସମସ୍ୟା ହୋଇରହିଛି। ତେବେ ଏହାର ଲାଭ ଯେଭଳି ରାଜ୍ୟର ଅସାଧୁ ବ୍ୟବସାୟୀମାନେ ନ ଉଠାନ୍ତି ତାହାକୁ ନିଶ୍ଚିତ କରିବା ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କୁ ସଜାଗ ରହିବାକୁ ମନ୍ତ୍ରୀ କହିଛନ୍ତି।

ଯୋଗାଣ ବିଭାଗର ଅଧିକାରୀମ‌ାନେ ଭୁବନେଶ୍ବର, କଟକ, ରାଉରକେଲା, ସମ୍ବଲପୁର ଓ ପୁରୀ ଆଦି ଅଞ୍ଚଳରେ ଯାଞ୍ଚ କରୁଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀର କ୍ରୟ ବିକ୍ରୟ ଉପରେ ନଜର ରଖିବାକୁ ବିଭାଗ ତରଫରୁ କୁହାଯାଇଛି। ଜିଲ୍ଲା ସମ୍ପର୍କିତ ବିବରଣୀ ବିଭାଗକୁ ପଠାଇବାକୁ ଜିଲ୍ଲାର ଯୋଗାଣ ବିଭାଗର କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ଆଳୁ, ପିଆଜ, ଟମାଟୋ, ବାଇଗଣ ଭଳି ପନିପରିବା ଦାମ୍‌ରେ ହଠାତ୍‌ ବୃଦ୍ଧି ଘଟିଥିବାରୁ ଲୋକମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ଅନେକ ପରିବା ଦାମ୍ କେଜି ପିଛା ୧୦୦ ଟଙ୍କାରୁ ଅଧିକ ଦାମ୍‌ରେ ବିକ୍ରି ହେଉଛି। ମୂଳା, ପୋଟଳ, କୁନ୍ଦୁରି, କାକୁଡ଼ି, ଅମୃତଭଣ୍ଡା, ବନ୍ଧାକୋବି, ସାରୁ ଦାମ୍‌ରେ ମଧ୍ୟ ଅହେତୁକ ବୃଦ୍ଧି ଘଟିଛି। ସେଥିପାଇଁ ଲୋକମାନେ କୌଣସି ପରିବାର କେଜିଆ କିଣିବା ଲାଗି ସାହସ ଜୁଟାଇ ପାରୁନାହାନ୍ତି। ସେମାନେ ଅଢ଼େଇ ଶହ ଓ ଅଧ କିଲୋ ନେଇ ଘର ଚଳାଇବାକୁ ଉଦ୍ୟମ କରୁଛି। ଅନ୍ୟପକ୍ଷରେ ହରଡ଼ ଡାଲି ଦାମ୍‌ରେ ଘଟିଥିବା ବୃଦ୍ଧି ମଧ୍ୟ ଚିନ୍ତାର ଅନ୍ୟତମ କାରଣ ପାଲଟିଛି। ଅଦା କେଜି ପାଖାପାଖି ୨୦୦ ଏବଂ ରସୁଣ ୨୦୦-୨୩୦ ଟଙ୍କାରେ ବିକ୍ରି ହେଉଛି।

ବିଶେଷଜ୍ଞମାନଙ୍କ ମତରେ ଅଧିକାଂଶ କୃଷିଜାତ ଓ ଖାଦ୍ୟ ସାମଗ୍ରୀ ପାଇଁ ଓଡ଼ିଶା ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ରହୁଥିବାରୁ ସେଗୁଡ଼ିକୁ‌ ଲୋକମାନେ ଅଧିକ ଦାମ୍‌ରେ କିଣିବାକୁ ବାଧ୍ୟ ହେଉଛନ୍ତି। ଆଳୁ, ପିଆଜଠାରୁ ଆରମ୍ଭ କରି ମାଛ ଓ ଅନ୍ୟାନ୍ୟ ଜିନିଷ ବାହାର ରାଜ୍ୟରୁ ଆଣି ରାଜ୍ୟର ଆବଶ୍ୟକତା ପୂରଣ କରିବାକୁ ପଡ଼ୁଛି। ଏଭଳି ପରିସ୍ଥିତିରେ ରାଜ୍ୟରେ ଖାଲିପଡ଼ୁଥିବା ଜମିଗୁଡ଼ିକରେ କିଭଳି ଚାଷ ହେବ ଏବଂ ଜମିକୁ କିଭଳି ଅଧିକରୁ ଅଧିକ ଜଳସେଚନ ସୁବିଧା ଯୋଗାଇ ଦିଆଯାଇପାରିବ ତାହା ଉପରେ ରାଜ୍ୟ ସରକାରଙ୍କୁ ଧ୍ୟାନ ଦେବାକୁ ପଡ଼ିବ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe