ପଛୁଆ ଅଞ୍ଚଳକୁ ବିକଶିତ କରିବା ପାଇଁ ନାରୀଶକ୍ତିର ଆବଶ୍ୟକତା ରହିଛି: ରାଜ୍ୟପାଳ

ରାଜ୍ୟପାଳଙ୍କ ରାୟଗଡା ଗସ୍ତ, ବିଭିନ୍ନ ସ୍ଥାନ ବୁଲି ଲୋକଙ୍କ ସମସ୍ୟା ବୁଝିଲେ

ପଛୁଆ ଅଞ୍ଚଳକୁ ବିକଶିତ କରିବା ପାଇଁ ନାରୀଶକ୍ତିର ଆବଶ୍ୟକତା ରହିଛି: ରାଜ୍ୟପାଳ

ରାୟଗଡ଼ା: ରାଜ୍ୟପାଳ ରଘୁବର ଦାସ ରାୟଗଡ଼ା ଗସ୍ତ କରିଛନ୍ତି। ଗୁମ୍ମା ଠାରେ ପହଞ୍ଚି ସେଠାରେ ଥିବା ମା’ ତାରିଣୀ, ମା’ ମଝିଘରିଆଣି ଓ ମା’ ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ପାଖାପାଖି ୨୫୦ରୁ ଊର୍ଦ୍ଧ୍ବ ମହିଳାଙ୍କ ସହ ସିଧା କଥା ହୋଇଥିଲେ। ମହିଳାଙ୍କ ଠାରୁ ସମସ୍ତ ବିଷୟ ପଚାରି ବୁଝିବା ପରେ ରାଜ୍ୟପାଳ କହିଥିଲେ ଯେ ଦେଶ ସ୍ଵାଧୀନ ହେବାର ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ଏବେବି ରାୟଗଡ଼ଶ ଜିଲ୍ଲା ପଛୁଆ ଅଞ୍ଚଳ ଭାବେ ରହିଛି। ଆମେ ଏବେ ସବୁ ଜିନିଷ ପାଇଁ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରୁଛୁ। ଏହି ପଛୁଆ ଅଞ୍ଚଳକୁ ବିକଶିତ କରିବା ପାଇଁ ନାରୀଶକ୍ତିର ଆବଶ୍ୟକତା ରହିଛି। ଏଥିପାଇଁ ସରକାରଙ୍କ ଶକ୍ତି ଓ ମହିଳା ଶକ୍ତି ଏକାଠି ହେଲେ ଯାଇ ଆମ ଜିଲ୍ଲା ଓ ରାଜ୍ୟ ବିକଶିତ ହୋଇପାରିବ ବୋଲି ରାଜ୍ୟପାଳ କହିଥିଲେ।

publive-image

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଅଣ୍ଡା ଦିଆ କୁକୁଡ଼ା, ଗୋପାଲନ ସହ ମାଛ ଚାଷ ଉପରେ ଅଧିକ ଯତ୍ନବାନ ହବା ଆବଶ୍ୟକ। ଫଳରେ ଆମେ ଆଉ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରିବା ନାହିଁ। ତେଣୁ ମହିଳା ସଦସ୍ୟାମାନେ ଯେଉଁ ଲାଭ ପାଉଛନ୍ତି ତାହାକୁ ପିଲାଙ୍କ ପାଠ ପଢ଼ାରେ ଖର୍ଚ୍ଚ କରିବା ଦରକାର। କାରଣ ଯେଉଁ ଗାଁର, ଯେଉଁ ଜିଲ୍ଲାର ଲୋକେ ବେଶୀ ସ୍ବାକ୍ଷର ହେବେ ସେତେ ବିକଶିତ ହେବ ସେହି ଅଞ୍ଚଳ। ଏହାପରେ ଗୁମ୍ମାର ଜଣେ ଅସହାୟ ମହିଳା ଲଳିତା ବିଡିକାଙ୍କ ଦୁଃଖ ଶୁଣି ସେହି ମହିଳାଙ୍କୁ ବ୍ୟବସାୟ କରି ଭଲରେ ବଞ୍ଚିବା ପାଇଁ ୨୫ ହଜାର ଟଙ୍କା ରାଜ୍ୟପାଳ ପ୍ରଦାନ କରିଥିଲେ। ଏହାପରେ ରାଜ୍ୟପାଳ ହାଲୁଆ ପଂଚାୟତର ହାଲୁଆ ତୋଟାରେ ଆୟୋଜିତ ବୈଠକରେ ଚାଷୀ ଓ ସେହି ପଂଚାୟତର ଲୋକଙ୍କ ସହ ସିଧା କଥା ହୋଇ ସମସ୍ତ ବିଷୟ ପଚାରି ବୁଝିଥିଲେ। ବିଶେଷ କରି ଚେକଡ୍ୟାମ ଥିବା ସତ୍ୱେ ଜମିକୁ ପାଣି ନମାଡିବା, କପାର ସହାୟକ ମୂଲ୍ୟ ନିର୍ଦ୍ଧାରଣ କରିବା, ଦାଦାନ ସମସ୍ୟା ଦୂର କରିବା ସହ ଜିଲ୍ଲାରେ ବଡ଼ବଡ଼ କମ୍ପାନି ୪ଟି ଥିଲେ ମଧ୍ୟ ନିଯୁକ୍ତି ନମିଳିବା ଏବଂ ବୃଦ୍ଧ ବୃଦ୍ଧାମାନେ ଭତ୍ତା ପାଇଁ ବେଶୀ ହଇରାଣ ହେଉଥିବାରୁ ତାଙ୍କୁ ଘରକୁ ଆସି ଭତା ଟଙ୍କା ପ୍ରଦାନ କରିବା ପାଇଁ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ ଚାଷୀ ଓ ନିକଟସ୍ଥ ଗାଁ ଲୋକେ।

ଏହା ଶୁଣିବା ପରେ ରାଜ୍ୟପାଳ ଜିଲ୍ଲାପାଳଙ୍କୁ କହିଥିଲେ ଯେ ପ୍ରତି ଗାଁରେ ଏକ ବୈଠକ କରାଯାଇ ଉକ୍ତ ପଂଚାୟତର ମୁଖ୍ୟ ସମସ୍ୟା ଯାହା ରହିଛି ତାହାର ଖସଡ଼ା ପ୍ରସ୍ତୁତ କରାଯାଇ ଡିଏମଏଫ ଫଣ୍ଡ ସହ ନକ୍ସଲ ଉପଦ୍ରୁବ ଜିଲ୍ଲାକୁ ଆସୁଥିବା ଅର୍ଥରେ ଏହାର ନିରାକରଣ କରିବା ପାଇଁ ନିର୍ଦେଶ ଦେଇଥିଲେ। ରାଜ୍ୟପାଳ କହିଥିଲେ ଯେ ଭତ୍ତା ପାଇବାରେ ଯେଉଁ ସମସ୍ୟା ସୃଷ୍ଟି ହେଉଛି ତାହା ଆଗରୁ ଅଧିକ ସମସ୍ୟା ହେଉଥିଲା। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଡିବିଟି ମାଧ୍ୟମରେ ସିଧା ଉପଭୋକ୍ତାଙ୍କ ନିକଟକୁ ଯାଇପାରୁଛି,  ଯାହାକି ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଥିଲେ ରାଜ୍ୟପାଳ।ପରେ ସେଠାରୁ ଚନ୍ତଲଗୁଡା ଠାରେ ପହଞ୍ଚି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଘର ଦେଖିବା ସହ ହିତାଧିକାରୀମାନଙ୍କ ସହ ସିଧାସଳଖ କଥାବାର୍ତ୍ତା ହୋଇଥିଲେ। ଲୋକଙ୍କ ସମସ୍ୟା ବୁଝି ତାକୁ ସମାଧାନ ନେଇ ପ୍ରତିଶ୍ରୁତି ଦେଇଥିଲେ।

publive-image

ଆଦର୍ଶ ବିଦ୍ୟାଳୟରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ରାଜ୍ୟପାଳ ଶ୍ରୀ ଦାସ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଶିକ୍ଷା କେତେ ଗୁରୁତ୍ବ ସେନେଇ ପିଲାଙ୍କୁ ବୁଝାଇଥିଲେ। ବାରିଝୋଲା ଠାରେ ରହିଥିବା ଏକଲବ୍ୟ ବିଦ୍ୟାଳୟରେ ପହଞ୍ଚି ସେଠାରେ ମଧ୍ୟ ପିଲାଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ପରେ ଜେମାଦେଇପେଣ୍ଠ ଠାରେ ରହିଥିବା ସିଏଚସି ବୁଲି ରୋଗୀଙ୍କ ଚିକିତ୍ସା କିପରି କରାଯାଉଛି ପଚାରି ବୁଝିଥିଲେ। ରୋଗୀଙ୍କ ସହ କଥା ହୋଇ ରାଜ୍ୟପାଳ ଏଠାରେ ରହିଥିବା ସମସ୍ୟାକୁ ତୁରନ୍ତ ଦୁର କରାଯିବ ବୋଲି କହିଥିଲେ। ସେଠାରୁ ଫେରି ସେ ଜଗନ୍ନାଥଙ୍କ ଦର୍ଶନ ସାରିବା ପରେ ମା‘ ମଝିଘରିଆଣୀଙ୍କ ଦର୍ଶନ କରିଥିଲେ। ଆଜି ରାତ୍ରିଯାପନ ପରେ ସେ ଶନିବାର ଭୁବନେଶ୍ବରର ଫେରିଯିବେ ବୋଲି ଜଣାପଡିଛି। ରାଜ୍ୟପାଳ ବିଭିନ୍ନ ସ୍ଥାନ ଗସ୍ତବେଳେ ଜିଲ୍ଲାପାଳ ସ୍ବଧାଦେବ ସିଂ, ଏସପି ବିବେକାନନ୍ଦ ଶର୍ମା, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe