ସରକାରୀ ପ୍ରେସରେ ବିଚିତ୍ର ନିଯୁକ୍ତି ପ୍ରକ୍ରିୟା: ୨୪ବର୍ଷ ଚାକିରି ପରେ ଡିଏଲ୍‌ଆର୍‌ଙ୍କୁ ଠିକା ନିଯୁକ୍ତି

Advertisment

ଅବସରକୁ ୨ବର୍ଷ ଅଛି, ଠିକାରେ ଖଟିବେ ୬ ବର୍ଷ

ଅବସରକୁ ୨ବର୍ଷ ଅଛି, ଠିକାରେ ଖଟିବେ ୬ ବର୍ଷ

ସରକାରୀ ପ୍ରେସରେ ବିଚିତ୍ର ନିଯୁକ୍ତି ପ୍ରକ୍ରିୟା: ୨୪ବର୍ଷ ଚାକିରି ପରେ ଡିଏଲ୍‌ଆର୍‌ଙ୍କୁ ଠିକା ନିଯୁକ୍ତି

Twitter

କଟକ : ଖପୁରିଆସ୍ଥିତ ଓଡ଼ିଶା ସରକାରୀ ପ୍ରେସ (ପ୍ରିଣ୍ଟିଂ ନିର୍ଦ୍ଦେଶାଳୟ)ରେ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଏବେ ଦ୍ବନ୍ଦ୍ବ ଉପୁଜିଛି। ଦୀର୍ଘ ୨୪ବର୍ଷ ଧରି ଡିଏଲଆର କର୍ମଚାରୀ ଭାବେ ଚାକିରି କରିବା ପରେ ଏବେ ଉକ୍ତ କର୍ମଚାରୀଙ୍କୁ ନିୟମିତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଅର୍ଥାତ ଦୁଇଦଶନ୍ଧି ଧରି ଦିନିକିଆ ମଜୁରିରେ କାମ କରି ସାରିବା ପରେ ଉକ୍ତ କର୍ମଚାରୀଙ୍କୁ ଠିକାରେ ନିଯୁକ୍ତି ଦିଆଯାଇଛି। ଅର୍ଥାତ ପୁଣି ୬ ବର୍ଷ ଚାକିରି କରିବା ପରେ ସେମାନଙ୍କୁ ନିୟମିତ କରାଯିବ ଓ ସ୍ଥାୟୀ ସରକାରୀ ଚାକିରିଆ ଭାବେ ଗଣାଯିବ। ମାତ୍ର ସବୁଠୁ ଆଶ୍ଚର୍ଯ୍ୟର କଥା ଯେ, ଏହି ଠିକା ୬ବର୍ଷ ଖଟିବାକୁ ଉକ୍ତ କର୍ମଚାରୀଙ୍କର ବୟସ ବି ନାହିଁ। କେତେକଙ୍କ ଚାକିରି ଆଉ ୨ ବର୍ଷ ତ ଆଉ କେତେକଙ୍କର ୪ ବର୍ଷ ବଳିଛି। ଏପରି ସ୍ଥିତିରେ ସେମାନେ କେମିତି ଠିକାରେ ଆଉ ୬ ବର୍ଷ ଖଟିବେ ବୋଲି ପ୍ରଶ୍ନ କରିଛନ୍ତି। ନିଯୁକ୍ତି ପ୍ରକ୍ରିୟ‌ାରେ ଏଭଳି ଦ୍ବନ୍ଦ୍ବ ଯୋଗୁଁ ମୋଟ ୩୫ ଜଣ ଡିଏଲଆର୍‌ କର୍ମଚାରୀଙ୍କ ମଧ୍ୟରୁ ୧୪ଜଣ କର୍ମଚାରୀ(ଯାହାଙ୍କ ଚାକିରି ୬ ବର୍ଷରୁ ଅଧିକ ଅଛି) ଏ ପ୍ରସ୍ତାବ ଗ୍ରହଣ କରି ସାରିଥିବାବେଳେ ବେଳେ ଅନ୍ୟମାନେ ଏହାକୁ ଗ୍ରହଣ କରି ପାରି ନାହାନ୍ତି। ଅନ୍ୟପକ୍ଷରେ ଡିଏଲଆର୍‌ରୁ ଠିକା( କଣ୍ଟ୍ରାକ୍‌ଚୁଆଲ) ହେବା ପରେ ଦରମା ମଧ୍ୟ କମିଯାଇଛି। ୧୨ ହଜାର ଟଙ୍କା ‌ରୋଜଗାର କରୁଥିବା କର୍ମଚାରୀ ଏବେ ୮ ହଜାର ଟଙ୍କା ପାଉଥିବା କର୍ମଚାରୀମାନେ କହିଛନ୍ତି।

publive-image ogpress.nic.in

ତଥ୍ୟ ମୁତାବକ, ଖପୁରିଆ ସରକାରୀ ପ୍ରେସ୍‌ରେ ୫୦ଜଣ ଡିଏଲଆର୍‌ କର୍ମଚାରୀ ଦୀର୍ଘ ୨୪ ବର୍ଷ ହେବ କାମ କରି ଆସୁଛନ୍ତି। ସେମାନେ ଦୈନିକ ମଜୁରିରେ କାମ କରୁଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣ କର୍ମଚାରୀ ମରି ସାରିଥିବାବେଳେ ୮ ଜଣ କର୍ମଚାରୀ ଅବସର ନେଇସାରିଲେଣି। ମାତ୍ର ସେମାନଙ୍କୁ ନିୟମିତ କରାଯାଇ ପାରି ନାହିଁ। ଏ ନେଇ କିଛି କର୍ମଚାରୀ ଆଇନର ଆଶ୍ରୟ ନେବା ପରେ ସେମାନଙ୍କ ସମ୍ପର୍କରେ ପୁନର୍ବିଚାର କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ ପ୍ରାୟ ୮ ମାସ ତଳୁ କର୍ତୃପକ୍ଷ କର୍ମଚାରୀଙ୍କୁ ନିୟମିତ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ୧୪ଜଣ କର୍ମଚାରୀ ଏ ପ୍ରସ୍ତାବକୁ ଗ୍ରହଣ କରିଥିବାବେଳେ ଅନ୍ୟମାନେ ଏହାକୁ ଗ୍ରହଣ କରି ପାରିନାହାନ୍ତି। କର୍ମଚାରୀ ହେମନ୍ତ ମହାନ୍ତିଙ୍କ କହିବା କଥା, ତାଙ୍କ ଚାକିରି ଆଉ ମାତ୍ର ୪ ବର୍ଷ ଅଛି। ସେ କିଭଳି ଏ ଠିକା ପ୍ରସ୍ତାବକୁ ଗ୍ରହଣ କରିବେ। ୬ ବର୍ଷ ଠିକା ଖଟି ସାରିଲା ବେଳକୁ ଚାକିରି ନ ଥିବ। ଦୀର୍ଘ ୨୪ବର୍ଷ କାମ କରିବା ପରେ ଏ କି ପ୍ରକାର ନିଷ୍ପତ୍ତି ବୋଲି ସେ କ୍ଷୋଭର ସହ ପ୍ରଶ୍ନ କରିଛନ୍ତି? ଅନ୍ୟପକ୍ଷରେ ଦୈନିକ ମଜୁରି ପାଉଥିବା ସମୟଠାରୁ ଏବେ ଠିକା ହେବା ପରେ ୪ହଜାର ଟଙ୍କା କମିଯାଇଛି। ଯେଉଁମାନଙ୍କ ଚାକିରି ୬ ବର୍ଷରୁ ଅଧିକ ଅଛି କେବଳ ସେମାନେ କିଛି ସୁବିଧା ଆଶାରେ ଏ ପ୍ରକାର ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ବୋଲି ସେ କହିଛନ୍ତି।

ଦିନ ଥିଲା ଓଡ଼ିଶା ସରକାରୀ ପ୍ରେସ୍‌ରେ ୫୦୦୦ ହଜାର କର୍ମଚାରୀ କାମ କରୁଥିଲେ। ଏବେ ଏହି ସଂଖ୍ୟା ପାଖାପାଖି ୯୦୦ରେ ପହଞ୍ଚିଛି। ୧୬୪୩ ପଦବିରୁ ଏବେ ୮୦୦ ପଦବି ଖାଲି ପଡ଼ିଛି। ବର୍ଷ ବର୍ଷ ଧରି ସରକାରୀ ପ୍ରେସ୍‌ରେ କାମ କରୁଥିବା କର୍ମଚାରୀଙ୍କୁ ସ୍ଥାୟୀ କରାଯାଉ ନାହିଁ। ନୂଆ ନିଯୁକ୍ତି ପାଇଁ ବିଜ୍ଞାପନ ଦିଆଗଲେ ବି ନିଯୁକ୍ତି ହୋଇ ପାରୁ ନାହିଁ। ଅନ୍ୟପକ୍ଷରେ ୧୯୩୬ ମସିହାରୁ ଆରମ୍ଭ ହୋଇଥିବା ସରକାରୀ ପ୍ରେସ୍‌ର କଳେବର ବୃଦ୍ଧି ପାଇଛି। ଏବେ ଏହାର ୮ଟି ଶାଖା କାମ କରୁଛି। କଟକ ଖପୁରିଆ ମୁଖ୍ୟ କାର୍ଯ୍ୟାଳୟ ସମେତ ବଲାଙ୍ଗୀର, କେନ୍ଦୁଝର, ଦେଓଗଡ଼, ଭବାନୀପାଟଣା, ଛତ୍ରପୁର, ଖଣ୍ଡପଡ଼ା ଓ ଭୁବନେଶ୍ବରରେ ଏହାର ଶାଖା ରହିଛି। ଅତ୍ୟାଧୁନିକ ମେସିନ୍‌ ଆସିଛି। ମାତ୍ର ମାନବସମ୍ବଳର ଅଭାବ ଦେଖାଦେଇଛି। ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଡିଏଲଆର୍‌ କର୍ମଚାରୀମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe