ସମ୍ଭାବ୍ୟ ବାର୍ଡ ଫ୍ଲୁ ସଂକ୍ରମଣ ନେଇ ସବୁ ଜିଲ୍ଲାକୁ ସତର୍କ କଲେ ସରକାର

Advertisment

ଖୋର୍ଦ୍ଧା ଜିଲ୍ଲାରେ ମଲେଣି ୧୨୦ କୁକୁଡ଼ା

ଖୋର୍ଦ୍ଧା ଜିଲ୍ଲାରେ ମଲେଣି ୧୨୦ କୁକୁଡ଼ା

ବଣାଇରେ ପକ୍ଷୀ ମଡ଼କ, ବାର୍ଡଫ୍ଲୁ ଆଶଙ୍କା

The Poultry Site

ଭୁବନେଶ୍ବର : ରାଜ୍ୟରେ ବାର୍ଡ ଫ୍ଲୁ ସଂକ୍ରମଣ ସମ୍ଭାବନା ଥିବାରୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ସତର୍କ ରହିବାକୁ ନିର୍ଦ୍ଦେଶ ଜାରି କରିଥିବାବେଳେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ୧୨୦ଟି କୁକୁଡ଼ା ମରି ପଡ଼ିଥିବା ରିପୋର୍ଟ ମିଳିଛି। ଏହି କଥା ସାମ୍ନାକୁ ଆସିବା ପରେ ବିଭାଗ ପକ୍ଷରୁ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଦଳ ପଠାଯାଇ ସମ୍ପୃକ୍ତ କୁକୁଡ଼ା ଫାର୍ମକୁ ବିଶୋଧନ କରାଯାଇଛି। ତେବେ ଜନସାଧାରଣ ଭୟଭୀତ ନ ହୋଇ କୁକୁଡ଼ା ମାଂସ ଓ ଅଣ୍ଡାକୁ ଭଲ ଭାବେ ସିଝାଇ ଖାଇବାକୁ ଅନୁରୋଧ କରାଯାଇଛି। ନିଜ ଅଞ୍ଚଳରେ ପକ୍ଷୀ ମରି ପଡ଼ିଥିବା ଦେଖିଲେ, ତୁରନ୍ତ ନିକଟସ୍ଥ ପ୍ରାଣୀ ଚିକିତ୍ସକ କିମ୍ବା ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀଙ୍କୁ ଜଣାଇବାକୁ ବିଭାଗ ଅନୁରୋଧ କରିଛି। ପକ୍ଷୀମଡ଼କ ବିଷୟରେ ସରକାରଙ୍କୁ ଜଣାଇବା ପାଇଁ ରାଜ୍ୟସ୍ତରରେ ମଧ୍ୟ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି।

ଗୁରୁବାର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍‌ ଅନ୍ତର୍ଗତ ବଡ଼ବେରଣା ଗ୍ରାମ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମରେ ୧୨୦ଟି କୁକୁଡ଼ା ମରିଥିବା ଦେଖିବାକୁ ମିଳିଥିଲା। ଏହି ଖବର ମିଳିବା ପରେ ରାଜ୍ୟସ୍ତରୀୟ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଟିମ୍‌ ସେଠାରେ ପହଞ୍ଚି ମୃତ କୁକୁଡ଼ାଙ୍କ ମଧ୍ୟରୁ ୫ଟିକୁ ପରୀକ୍ଷଣ ନିମନ୍ତେ ଫୁଲନଖରା ସ୍ଥିତ ପ୍ରାଣୀରୋଗ ଗବେଷଣା ପ୍ରତିଷ୍ଠାନକୁ ଆଣିଥିଲେ। ଆଭିଆନ୍‌ ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣ ନେଇ ୫ଟି ଯାକ ମୃତ କୁକୁଡ଼ାଙ୍କର ଆଣ୍ଟିଜେନ୍‌ ଟେଷ୍ଟ ପାଇଁ ନମୁନା ପରୀକ୍ଷଣ କରାଯାଇଥିଲା। କିନ୍ତୁ କୌଣସି କୁକୁଡ଼ାରେ ବାର୍ଡ ଫ୍ଲୁ ରୋଗ ନଥିବା ଜଣାପଡ଼ିଛି। ବାକି ମୃତ କୁକୁଡ଼ାଗୁଡ଼ିକୁ ଗଭୀର ଗାତରେ ବିଶୋଧକ ପ୍ରୟୋଗ କରି ପୋତି ଦିଆଯାଇଛି। ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଦଳ ଓ ତ୍ବରିତ୍‌ କାର୍ଯ୍ୟକାରୀ ଦଳର ସଦସ୍ୟମାନେ କୁକୁଡ଼ା ଫାର୍ମର ପରିସରକୁ ଉପଯୁକ୍ତ ପରିମାଣର ବିଶୋଧକ ପ୍ରୟୋଗ କରି ବିଶୋଧନ କରିଛନ୍ତି। କୁକୁଡ଼ା ମରିଥିବା ଫାର୍ମରୁ ପାର୍ଶ୍ବବର୍ତ୍ତୀ ସ୍ଥାନମାନଙ୍କରେ କୌଣସି ପକ୍ଷୀ ମରିଥିବା ନଜରକୁ ଆସିନାହିଁ। ଏହାସହିତ ସେସବୁ ସ୍ଥାନମାନଙ୍କୁ ଅଧିକ ନମୁନା ସଂଗ୍ରହ କରାଯାଇ ପରୀକ୍ଷଣ ପାଇଁ ପଠାଯାଇଛି। ଏପର୍ଯ୍ୟନ୍ତ କୋଲକାତାଠାରେ ଥିବା ଆଞ୍ଚଳିକ ପ୍ରାଣୀରୋଗ ନିରୂପଣ ପରୀକ୍ଷାଗାରକୁ ୧୧ ହଜାର ୩୦୦ ନମୁନା ପଠାଯାଇଛି।

ପକ୍ଷୀମଡ଼କ ଦେଖିବା ମାତ୍ରେ ସୂଚନା ଦେବା ପାଇଁ କଟକ ଠାରେ ଥିବା ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ (ରୋଗ ନିୟନ୍ତ୍ରଣ)ଙ୍କ ତତ୍ତ୍ବାବଧାନରେ ରାଜ୍ୟସ୍ତରୀୟ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ଏହାର ନମ୍ବର ହେଉଛି ୦୬୭୧-୨୪୧୪୩୧୦। ଏହାସହିତ ବାର୍ଡ ଫ୍ଲୁ ସମ୍ବନ୍ଧୀୟ ଯେ କୌଣସି ତଥ୍ୟ ନିମନ୍ତେ ନିର୍ଦ୍ଦେଶାଳୟର ଡାକ୍ତର ବିଭୂ ରଞ୍ଜନ ଦାସ (ମୋବାଇଲ ନମ୍ବର ୭୯୭୮୨୦୬୪୦୪), ଡାକ୍ତର ସାଗରିକା ବେହେରା (ମୋବାଇଲ ନମ୍ବର ୭୯୭୮୧୦୫୫୩୮) ଓ ଡାକ୍ତର ମଦନ ମୋହନ ମହାପାତ୍ରଙ୍କ (ମୋବାଇଲ ନମ୍ବର ୯୪୩୭୩୧୩୧୮୩) ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। ବାର୍ଡ ଫ୍ଲୁ ସନ୍ଦେହ ହେଲେ କୌଣସି ସ୍ଥାନକୁ ତୁରନ୍ତ ଗସ୍ତ କରିବା ପାଇଁ ରାଜ୍ୟ ସ୍ତରରେ ୯ଟି ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଦଳ ନିଯୁକ୍ତ କରାଯାଇଛି। ପ୍ରତି ଜିଲ୍ଲାରେ ୧୦ରୁ ୧୫ଟି ତ୍ବରିତ୍‌ କାର୍ଯ୍ୟକାରୀ ଦଳ ଗଠନ କରିବା ପାଇଁ ସମସ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe