ସବୁ ମୁକାବିଲା ପାଇଁ ରାଜ୍ୟ ପ୍ରସ୍ତୁତ: ମୁଖ୍ୟମନ୍ତ୍ରୀ

Advertisment

ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ

ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ

ସବୁ ମୁକାବିଲା ପାଇଁ ରାଜ୍ୟ ପ୍ରସ୍ତୁତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାର ଚିର ସହଚର ପାଲଟିଛି। ପ୍ରାୟ ସବୁ ବର୍ଷ ବନ୍ୟା, ବାତ୍ୟା ଓ ମରୁଡ଼ି ଆଦି ରୂପରେ ପ୍ରକୃତିର କୋପକୁ ରାଜ୍ୟ ଦେଖୁଛି। ସବୁ ପ୍ରକାର ବିପର୍ଯ୍ୟୟ ସମୟରେ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସର୍ବଦା ପ୍ରସ୍ତୁତ ଅଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ଆଜି ସଚିବାଳୟରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ବୈଠକରେ ମୁଖ୍ୟମନ୍ତ୍ରୀ କହିଲେ, ଗତ ବର୍ଷ ମରୁଡ଼ି, କୀଟ ଆକ୍ରମଣ ଓ ଅସମୟରେ ଘୂର୍ଣ୍ଣିଝଡ଼ ଓ ବନ୍ୟା ଦ୍ୱାରା ରାଜ୍ୟ ପ୍ରଭାବିତ ହୋଇଥିଲା। କିନ୍ତୁ ସରକାର ବେଶ୍‌ ସଫଳତାର ସହ ଏହାକୁ ପରିଚାଳନା କରିଥିଲେ। ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟ ଠାରୁ ସାମାନ୍ୟ ବିଳମ୍ବରେ ରାଜ୍ୟରେ ପହଞ୍ଚିବା ସହ କିଛି ଅଞ୍ଚଳ ଛୁଇଁଥିଲା। କିନ୍ତୁ ହଠାତ୍‌ ଏହା ଦୁର୍ବଳ ହୋଇଯିବାରୁ ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି। କୃଷି ବିଭାଗ ପକ୍ଷରୁ ଓୟୁଏଟି ସହ ସମନ୍ଵୟ ରକ୍ଷା କରି ପରିସ୍ଥିିତି ଉପରେ ନଜର ରଖି ଆବଶ୍ୟକ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଶ୍ରୀ ପଟ୍ଟନାୟକ କହିଥିଲେ, ବର୍ତ୍ତମାନ ବର୍ଷା କମ୍‌ ହୋଇଥିଲେ ବି ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ମୁକାବିଲା ପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ। ଆଗୁଆ ସତର୍କ ସୂଚନା ଜାରି କରିବା ଠାରୁ ଆରମ୍ଭ କରି ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ, ପିଇବା ପାଣି ଯୋଗାଣ, ସ୍ୱାସ୍ଥ୍ୟ ସେବା ଆଦି ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ତ୍ୱରିତ ପଦକ୍ଷେପ ନେବାକୁ ଓଡ୍ରାଫ୍‌ ୟୁନିଟ୍‌ ଓ ଅଗ୍ନିଶମ ବିଭାଗ ପକ୍ଷରୁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ। ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ବେଳେ ଛୋଟ ପିଲା, ଗର୍ଭବତୀ ମହିଳା, ଭିନ୍ନକ୍ଷମ, ବିଧବା ଓ ବରିଷ୍ଠ ନାଗରିକମାନଙ୍କ ପ୍ରତି ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। କମିଟିର ସଦସ୍ୟ ଥିବା ବିରୋଧୀ ଦଳ ନେତା ନରସିଂହ ମିଶ୍ର ବୈଠକ ପରେ କ୍ଷୋଭ ପ୍ରକାଶ କରିିଥିଲେ। ସେ କହିଥିଲେ, କମିଟିର ବୈଠକ ଚିରାଚରିତ ଢଙ୍ଗରେ ହେଉଛି। ସବୁ ବର୍ଷ ଏହି ବୈଠକରେ ଜଳାଶୟଗୁଡ଼ିକର ପୁନରୁଦ୍ଧାର ପାଇଁ ସେ ପ୍ରସ୍ତାବ ଦେଉଛନ୍ତି। କିନ୍ତୁ ତାହାକୁ କାର୍ଯ୍ୟକାରୀ କରାଯାଉନି। ବହୁ ଅଞ୍ଚଳରେ ପାଣି ସମସ୍ୟା ଉତ୍କଟ ଆକାର ଧାରଣ କରିଛି। କିନ୍ତୁ ସେ ଦିଗରେ ପଦକ୍ଷେପ ନିଆଯାଉନି। ବୈଠକରେ କମିଟିର ସଦସ୍ୟ ଥିବା ମନ୍ତ୍ରୀମଣ୍ଡଳର ସଦସ୍ୟ, ବିଭିନ୍ନ ଦଳର ବିଧାୟକ, ମୁଖ୍ୟ ଶାସନ ସଚିବ, ବିଭିନ୍ନ ବିଭାଗର ସଚିବ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe