ଭୁବନେଶ୍ବର: ରାଜ୍ୟରେ ମହିଳାଙ୍କ ସୁରକ୍ଷା ନେଇ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ତୃଣମୂଳ ସ୍ତରରେ ବାଲ୍ୟ ବିବାହକୁ ରୋକିବା ଲାଗି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଅଧିକାରୀଙ୍କୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିବାଠାରୁ ଆରମ୍ଭ କରି ଅଧିକରୁ ଅଧିକ ମହିଳା କର୍ମଚାରୀଙ୍କୁ ସାମିଲ କରିବା ଉପରେ ନିଷ୍ପତ୍ତି ନିଆଯାଇଛି। ଗ୍ରାମ ପଞ୍ଚାୟତସ୍ତରରେ ବାଲ୍ୟ ବିବାହକୁ ରୋକିବା ପାଇଁ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ)ଙ୍କୁ ବାଲ୍ୟ ବିବାହ ନିରୋଧ ଅଧିକାରୀ(ସିଏମ୍ପିଓ) ମାନ୍ୟତା ପ୍ରଦାନ କରାଯାଇଛି। ପିଇଓମାନେ ନିଜର ନାମ ଫଳକରେ ସିଏମ୍ପିଓ ଉଲ୍ଲେଖ କରିବା ସହ ମହିଳା ହେଲ୍ପଲାଇନ୍ ୧୮୧, ଚାଇଲ୍ଡ ହେଲ୍ପଲାଇନ ୧୦୯୮, ପୁଲିସ ୧୧୨ ଓ ସୁଭଦ୍ରା ହେଲ୍ପଲାଇନ ୧୪୬୭୮କୁ ଉଲ୍ଲେଖ କରିବେ। ସେହିପରି ରାଜ୍ୟ ଏସ୍ସି, ଏସ୍ଟି ବିଭାଗ ଅଧୀନରେ ଥିବା ଆବାସିକ ହଷ୍ଟେଲଗୁଡ଼ିକରେ କାର୍ଯ୍ୟରତ ୱାର୍ଡେନ୍-ମାଟ୍ରୋନ୍ଙ୍କୁ ମଧ୍ୟ ସିଏମ୍ପିଓ ମାନ୍ୟତା ଦିଆଯାଇଛି। ପିଇଓଙ୍କ ଭଳି ସେମାନେ ମଧ୍ୟ ନିଜର ନାମ ଫଳକରେ ସବୁ ହେଲ୍ପଲାଇନ୍ ନମ୍ବର ଉଲ୍ଲେଖ କରିବେ।
ପିଇଓ, ଆବାସିକ ହଷ୍ଟେଲର ୱାର୍ଡେନ୍ଙ୍କୁ ବାଲ୍ୟ ବିବାହ ନିରୋଧ ଅଧିକାରୀ ମାନ୍ୟତା
ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ରହିବ ଶତ ପ୍ରତିଶତ ମହିଳା ପିସିଆର୍ ଭ୍ୟାନ୍
ସ୍କୁଲର ପ୍ରଧାନଶିକ୍ଷକ ଓ ଅଧ୍ୟକ୍ଷ କୌଣସି ସ୍ଥାନରେ ବାଲ୍ୟ ବିବାହ ସଂପର୍କରେ ଖବର ପାଇଲେ ତୁରନ୍ତ ସିଏମ୍ପିଓଙ୍କୁ ଜଣାଇବେ। ସେମାନେ ବାଲ୍ୟ ବିବାହ ସୂଚନା ଅଧିକାରୀ ଭାବେ ବିବେଚିତ ହେବେ। ବାଲ୍ୟ ବିବାହ ସଂପର୍କରେ ସଚେତନତା ସୃଷ୍ଟି ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଠ୍ୟକ୍ରମରେ ଏକ ଚାପ୍ଟର ସାମିଲ କରିବା ପାଇଁ କୁହାଯାଇଛି। ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ମହିଳା ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଶତ ପ୍ରତିଶତ ମହିଳା ପିସିଆର ଭ୍ୟାନ ନିୟୋଜିତ କରାଯିବ। ପର୍ଯ୍ୟଟନସ୍ଥଳୀ ନିକଟରେ ଥିବା ଥାନା ଓ ଫାଣ୍ଡିରେ ଅତି କମ୍ରେ ୭୦% ମହିଳା ପୁଲିସ କର୍ମଚାରୀଙ୍କୁ ନିଯୁକ୍ତି ଦେବା ଉପରେ ବିଭାଗ ପକ୍ଷରୁ ଗୁରୁତ୍ବ ଦିଆଯାଇଛି। ପର୍ଯ୍ୟଟନସ୍ଥଳଗୁଡ଼ିକରେ ଅଧିକରୁ ଅଧିକ ମହିଳା ଟୁରିଷ୍ଟ ଗାଇଡ୍ଙ୍କୁ ନିଯୁକ୍ତି ଦେବା ଦିଗରେ ପର୍ଯ୍ୟଟନ ବିଭାଗ ପଦକ୍ଷେପ ନେବାକୁ କୁହାଯାଇଛି। ସେହିପରି କ୍ରୁଟ୍ ଓ ଓଏସ୍ଆରଟିସି ପକ୍ଷରୁ କେବଳ ମହିଳା କ୍ର୍ୟୁ ସଦସ୍ୟଙ୍କୁ ନେଇ ଅଧିକ ସଂଖ୍ୟାରେ ବସ୍ ଚଳାଇବା ଉପରେ ଗୁରୁତ୍ବ ଦିଆଯାଇଛି। ଡ୍ରାଇଭିଂ ତାଲିମ୍ ସ୍କୁଲରେ ମଧ୍ୟ ମହିଳା ଡ୍ରାଇଭରମାନଙ୍କୁ ପ୍ରଧାନ୍ୟ ଦେବାକୁ ବାଣିଜ୍ୟ ଓ ପରିବହନ ବିଭାଗକୁ କୁହାଯାଇଛି।
Follow Us