ମାଟ୍ରିକ୍‌ ପାସ୍‌ହାର ବୃଦ୍ଧି ଚିନ୍ତା: ‘ମିସନ ଜିରୋ ଫେଲ୍’ ପରେ ‘ମିସନ ଶହେ’

Advertisment

କଟକ ପରେ କଳାହାଣ୍ଡି, କେନ୍ଦ୍ରାପଡ଼ାରେ ଲାଗୁ, କଳାହାଣ୍ଡି ଜିଲ୍ଲାରେ ଏକ୍ସ-ମାସ୍‌ ଛୁଟି ବାତିଲ୍‌

କଟକ ପରେ କଳାହାଣ୍ଡି, କେନ୍ଦ୍ରାପଡ଼ାରେ ଲାଗୁ, କଳାହାଣ୍ଡି ଜିଲ୍ଲାରେ ଏକ୍ସ-ମାସ୍‌ ଛୁଟି ବାତିଲ୍‌

୧୮ରୁ ମାଟ୍ରିକ୍‌ ଖାତା ଦେଖା ଆରମ୍ଭ, ୬୧ଟି କେନ୍ଦ୍ରରେ ୧୧ ହଜାରରୁ ଅଧିକ ଶିକ୍ଷକ-ଶିକ୍ଷୟିତ୍ରୀ ମୂଲ୍ୟାୟନ କରିବେ

Financial Express

ଅନ୍ୟ ଜିଲ୍ଲାମାନେ ସାମିଲ ହେବାକୁ ମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ବର: ମାଟ୍ରିକ୍‌ ପରୀକ୍ଷାରେ ଉଚ୍ଚ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ପାସ୍‌ କରିବେ। କେହି ବି ଫେଲ୍‌ ହେବେନି। ଏଭଳି ଲକ୍ଷ୍ୟ ନେଇ କଟକ ଜିଲ୍ଲାରେ ଆରମ୍ଭ ହୋଇଥିଲା ‘ମିସନ ଜିରୋ ଫେଲ୍‌’। ଗତ ଅକ୍ଟୋବର ଦ୍ବିତୀୟ ସପ୍ତାହରେ କଟକ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବା ସହ ଗାଇଡ୍‌ଲାଇନ୍‌ ଜାରି କରିଥିଲେ। ଆଉ ଏହାର ଠିକ୍‌ ଦୁଇ ମାସ ପରେ ଅର୍ଥାତ୍‌ ଗତ ସପ୍ତାହରେ କେନ୍ଦ୍ରାପଡ଼ା ଓ କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀମାନେ ମଧ୍ୟ ଏଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ରପଡ଼ା ଡିଇଓ ‘ମିସନ ଶହେ ଟୁ ଶହେ’ ଆରମ୍ଭ କରିଥିବା ବେଳେ କଳାହାଣ୍ଡି ଡିଇଓ ‘ମିସନ ଶହେ’ ଆରମ୍ଭ କରିଛନ୍ତି। ୨୦୨୦ରେ ଉକ୍ତ ଦୁଇ ଜିଲ୍ଲାରେ ମାଟ୍ରିକ୍‌ ପରୀକ୍ଷା ଦେବାକୁ ଥିବା ସମସ୍ତ ଛାତ୍ରଛାତ୍ରୀ ଯେପରି ପାସ୍‌ କରିବେ ସେଦିଗରେ ପଦକ୍ଷେପ ନେବାକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀଙ୍କୁ ନି‌ର୍ଦେଶ ଦିଆଯାଇଛି।

ସବୁଠାରୁ ବଡ଼ କଥା ହେଉଛି ଯେ କଳାହାଣ୍ଡି ଜିଲ୍ଲାରେ ବଡ଼ଦିନ ଛୁଟିକୁ ବାତିଲ୍‌ କରାଯାଇଛି। କେବଳ ଗୋଟିଏ ଦିନ ଅର୍ଥାତ୍‌ ଡିସେମ୍ବର ୨୫ରେ ସ୍କୁଲ ଛୁଟି ରହିବ। ନ ହେଲେ ଅନ୍ୟ ସମସ୍ତ ଦିନ କେବଳ ୧୦ମ ‌ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବ। ଡିଇଓ ଗତ ୧୩ ତାରିଖରେ ଜାରି କରିଥିବା ବିଜ୍ଞପ୍ତିରେ କହିଛନ୍ତି ଯେ କଳାହାଣ୍ଡି ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ବଡ଼ଦିନ ଛୁଟି‌ରେ ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟର କେବଳ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲା ରହିବ। ପାସ୍‌ ପ୍ରତିଶତ ବୃଦ୍ଧି ସହ ଶହେ ପ୍ରତିଶତ ସଫଳତା ଲକ୍ଷ୍ୟ ରଖାଯାଇଛି। ତେଣୁ ଏହା ପୂର୍ବରୁ ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ଅଭିଭାବକଙ୍କ ସହ ବୈଠକ କରିବେ। ପିଲାମାନେ ଯେପରି ବଡ଼ଦିନ ଛୁଟିରେ ନିୟମିତ ଭାବେ ବିଦ୍ୟାଳୟକୁ ଆସିବେ ସେ ନେଇ ଅଭିଭାବକଙ୍କୁ କହିବେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଛୁଟି ଦିନରେ ବିଦ୍ୟାଳୟକୁ ଆସିବେ। ପିଲାଙ୍କୁ ପାଠ ପଢ଼ାଇବା ସହ ସେମାନଙ୍କ ପରୀକ୍ଷା କରାଇବେ। ଏହି ନିଷ୍ପତ୍ତିକୁ ଗୁରୁତ୍ବର ନେବାକୁ ବିଜ୍ଞପ୍ତିରେ କୁହାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ମଧ୍ୟ ଗତ ୧୨ ତାରିଖରେ ଅନୁରୂପ ଭା‌ବେ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ‘ମିସନ ଶହେ ଟୁ ଶହେ’ ଲକ୍ଷ୍ୟ ହାସଲ ଲାଗି ଏଣିକି ଆଉ ଶନିବାର ସକାଳୁଆ ଅର୍ଥାତ୍‌ ସକାଳ ୬ଟା ୩୦ରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ସ୍କୁଲ ସମୟ ରହିବ ନାହିଁ। ବରଂ ଅନ୍ୟ ଦିନଗୁଡ଼ିକ ପରି ଶନିବାର ମଧ୍ୟ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପାଠପଢ଼ା ହେବ। ଏପରିକି କେନ୍ଦ୍ରାପଡ଼ା ଜିଲ୍ଲାର କେତେକ ଉଚ୍ଚ ବିଦ୍ୟାଳୟ ଏହାକୁ ଗୁରୁତ୍ବର ସହ ନେଇ ପ୍ରତି ରବିବାର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସହ ପରୀକ୍ଷାର ବି ଆୟୋଜନ କରୁଛନ୍ତି। ଦଶମ ଶ୍ରେଣୀର ଯେଉଁ ପିଲାମାନେ ପୂର୍ବ ପରୀକ୍ଷାରେ ଖରାପ ପ୍ରଦର୍ଶନ କରିଥିଲେ ସେମାନଙ୍କୁ ଅଧିକ ଫୋକସ୍‌ରେ ରଖାଯାଉଛି।

କଟକ ପରେ କଳାହାଣ୍ଡି ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଏଭଳି ମିସନକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍ବାଗତ କରିଛନ୍ତି। ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାରେ ସଂସ୍କାର ଆଣିବା ଦିଗରେ ରାଜ୍ୟସ୍ତରରେ ଏକାଧିକ ପଦକ୍ଷେପ ନିଆଯାଉଛି। ଜିଲ୍ଲାସ୍ତରରେ ବି ଉଦ୍ୟମ ହେବା ଆବଶ୍ୟକ। ପାସ୍‌ହାର ବୃଦ୍ଧି କରିବାକୁ ୩ଟି ଜିଲ୍ଲା ମିସନ ମୁଡ୍‌ରେ ପଦକ୍ଷେପ ନେଇଥିବାରୁ ସେମାନଙ୍କୁ ଅଭିନନ୍ଦନ। ଅନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟ ଏଦିଗରେ ପଦକ୍ଷେପ ନିଅନ୍ତୁ। ଶିକ୍ଷକ ଶିକ୍ଷୟିତ୍ରୀ ନିଜ ଆଡ଼ୁ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲାଗି ଆଗେଇ ଆସିବାକୁ ମନ୍ତ୍ରୀ ଶ୍ରୀ ଦାଶ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe