Portrait an unknown male doctor holding a stethoscope behind
ଭୁବନେଶ୍ୱର : ଘରୋଇ/ପଲି କ୍ଲିନିକ୍ ଓ ନର୍ସିଂ ହୋମ୍ରେ ଘରୋଇ ଭାବେ ଚିକିତ୍ସା କରୁଥିବା ଡାକ୍ତରଙ୍କ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ନିର୍ଦେଶାନାମା ଜାରି ହୋଇଛି। ସଂପୃକ୍ତ ଡାକ୍ତରମାନେ ଏଣିକି ସେମାନଙ୍କ କ୍ଲିନିକ୍କୁ ଆସୁଥିବା ଇନ୍ଫ୍ଲୁଏଞ୍ଜା ଓ ନିଶ୍ବାସରେ ସମସ୍ୟା ଥିବା ରୋଗୀଙ୍କ ତଥ୍ୟ ଦେବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି। ଆଜିଠାରୁ ଏହାକୁ ଲାଗୁ କରାଯାଇଥିବା ବେଳେ ଯେଉଁମାନେ ଏଥିରେ ଉଲ୍ଲଂଘନ କରୁଥିବା ନଜରକୁ ଆସିବେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।
ରାଜ୍ୟରେ ଏବେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ପଜିଟିଭ୍ ସଂଖ୍ୟା ବଢ଼ିବାରେ ଲାଗିଛି। ପିପିଇ ପିନ୍ଧିଲେ କରୋନା ସଂକ୍ରମଣ ଆଶଙ୍କା କମ୍ ରହିଥିବା ବେଳେ ଏଥିରେ କେଉଁଠି ନା କେଉଁଠି ଢିଲା ଦିଆଯାଉଥିବାରୁ ଏଭଳି ପରିସ୍ଥିତି ଉପୁଜୁଛି। ଏଭଳି ପରିସ୍ଥିତି ଲାଗି ରହିଲେ କରୋନା ଲଢ଼େଇରେ ଏହା ପ୍ରଭାବ ପକାଇପାରେ। ତେଣୁ ଏହାର ମୁକାବିଲା ପାଇଁ ଘରୋଇ ଡାକ୍ତରମାନଙ୍କ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବତନ୍ତ୍ର ନିର୍ଦେଶାବଳି ଜାରି ହୋଇଛି।
ପ୍ରତ୍ୟେକ ନର୍ସିଂହୋମ୍, ପଲି କ୍ଲିନିକ୍ ଓ କ୍ଲିନିକ୍ରେ ସ୍ବତନ୍ତ୍ର ଭାବେ ଫିଭର କ୍ଲିନିକ୍ ଓ ଆଇସୋଲୋସନ୍ ସୁବିଧା ରଖାଯିବା ଦରକାର। ହାତ ଧୋଇବା ଲାଗି ସୁବିଧା, ହ୍ୟାଣ୍ଡ ସାନିଟାଇଜର୍ ଓ ମାସ୍କ୍ ସୁବିଧା ସହ ଉଚ୍ଚ ରକ୍ତଚାପ ଯନ୍ତ୍ରପାତି, ଷ୍ଟେଥୋସ୍କୋପ୍, ର୍ଥ ମୋମିଟ୍ର ଭଳି ସ୍ଥାନକୁ ନିୟମିତ ପ୍ରତ୍ୟେକ ଥର ବ୍ୟବହାର କରାଯିବା ପରେ ଷ୍ଟେରିଲାଇଜ୍/ବିଶୋଧନ କରାଯିବା ଜରୁରୀ। ହଟସ୍ପଟ୍ ଓ ସଂକ୍ରମଣ ଅବରୋଧ ଅଞ୍ଚଳରୁ ଜ୍ବର/ଇନଫ୍ଲୁଏଞ୍ଜା/ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ବା ‘ସାରି’ ରୋଗୀଙ୍କୁ ଅଲଗା କରିବା ସହିତ ସରକାରୀ/ଘରୋଇ କୋଭିଡ ହସ୍ପିଟାଲର ଓପିଡିକୁ ପଠାଯିବା ନେଇ ବ୍ୟବସ୍ଥା ରହିବା ଦରକାର। କ୍ଲିନିକ୍କୁ ଆସୁଥିବା ସମସ୍ତ ବ୍ୟକ୍ତି ମାସ୍କ ପିନ୍ଧିବା ଓ ସାନିଟାଇଜରରେ ହାତ ସଫା ରଖିବା ଉପରେ ଗୁରୁତ୍ବ ଦିଆଯିବା ଦରକାର। ସାମାଜିକ ଦୂରତା ସହ ସଂକ୍ରମଣ ରୋକିବା ପାଇଁ ଆବଶ୍ୟକ ପ୍ରୋଟୋକଲ ପାଳନ, କ୍ଲିନିକ୍ ପରିସରରେ ରୋଗୀମାନେ କ’ଣ କରିବେ ଓ ନ କରିବେ, ତାହାକୁ ଡିସପ୍ଲେ ଜରିଆରେ ପ୍ରଦର୍ଶନ କରି ସଚେତନ କରିବେ। କ୍ଲିନିକ୍କୁ ଆସୁଥିବା ରୋଗୀଙ୍କ ତାଲିକା ରଖିବା ଲାଗି ନିର୍ଦେଶାବଳି ବାଧ୍ୟତାମୂଳକ କରାଯାଇଛି।
Follow Us