ସରକାରଙ୍କ ପାଇଁ ନୂଆ ଶିକ୍ଷାବର୍ଷ ଆହ୍ବାନ

ସରକାରଙ୍କ ପାଇଁ ନୂଆ ଶିକ୍ଷାବର୍ଷ ଆହ୍ବାନ

Image Courtesy: virgin.com

ଭୁବନେଶ୍ୱର : କରୋନା ଭୂତାଣୁ ପାଇଁ ୨୦୨୦-୨୧ ଶିକ୍ଷାବର୍ଷ କ୍ୟାଲେଣ୍ଡର୍‌ ଏକ ଆହ୍ୱାନ ଭାବେ ଉଭା ହୋଇଛି। ବାତିଲ ହୋଇଥିବା ପରୀକ୍ଷା କେମିତି ହେବ? ନୂଆ ଶିକ୍ଷାବର୍ଷ କେବେ ଆରମ୍ଭ ହେବ? ନାମଲେଖା ପ୍ରକ୍ରିୟା କେବେଠୁ ଚାଲିବ? ପ୍ରବେଶିକା ପରୀକ୍ଷା କେବେ ହେବ? ନିର୍ଦ୍ଧାରିତ ସମୟରେ ପାଠପଢ଼ା କିଭଳି ସରିବ? ଫଳ କେବେ ପ୍ରକାଶ କରାଯିବ? ଏହା ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ନୂତନ ଶିକ୍ଷାବର୍ଷକୁ ପାଖାପାଖି ଅଧା ମାସ ଗଡ଼ି ଗଲାଣି। ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଅଧା ରହିଛି। ବାକି ପରୀକ୍ଷା ପୁଣି କେବେ ହେବ, ତାହା ବି ଜଣାନାହିଁ।

ଇତିମଧ୍ୟରେ ଆଜି ଓଡ଼ିଶା ସରକାର ଜୁନ୍‌ ୧୭ଯାଏ ଛୁଟି ଘୋଷଣା କରିଛନ୍ତି। ତେଣୁ ଆସନ୍ତା ଦୁଇ ମାସରୁ ଅଧିକ ଦିନ ପର୍ଯ୍ୟନ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ବନ୍ଦ ରହିବ। ପାଠପଢ଼ା ହେବନି। ପିଲା ବି ଶିକ୍ଷାନୁଷ୍ଠାନ ଆସିବେ ନାହିଁ। ତେଣୁ ଏବେ ଧରିନେବାକୁ ପଡ଼ିବ ଯେ ଜୁନ୍‌ ୧୭ ଆଗରୁ ଓଡ଼ିଶାରେ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବାର ସମ୍ଭାବନା ହିଁ ନାହିଁ। ଏଭଳି ନିଷ୍ପତ୍ତି ପରେ ମାଟ୍ରିକ୍‌ ଖାତା ମୂଲ୍ୟାୟନ ଓ ଫଳ ପ୍ରକାଶନ, ଯୁକ୍ତ୨ର ବାକି ପରୀକ୍ଷା ଶେଷ କରିବା ସହ ଖାତା ଦେଖା, ଫଳ ପ୍ରକାଶ ଏବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆଗରେ ସବୁଠାରୁ ବଡ଼ ଆହ୍ବାନ ରହିବ।

ଉଚ୍ଚଶିକ୍ଷା କ୍ଷେତ୍ରରେ ବି ସମାନ ସ୍ଥିତି ଉପୁଜିଲାଣି। କାରଣ ଏ ପର୍ଯ୍ୟନ୍ତ ଯୁକ୍ତ୩ ଓ ପିଜି ପାଠ୍ୟକ୍ରମର ସମସ୍ତ ସେମିଷ୍ଟର୍‌ ପରୀକ୍ଷା ସରିନି। ଅଳ୍ପ କିଛି ବିଷୟର ପରୀକ୍ଷା ସରିଛି। ବହୁ ବାକି ଅଛି। ବାକି ଥିବା ବିଷୟଗୁଡ଼ିକର ପରୀକ୍ଷା କରିବା, ଖାତା ମୂଲ୍ୟାୟନ, ଫଳ ପ୍ରକାଶ, ନାମଲେଖା ଆଦି ସମସ୍ୟା ସୃଷ୍ଟି ହେବ।

ସିବିଏସ୍‌ଇ ସମେତ ଅନ୍ୟାନ୍ୟ କେନ୍ଦ୍ରୀୟ ବୋର୍ଡଗୁଡ଼ିକରେ ବି ନୂତନ ଶିକ୍ଷାବର୍ଷ ଆରମ୍ଭ ହେବା ନେଇ ସମସ୍ୟା ଦେଖାଦେଲାଣି। ଏପ୍ରିଲ ୧୪ ତାରିଖରେ ଦେଶବ୍ୟାପୀ ସରିବାକୁ ଥିବା ଲକ୍‌ଡାଉନ୍‌ ଅବଧି ବୃଦ୍ଧି ପାଇବାର ସମ୍ଭାବନା ଅଧିକ ରହିଛି। ତେଣୁ ଓଡ଼ିଶା ସରକାରଙ୍କ ପରି କେନ୍ଦ୍ର ସରକାର ବି ଜୁନ୍‌ରୁ ନୂତନ ଶିକ୍ଷାବର୍ଷ ଆରମ୍ଭ କରିପାରନ୍ତି। ଏହାକୁ ନଜରରେ ରଖି କେନ୍ଦ୍ର ସରକାର ଉଚ୍ଚଶିକ୍ଷା ସହ ଜଡ଼ିତ ଏକ ଯୋଜନା ଉପରେ ବିଚାରବିମର୍ଶ କରୁଛନ୍ତି। ଏହି ଯୋଜନା ସମ୍ପର୍କରେ ଏପ୍ରିଲ ୧୪ ପରେ ଘୋଷଣା କରାଯାଇପାରେ। ଶିକ୍ଷା କ୍ୟାଲେଣ୍ଡର୍‌ ବ୍ୟତୀତ କଲେଜ ଓ ବିଶ୍ୱବିଦ୍ୟାଳୟର ପରୀକ୍ଷା ପାଇଁ ଛୁଟି ଓ ଫଳ ପ୍ରକାଶର ନୂଆ ତାରିଖ ବାବଦରେ ଘୋଷଣା କରାଯିବାର ସମ୍ଭାବନା ରହିଛି।

ଏହି କ୍ୟାଲେଣ୍ଡର୍‌ରେ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ କ୍ୟାରିଅର୍‌ ବାବଦରେ ପରାମର୍ଶ ସମ୍ବନ୍ଧୀୟ ତଥ୍ୟ ରହିବ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଏପ୍ରିଲ ୬ରେ ଏହି ଯୋଜନା ପ୍ରସ୍ତୁତ ପାଇଁ ୭ ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରିଛି। ହରିଆନାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଆର ସି କୁହଦ ଏହାର ମୁଖ୍ୟ ରହିଛନ୍ତି। ଅନ୍ୟ ସଦସ୍ୟଙ୍କ ମଧ୍ୟରେ ବନସ୍ଥଳୀ ବିଦ୍ୟାପୀଠର କୁଳପତି, ପଞ୍ଜାବ ବିଶ୍ୱବିଦ୍ୟାଳୟ ଓ ଶ୍ରୀ ବୈଷ୍ଣବ ବିଶ୍ୱବିଦ୍ୟାଳୟର କୁଳପତି, ଇଣ୍ଟର ବିଶ୍ୱବିଦ୍ୟାଳୟର ଏକ୍ସିଲେରେଟର୍‌ର ନିର୍ଦ୍ଦେଶକ ଓ ୟୁଜିସିର ୨ଜଣ ସହ ସଚିବ ରହିଛନ୍ତି। କମିଟି ଅନେକ ଗୁରୁତ୍ୱପୂର୍ଣ୍ଣ ବିକଳ୍ପ ଉପରେ ଧ୍ୟାନ ଦେଇଛି। ଠିକ୍‌ ସମୟରେ ପରୀକ୍ଷା ଓ ଫଳ ପ୍ରକାଶ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେବ। ଏଥିସହ ଛାତ୍ରଛାତ୍ରୀଙ୍କ କ୍ୟାରିୟର୍‌, ଇଣ୍ଟର୍ଣ୍ଣସିପ୍ ଉପରେ ଧ୍ୟାନ ଦିଆଯିବ। ଆଇଆଇଟି ଓ ଆଇଆଇଏମ ଛାତ୍ରଛାତ୍ରୀଙ୍କୁ ଚାକିରି ଯୋଗାଇବା ଯେପରି ବ୍ୟାହତ ନହୁଏ, ସେନେଇ ବିଚାର କରାଯାଉଛି।

ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ୨୧ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିବା ପରେ ମାର୍ଚ୍ଚ ୨୪ରୁ ଆରମ୍ଭ ହେଉଥିବା ପରୀକ୍ଷା ସ୍ଥଗିତ ହୋଇଯାଇଛି। ସାଧାରଣତଃ ଅଧିକାଂଶ ପରୀକ୍ଷା ମାର୍ଚ୍ଚ ଓ ଏପ୍ରିଲ ମାସରେ ହୋଇଥାଏ। ମେ’ ସୁଦ୍ଧା ଫଳ ପ୍ରକାଶ ପାଏ ଏବଂ ଜୁନ୍‌ରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe