ସରକାରଙ୍କ ଅଙ୍ଗୀକାରବଦ୍ଧତା ଓଡ଼ିଶାକୁ ଭିନ୍ନ ଓ ସ୍ବତନ୍ତ୍ର କରିଛି: ପାଣ୍ଡିଆନ

୨୦୩୬ରେ ଓଡ଼ିଶା: ନବଦିଗନ୍ତର ସମ୍ଭାବନା

ସରକାରଙ୍କ ଅଙ୍ଗୀକାରବଦ୍ଧତା ଓଡ଼ିଶାକୁ ଭିନ୍ନ ଓ ସ୍ବତନ୍ତ୍ର କରିଛି: ପାଣ୍ଡିଆନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱାଧୀନ ଓଡ଼ିଶା ସରକାର ନିରବଚ୍ଛିନ୍ନ ବିକାଶ ଓ ଅଭୂତପୂର୍ବ ରୂପାନ୍ତର ପଥକୁ ଅନୁସରଣ କରିଛନ୍ତି। ଗତ ୨୩ ବର୍ଷରୁ ଅଧ‌ିକ ସମୟ ଧରି ଗଭୀର ଆତ୍ମବିଶ୍ୱାସର ସହିତ ଉତ୍ସର୍ଗୀକୃତ ସେବା ମନୋଭାବ ଓ ଦୃଢ ସଂକଳ୍ପ ନେଇ ଜନସାଧାରଣଙ୍କ ପାଇଁ ସରକାର କାର୍ଯ୍ୟ କରି ଆସୁଛନ୍ତି। ରାଜ୍ୟବାସୀଙ୍କ ସେବା ଓ ଓଡ଼ିଶାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଅଙ୍ଗୀକାରବଦ୍ଧତା ଓଡ଼ିଶାକୁ ଅନ୍ୟ ରାଜ୍ୟମାନଙ୍କଠାରୁ ଭିନ୍ନ ଓ ସ୍ୱତନ୍ତ୍ର ମର୍ଯ୍ୟାଦା ଦେଇଛି ବୋଲି କହିଛନ୍ତି ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ।

ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅବସରରେ ଆଦିକବି ସାରଳା ଦାସ ପ୍ରକୋଷ୍ଠରେ ଆୟୋଜିତ ‘୨୦୩୬ରେ ଓଡ଼ିଶା: ନବଦିଗନ୍ତର ସମ୍ଭାବନା' ଶୀର୍ଷକ ଆଲୋଚନାରେ ଭାଗ ନେଇ ଶ୍ରୀ ପାଣ୍ଡିଆନ କହିଥିଲେ, ବିକାଶର ଏହି ଫଳପ୍ରଦ ଯାତ୍ରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ପରିଚୟ ସୃଷ୍ଟି କରିଛନ୍ତି। ଲୋକମାନଙ୍କ ସମ୍ମାନକୁ ଗୁରୁତ୍ୱ ଦେଇ ସ୍ୱଚ୍ଛତା ଓ ନମ୍ରତାର ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ବହନ କରି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ସେବାରେ ନିୟୋଜିତ ରହିଛନ୍ତି। ଏଥିସହିତ ଓଡ଼ିଶାର ଗୌରବମୟ ସଂସ୍କୃତି ଓ ପରମ୍ପରାକୁ ସମୃଦ୍ଧ କରିଥିବା ପୂର୍ବସୂରୀମାନଙ୍କ ତ୍ୟାଗ, ତପସ୍ୟା ଓ ସାଧନାରେ ଅନୁପ୍ରେରିତ ହୋଇ କାର୍ଯ୍ୟକଲେ ୨୦୩୬ର ଓଡ଼ିଶା ବିକାଶ, ସ୍ୱାଭିମାନ ଓ ଅଭିବୃଦ୍ଧିର ରାଜ୍ୟରେ ପରିଣତ ହେବ ବୋଲି ଶ୍ରୀ ପାଣ୍ଡିଆନ ଉଲ୍ଲେଖ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶା ସରକାରଙ୍କ ଆନୁଷ୍ଠାନିକ ଦକ୍ଷତା ନିର୍ମାଣର ମୁଖ୍ୟ ପରାମର୍ଶଦାତା ସୁବ୍ରତୋ ବାଗ୍‌ଚୀ କହିଥିଲେ, ଆମେ ଦେଶ ଓ ଜାତି ପାଇଁ ସ୍ୱପ୍ନ ଦେଖିବାକୁ ପଡିବ ଏବଂ ସେହି ସ୍ୱପ୍ନକୁ ସାକାର କରିବାକୁ ପଡିବ। ଜାତିର ପିତା ମହାତ୍ମା ଗାନ୍ଧୀ ଦେଶ ଓ ଜାତି ପାଇଁ ବାଟ କାଢିଥିଲେ। ମହାତ୍ମାଙ୍କ ସମେତ ଉତ୍କଳମଣି ଗୋପବନ୍ଧୁ, ଉତ୍କଳଗୌରବ ମଧୁସୂଦନ ପ୍ରମୁଖ ମହାପୁରୁଷଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇପାରିଲେ ୨୦୩୬‌ରେ ଓଡ଼ିଶା ଆଦର୍ଶ, ସମୃଦ୍ଧ ଓ ପ୍ରଭାବୀ ରାଜ୍ୟ ହେବ।

ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ନିର୍ବାହୀ ଅଧିକାରୀ ବିର୍ଲା କାର୍ବନ ନିର୍ଦ୍ଦେଶକ (ରସାୟନ) ଏବଂ ଆଦିତ୍ୟ ବିର୍ଲା ଗ୍ରୁପ ମାନବ ସମ୍ବଳ ନିର୍ଦ୍ଦେଶକ ଡ. ସଂତୃପ୍ତ ମିଶ୍ର, ମନିଟାରି ଅଥରିଟି ଅଫ୍‌ ସିଙ୍ଗାପୁରର ମୁଖ୍ୟ ଫିନ୍‌ଟେକ୍‌ ଅଧିକାରୀ ସ୍ୱପ୍ନେନ୍ଦୁ ମହାନ୍ତି, ସାନ-ଡିଏଗୋସ୍ଥ ରୀତା ଆଣ୍ଡ ରିଚାର୍ଡ ଆଟ୍‌କିନସନ୍‌ର ଅଧ୍ୟକ୍ଷ ପ୍ରାଧ୍ୟାପକ ସଚ୍ଚିଦାନନ୍ଦ ପଣ୍ଡା ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଶୁଭମ୍ ବେହେରାଙ୍କ ଦ୍ୱାରା ପରିଚାଳିତ ଏହି ଆଲୋଚନାଚକ୍ରରେ କଟକ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ସମୀକ୍ଷା ତ୍ରିପାଠୀ ଏବଂ ସୌମ୍ୟା ପଟ୍ଟନାୟକ ମଧ୍ୟ ନିଜ ବକ୍ତବ୍ୟ ରଖିଥିଲେ। ଅପରାହ୍ନରେ ଦୁଇଟି ବାର୍ତାଳାପ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରଥମଟିରେ ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ଫେସନ୍ ଡିଜାଇନର୍‌ ବିଭୁ ମହାପାତ୍ରଙ୍କ ସହିତ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷା ଓ ବିଶ୍ୱ ଦକ୍ଷତା କେନ୍ଦ୍ରର ମୁଖ୍ୟ ନିର୍ବାହୀ ଅଧିକାରୀ ଅଳକା ମିଶ୍ର ଆଲୋଚନା କରିଥିଲେ । ଦ୍ୱିତୀୟଟି ଆଭାସୀ ମାଧ୍ୟମରେ ଆୟୋଜିତ ହୋଇଥିଲା। ଏଥିରେ ବିଶ୍ୱବିଖ୍ୟାତ ଐତିହାସିକ ଓ ଗବେଷକ ପଦ୍ମଶ୍ରୀ ହର୍‌ମାନ୍‌ କୁଲକେଙ୍କ ସହିତ ଲେଖିକା ତଥା ଐତିହାସିକା ଡ. ନିବେଦିତା ମହାନ୍ତି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe