ବାଲୁଗାଁରେ ମିଳୁନି ଉପଯୁକ୍ତ ସରକାରୀ ଲ‌ଞ୍ଚ ସେବା, ନିରାଶ ହୋଇ ଫେରୁଛନ୍ତି ପର୍ଯ୍ୟଟକ

Advertisment
ବାଲୁଗାଁରେ ମିଳୁନି ଉପଯୁକ୍ତ ସରକାରୀ ଲ‌ଞ୍ଚ ସେବା, ନିରାଶ ହୋଇ ଫେରୁଛନ୍ତି ପର୍ଯ୍ୟଟକ

ବାଲୁଗାଁ : ଶୀତର ପ୍ରକୋପ ବୃଦ୍ଧି ହେବା ସହ ଚିଲିକାରେ ବିଦେଶାଗତ ପକ୍ଷୀମାନଙ୍କର ସମାଗମ ବୃଦ୍ଧି ଘଟିଛି। ବିଦେଶୀ ପକ୍ଷୀଙ୍କ ସହିତ ତାଳ ଦେଇ ଶୀତ ଋତୁରେ ଚିଲିକାରେ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ଘଟିଛି। କିନ୍ତୁ ବାଲୁଗାଁ ସରକାରୀ ଲ‌ଞ୍ଚ ସଭିର୍ସ୍‌ର ଅବହେଳା ଯୋଗୁଁ ପର୍ଯ୍ୟଟକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାଲୁଗାଁ ଚିଲିକା କୂଳରେ ଗଢ଼ି ଉଠିଥିବା ବେସରକାରୀ ଡଙ୍ଗା ସଂଘ ପକ୍ଷରୁ ଉତ୍ତମ ସୁବିଧା ଓ ସହଯୋଗ ମିଳୁଥିବାରୁ ଜଳଯାତ୍ରୀମାନେ ନିର୍ବିଘ୍ନରେ ଜଳଯାତ୍ରା କରୁଥିବା ବେଳେ ବାଲୁଗାଁରେ ଥିବା ସରକାରୀ ଲ‌ଞ୍ଚ ସର୍ଭିସ୍‌ ଓ ବଡ଼କୁଳ ପାନ୍ଥନିବାସ ପକ୍ଷରୁ ବୋଟ୍ ସର୍ଭିସ୍‌ ଯାତ୍ରୀ ସେବା ଦେଇ ପାରୁ ନ ଥିବା ଫଳରେ ଯାତ୍ରୀମାନଙ୍କ ମନରେ ଶକ୍ତ ଧକ୍କା ଲାଗିଛି।

publive-image mechem.in

ପ୍ରାୟ ଏକ ସପ୍ତାହରୁ ଊର୍ଦ୍ଧ୍ବ ସମୟ ହେବ ବାଲୁଗାଁରେ ଥିବା ଲ‌ଞ୍ଚ ସର୍ଭିସ୍‌ର ୩ଟି ଲ‌ଞ୍ଚ କୃଷ୍ଣପ୍ରସାଦକୁ ଯିବା ଆସିବା କରୁଥିବା ବେଳେ କାଳିଜାଈ ଦର୍ଶନ କରିବାକୁ ହେଲେ ବେସରକାରୀ ସଂସ୍ଥା ଉପରେ ନିର୍ଭର କରିବାକୁ ପଡ଼ିଥାଏ। ସେହିପରି ବଡ଼କୁଳ ପାନ୍ଥନିବାସ ବୋଟ୍ ସର୍ଭିସ୍‌ ଉପଯୁକ୍ତଭାବେ ପର୍ଯ୍ୟଟକମାନଙ୍କୁ ଜଳଯାତ୍ରା ନିମନ୍ତେ ସହାୟତା ନ ଦେବା ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏ ସଂପର୍କରେ ଉଭୟ ସରକାରୀ ବୋଟ୍ ସର୍ଭିସ୍‌ର ଅଧିକାରୀମାନଙ୍କୁ ପଚାରିବାରେ ସରକାର ଲ‌ଞ୍ଚ ସଂଖ୍ୟା ବୃଦ୍ଧି କରୁ ନ ଥିବା ଦ୍ୱାରା ଯାତ୍ରୀମାନେ ହଇରାଣର ସମ୍ମୁଖୀନ ହେଉଛନ୍ତି ବୋଲି ସ୍ୱୀକାର କରିଛନ୍ତି। ପ୍ରତିଦିନ ପ୍ରାୟ ହଜାରରୁ ଊର୍ଦ୍ଧ୍ବ ଯାତ୍ରୀ ଜଳଯାତ୍ରା ନିମନ୍ତେ ସୁଯୋଗ ନ ପାଇ ନିରାଶ ହୋଇ ଫେରୁଛନ୍ତି।

publive-image thesamikhsya.com

ଏ ସଂକ୍ରାନ୍ତରେ ରବିବାର ସକାଳେ ସମ୍ବଲପୁରରୁ ଆସିଥିବା କୃଷ୍ଣ ଚନ୍ଦ୍ର ମିଶ୍ରସପରିବାରେ ଚିଲିକାକୁ କାଳିଜାଈ ଦର୍ଶନ ପାଇଁ ଆସିଥିଲେ। ବାଲୁଗାଁ ଚିଲିକା କୂଳରେ ଥିବା ମା’ କାଳିଜାଈ ବୋଟ୍ ସର୍ଭିସ୍‌ର ସମସ୍ତ ଡଙ୍ଗା କାଳିଜାଈ ମଧ୍ୟକୁ ଚାଲିଯାଇଥିବା ବେଳେ ସରକାରୀ ଲ‌ଞ୍ଚ୍‌ର ସହାୟତା ନିମନ୍ତେ ସେଠାକୁ ଯାଇଥିଲେ। ସେଠାରେ ମଧ୍ୟ ଅନୁରୂପଭାବେ ନିରାଶ ହୋଇ ବଡ଼କୁଳ ପାନ୍ଥନିବାସ ଅଭିମୁଖେ ଯାଇଥିଲେ। ବଡ଼କୁଳ ପାନ୍ଥନିବାସର ସମସ୍ତ ଲ‌ଞ୍ଚ୍‌ ଓ ବୋଟ୍ କାଳିଜାଈ ଓ ନଳବଣ ଚାଲିଯାଇଥିବା ବେଳେ ଏହି କର୍ମଚାରୀମାନେ ଶ୍ରୀ ମିଶ୍ରଙ୍କୁ ୫ ଘଣ୍ଟା ଅପେକ୍ଷା କରିବା ପାଇଁ କହିଥିଲେ। ଦୀର୍ଘ ୫ ଘଣ୍ଟା ଅପେକ୍ଷା କରିବା ଶ୍ରୀ ମିଶ୍ରଙ୍କ ପକ୍ଷେ ସମ୍ଭବ ନ ଥିବାରୁ ନିଜ ପରିବାର ସହ ପ୍ରତ୍ୟାବର୍ତ୍ତନ କରିବାକୁ ବାଧ୍ୟ ହୋଇଥିଲେ। ଏହିପରି ରବିବାର ଅନେକ ଯାତ୍ରୀ ଠିକ୍ ଭାବରେ ଜଳଯାତ୍ରା ପାଇଁ ବୋଟ୍ କିମ୍ବା ଲ‌ଞ୍ଚ୍‌ ନ ପାଇଁ ଘରକୁ ଫେରି ଯାଇଥିବା ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe