ଏୟାର ଏସିଆକୁ ଚିଠି ଲେଖିଲେ ସରକାର: ଅନ୍ତର୍ଜାତୀୟ ଉଡ଼ାଣ ଆଉ କେଉଁଠିକୁ କରିବ ଜଲ୍‌ଦି ଜଣାଅ

Advertisment
ଏୟାର ଏସିଆକୁ ଚିଠି ଲେଖିଲେ ସରକାର: ଅନ୍ତର୍ଜାତୀୟ ଉଡ଼ାଣ ଆଉ କେଉଁଠିକୁ କରିବ ଜଲ୍‌ଦି ଜଣାଅ

ଭୁବନେଶ୍ୱର: ଭୁବନେଶ୍ୱରରୁ କ୍ୱାଲାଲମ୍ପୁରକୁ ପ୍ରତି ଉଡ଼ାଣ ପାଇଁ ରାଜ୍ୟ ସରକାର ଏୟାର ଏସିଆକୁ ୯୭,୫୦୦ଟଙ୍କା ସବ୍‌ସିଡି ଦେଉଛନ୍ତି। କିନ୍ତୁ ଏହି ନିଷ୍ପତ୍ତି ନେବା ପୂର୍ବରୁ ରାଜ୍ୟ ସରକାର ଆପାତତଃ ନିଷ୍ପତ୍ତି ନେଇଥିଲେ ଯେ, ଏହି ସବ୍‌ସିଡି ବଦଳରେ ଏୟାର ଏସିଆ ଆଉ ଏକ ଅନ୍ତର୍ଜାତୀୟ ବିମାନ ଉଡ଼ାଣ କରିବ। ଏନେଇ ଲିଖିତ ପ୍ରତିଶ୍ରୁତି ବି ମଗା ଯାଇଥିଲା। କିନ୍ତୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏୟାର ଏସିଆ କର୍ତ୍ତୃପକ୍ଷ ଆଉ ଏକ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ରାଜି ହୋଇଥିଲେ ହେଁ ଲିଖିତ ପ୍ରତିଶ୍ରୁତି ଦେଇନଥିଲେ। ବହୁ ଆଲୋଚନା ପରେ ଗତ ମେ ୩୦ତାରିଖରେ ବସିଥିବା ବୈଠକରେ ଏୟାର ଏସିଆକୁ ରାଜ୍ୟ ସରକାର ବର୍ଷକ ପାଇଁ ସବ୍‌ସିଡି ଦେବାକୁ ରାଜି ହୋଇଥିଲେ। ଏହା ଏପ୍ରିଲ ୨୬ରୁ ପିଛିଲା ଭାବେ ଲାଗୁ ହୋଇଥିଲା।

ଏୟାର ଏସିଆ କର୍ତ୍ତୃପକ୍ଷ ଅଧିକ ବିମାନ ଉଡ଼ାଣ ପାଇଁ ବୈଠକରେ ମୌଖିକ ପ୍ରତିଶ୍ରୁତି ଦେଇଥିଲେ ହେଁ ଏପର୍ଯ୍ୟନ୍ତ ଏନେଇ କିଛି ପଦକ୍ଷେପ ନେଇନାହାନ୍ତି। ଏପରିକି ବୈଠକକୁ ୨୦ଦିନ ବିତିଯାଇଥିଲେ ହେଁ ଏୟାର ଏସିଆ କର୍ତ୍ତୃପକ୍ଷ ପଦକ୍ଷେପ ନେଇନଥିବାରୁ ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ଥିବା ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ଏୟାର ଏସିଆ ବରହାଦ୍‌ର ଜିଏମ୍‌ ସୁରେଶ ନାୟାରଙ୍କୁ ଚିଠି ଲେଖାଯାଇଛି। ଅଧିକ ବିମାନ ଉଡ଼ାଣ ପାଇଁ ଯାହା କହିଥିଲ ସେନେଇ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ସରକାର ଭୁବନେଶ୍ୱରରୁ କ୍ୱାଲାଲମ୍ପୁରକୁ ବିମାନ ସେବା ପାଇଁ ପ୍ରତି ଉଡ଼ାଣ ପିଛା ୯୭,୫୦୦ଟଙ୍କା ସବ୍‌ସିଡି ପାଇବା ବଦଳରେ ଏୟାର ଏସିଆ କର୍ତ୍ତୃପକ୍ଷ କହିଥିଲେ ଯେ, ଭୁବନେଶ୍ୱରରୁ ବ୍ୟାଙ୍କକ୍‌, ଜାକର୍ତା କିମ୍ବା କଲୋମ୍ବୋ ମଧ୍ୟରୁ କୌଣସି ଗୋଟିଏ ସ୍ଥାନକୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ କରିବେ। ଏହାବାଦ୍‌ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଏବଂ ମୁମ୍ବାଇକୁ ବିମାନ ଉଡ଼ାଣ କରିବେ। ବର୍ତ୍ତମାନ ସୁଦ୍ଧା ଏୟାର ଏସିଆ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ନ ଜଣାଇବା ନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏୟାର ଏସିଆର ସବ୍‌ସିଡି ଅବଧି ବଢ଼ାଇବାର ମୁଖ୍ୟ କାରଣ ହେଉଛି ଅଧିକ ଅନ୍ତର୍ଜାତୀୟ ବିମାନ ଉଡ଼ାଣ କରିବା। ଏୟାର ଏସିଆକୁ ତା’ର ସେବା ସମ୍ପ୍ରସାରଣ କରିବାକୁ କୁହାଯାଇଛି। ଯଦି ମାସକ ମଧ୍ୟରେ ଏୟାର ଏସିଆ କର୍ତ୍ତୃପକ୍ଷ ଦେଇଥିବା ପ୍ରତିଶ୍ରୁତି ପୂରଣ ନ କରନ୍ତି ତେବେ ଆମେ ସବ୍‌ସିଡି ବନ୍ଦ କରିବାକୁ ନୋଟିସ୍‌ କରିବୁ। ଆବଶ୍ୟକସ୍ଥଳେ ସବ୍‌ସିଡି ତତ୍‌କ୍ଷଣାତ୍‌ ବନ୍ଦ କରିଦିଆଯିବ।

ଏସୀୟ ମହାଦେଶରେ ବିମାନ ସେବା ସମ୍ପ୍ରସାରଣ କରିବାରେ କୌଣସି ଆଇନଗତ କି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଅନୁମତିରେ ସମସ୍ୟା ନାହିଁ। ବ୍ୟାଙ୍କକ୍‌ ଏବଂ କଲୋମ୍ବୋ ଭଳି ସହରକୁ ପ୍ରତି ମାସରେ ହଜାର ହଜାର ପର୍ଯ୍ୟଟକ ଯାତାୟତ କରୁଛନ୍ତି। ତେଣୁ ଏୟାର ଏସିଆ ବିମାନ ସେବା ଆରମ୍ଭ କଲେ କ୍ଷତି ହେବାର ନଥିବାରୁ ଆମେ ଏୟାର ଏସିଆକୁ ବିମାନ ସେବା ସମ୍ପ୍ରସାରଣ କରିବାକୁ ସର୍ତ୍ତ ରଖିଛୁ ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe