ଭୁବନେଶ୍ବର : ରବିବାରଠାରୁ ଛୁଟିଦିନରେ ନ ଆସିବା ପାଇଁ ରାଜ୍ୟ ମେଡିକାଲ ସେବା ସଂଘ ବା ଓମ୍ସା ଯେଉଁ ନିଷ୍ପତ୍ତି ନେଇଥିଲା ତାହାକୁ ଆସନ୍ତାମାସ ୧୦ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛି। ଆଜି ସ୍ବାସ୍ଥ୍ୟ ସଚିବଙ୍କ ସହିତ ଆଲୋଚନା ପରେ ଓମ୍ସା ଏହି ନିଷ୍ପତ୍ତି ନେଇଛି। ଯଦି ଏହି ଦିନ ଭିତରେ ସଂଘର ଦାବି ପୂରଣ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଏ ତେବେ ଆସନ୍ତା ସାଧାରଣ ପରିଷଦ ବୈଠକରେ ପରବର୍ତୀ ପଦକ୍ଷେପ ନିଆଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଓମ୍ସାର ସଭାପତି ଡା.ନିରାକାର ଭଟ୍ଟଙ୍କ ସୂଚନା ଅନୁଯାୟୀ, ଆଜି ସ୍ବାସ୍ଥ୍ୟ ସଚିବଙ୍କ ସହିତ ସଂଘର ଆଲୋଚନା ହୋଇଥିଲା। ଡାଇନାମିକ ଆସିୟୋର୍ଡ କ୍ୟାରିୟମ ପ୍ରୋଗ୍ରେସନ୍ ବା ଡିଏସିପି ତୁରନ୍ତ ଲାଗୁ କରିବା ପାଇଁ କୁହାଯାଇଥିଲା। ହେଲେ ଏହାକୁ ଲାଗୁ କରିବା ପାଇଁ ଏକ କମିଟି ଗଠନ କରାଯାଇଛି। ଏଥିରେ ଓମ୍ସାର ସଭାପତି, ସଂପାଦକଙ୍କ ସହିତ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଓ ସ୍ବାସ୍ଥ୍ୟସେବା ନିର୍ଦେଶକ ରହିଛନ୍ତି। ଏହି କମିଟି ଡିଏସିପି ନେଇ ମୋଡାଲିଟି ପ୍ରସ୍ତୁତ କରିବେ। ଏଥିପାଇଁ ସମୟର ଆବଶ୍ୟକତା ଥିବାରୁ ଆସନ୍ତାମାସ ୧୦ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖଯାଇଥିବା ଡା.ଭଟ୍ଟ ସୂଚନା ଦେଇଛନ୍ତି।
ସରକାର-ଓମ୍ସା ଆଲୋଚନା
Advertisment
Follow Us