ତଡ଼ା ଖାଇଲେ କୃଷି ଉପନିର୍ଦେଶକ ପ୍ରଦୀପ ମହାନ୍ତି

Advertisment

ସରକାରୀ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଲେ ସରକାର

ସରକାରୀ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଲେ ସରକାର

ତଡ଼ା ଖାଇଲେ କୃଷି ଉପନିର୍ଦେଶକ ପ୍ରଦୀପ ମହାନ୍ତି

୧୧.୭ଲକ୍ଷ ଟଙ୍କା ସହ ଧରାପଡି ଜେଲ୍ ଯାଇଥିଲେ
ବର୍ଷକ ମଧ୍ୟରେ ୧୭ ବିଦା, ବହିଷ୍କୃତ ହେଲେଣି ୬୦

ଭୁବନେଶ୍ୱର : ଆୟୁଷ ନିର୍ଦେଶକଙ୍କ ପରେ ରାଜ୍ୟ ସରକାର କୃଷି ଉପନିର୍ଦେଶକ ପାହ୍ୟାରେ ଥିବା କୋରାପୁଟର ପୂର୍ବତନ ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ମହାନ୍ତିଙ୍କୁ ସରକାରୀ ଚାକିରିରୁ ବିଦା କରିଛନ୍ତି। ଆଜି ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଧ୍ୟତାମୂଳକ ଅବସର ଦେଇଥିବା ସରକାରୀ ସୂତ୍ରରୁ ପ୍ରକାଶ। ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଇ ସରକାରୀ ଅଭିଯାନର ଏହା ଆଉ ଏକ ଉଦାହରଣ ବୋଲି କୁହାଯାଇଛି। ଏହାକୁ ମିଶାଇ ୨୦୧୯ ଅଗଷ୍ଟରୁ ୨୦୨୦ ଅଗଷ୍ଟ ମଧ୍ୟରେ ୧୭ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଗଲାଣି। ସେହିପରି ଏହି ବର୍ଷକ ମଧ୍ୟରେ ୬୦ଜଣଙ୍କୁ ସରକାର ବହିଷ୍କାର କରିଛନ୍ତି ଓ ୨୨ଜଣଙ୍କର ପେନସନ୍ ସହାୟତା ଆଦି ବନ୍ଦ କରିଦିଆଯାଇଛି।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ ଜୁଲାଇ୨ ତାରିଖରେ ଶ୍ରୀ ମହାନ୍ତି କୋରାପୁଟରୁ ଭୁବନେଶ୍ବର ଆସୁଥିବା ବେଳେ ଦେଓଘାଟି ବିଦ୍ୟାଳୟ ନିକଟରେ ତାଙ୍କ ପାଖରୁ ୧୧ଲକ୍ଷ ୭୩ ହଜାର ୪୩୦ ଟଙ୍କା ଜବତ କରାଯାଇଥିଲା। ଏକ ଟୟୋଟା ଇନୋଭା କାରରେ ସେ ଏହି ଅର୍ଥ ଧରି ଆସୁଥିଲେ। ଏତେ ଟଙ୍କା କାହା ପାଇଁ ଓ କେଉଁଠୁ ଆଣିଲେ ସେ ନେଇ ଭିଜିଲାନ୍ସ ବିଭାଗ ଅଧିକାରୀଙ୍କର ଖୋଳତାଡ଼ ବେଳେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ସେହିଦିନ ହିଁ ତାଙ୍କୁ ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସରକାର ତାଙ୍କୁ ଚାକିରିରୁ ନିଲମ୍ବନ କରିଥିଲେ।

ପରେ ଭିଜିଲାନ୍ସ ଚଢଉ ବେଳେ ତାଙ୍କର ଭୁବନେଶ୍ବରରେ ଏକ ଦୁଇ ମହଲା ବିଶିଷ୍ଟ କୋଠା, ଦୁଇଟି ପ୍ଲଟ, ବିଭିନ୍ନ ବ୍ୟାଙ୍କରେ ୩୨ଲକ୍ଷ ୧୬ ହଜାର ଟଙ୍କାର ଜମାରାଶି, ୧୦ଲକ୍ଷ ୫୦ ହଜାର ଟଙ୍କାର ବୀମା, ୪ଲକ୍ଷ ଟଙ୍କାର ସୁନା ଓ ରୂପା ଏବଂ ଘରୁ ନଗଦ ୭ଲକ୍ଷ ୪୫ ହଜାର ଟଙ୍କା ଜବତ କରାଯାଇଥିଲା। ଏହିପରି ପାଖାପାଖି ୩କୋଟି ୫୦ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ମିଳିଥିବା ସରକାର କହିଛନ୍ତି।

ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ତାଙ୍କୁ ଆଜି ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଉଲ୍ଲେଖଥାଉକି, ଜନସେବାରେ ଉଚ୍ଚ ନୈତିକତା ଓ ଅଖଣ୍ଡତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରୁଛନ୍ତି। ଏଣୁ କୌଣସି ଅନୈତିକତା, ଅପରାଗତା ଆଦି କ୍ଷେତ୍ରରେ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରି କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe